Odiapua.com

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ସଚିନ ପାଇଲଟ୍ ! ସୋନିଆ ଗାନ୍ଧୀଙ୍କ ସହ ହେଲେ ଖୋଲା କଥା

ନୂଆଦିଲ୍ଲୀ ୨୧ ଏପ୍ରିଲ (ଓଡ଼ିଆ ପୁଅ) ରାଜସ୍ଥାନର କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ସଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଚିନ ପାଇଲଟ ରାଜସ୍ଥାନର ସିଏମ ହେବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଏ ନେଇ ସେ ସୋନିଆଙ୍କ ସହ ବୈଠକ କରି ଭବିଷ୍ୟତରେ ରାଜ୍ୟରେ ସଚିନ ପାଇଲଟଙ୍କ ଭୂମିକା କ’ଣ ହେବ ତାହା ଉପରେ ମଧ୍ୟ ଆଲୋଚନା କରିଛନ୍ତି। ସୂଚନାଯୋଗ୍ୟଯେ, ଆସନ୍ତା ବର୍ଷ ହେବାକୁ ଅଛି ରାଜ୍ୟରେ ବିଧାନସଭା ନିର୍ବାଚନ। ତେଣୁ କଂଗ୍ରେସ ଏଥିପାଇଁ ପ୍ରସ୍ତୁତି ଚଳାଇଛି।

ସୂଚନାଯୋଗ୍ୟଯେ, ସଚିନ ପାଇଲଟ ରାଜସ୍ଥାନ କଂଗ୍ରେସ ମୁଖ୍ୟ ତଥା ଉପମୁଖ୍ୟମନ୍ତ୍ରୀ ପଦରେ ଥିଲେ। ୨୦୨୦ ମସିହାରେ, ତାଙ୍କର ଏବଂ ତାଙ୍କ ଅନୁସରଣକାରୀ ବିଧାୟକଙ୍କ ବିଦ୍ରୋହ କାରଣରୁ ତାଙ୍କୁ ଏହି ଦୁଇଟିଯାକ ପଦ ହରାଇବାକୁ ପଡ଼ିଥିଲା।

ଦଳର ସଭାପତି ସୋନିଆ ଗାନ୍ଧୀଙ୍କ ସହ ପାଇଲଟଙ୍କ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ କୁହାଯାଉଛି ଯେ, ରାଜସ୍ଥାନ କଂଗ୍ରେସରେ ପାଇଲଟଙ୍କ ଭୂମିକା କ’ଣ ହେବ, ଅର୍ଥାତ୍ ତାଙ୍କୁ କେଉଁ ଦାୟିତ୍ତ୍ୱ ଦିଆଯିବ, ଏହା ଦଳର ସଭାପତି ଖୁବ୍ ଶୀଘ୍ର ନିଷ୍ପତ୍ତି ନେବେ। ତେବେ ସଚିନ ପାଇଲଟଙ୍କୁ ରାଜସ୍ଥାନରୁ ଡକାଯାଇ ଦିଲ୍ଲୀରେ ଏକ ବଡ଼ ଭୂମିକା ଦିଆଯାଇପାରେ ବୋଲି ମଧ୍ୟ ଏକ ଆଶଙ୍କା କରାଯାଉଛି।

ସୂଚନାଯୋଗ୍ୟଯେ, ବୁଧବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋତ ସୋନିଆ ଗାନ୍ଧୀଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ। ଏହା ମଧ୍ୟ ଅନୁମାନ କରାଯାଉଛି ଯେ ବିଧାନସଭା ନିର୍ବାଚନ ୨୦୨୩ ପୂର୍ବରୁ କଂଗ୍ରେସ ହାଇକମାଣ୍ଡ ସଚିନ ପାଇଲଟଙ୍କୁ ଏକ ବଡ ଦାୟିତ୍ତ୍ୱ ଦେଇପାରେ। କେତେକ ରାଜନୈତିକ ବିଶ୍ଳେଷକ ମଧ୍ୟ ଅନୁମାନ କରୁଛନ୍ତି ଯେ ପାଇଲଟଙ୍କୁ ପୁଣିଥରେ ରାଜ୍ୟ କଂଗ୍ରେସ ସଭାପତି କରାଯାଇପାରେ। ପାଇଲଟଙ୍କ ନେତୃତ୍ୱରେ ବିଧାନସଭା ନିର୍ବାଚନ ୨୦୧୮ କଂଗ୍ରେସ ଲଢ଼ିଥିଲା। ଯଦିଓ ପାଇଲଟ୍ ସିଏମ୍ ଦୌଡ଼ରେରେ ଥିଲେ କିନ୍ତୁ ଅଶୋକ ଗେହଲୋତ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ଚାରିଟି ରାଜ୍ୟରେ କଂଗ୍ରେସର ପରାଜୟ ପରେ ବର୍ତ୍ତମାନ ରାଜସ୍ଥାନରେ ହେବାକୁ ଥିବା ନିର୍ବାଚନ ଉପରେ ଦଳର ନଜର ରହିଛି। ସଚିନ ପାଇଲଟ ରାହୁଲ ଗାନ୍ଧୀଙ୍କ ଅତି ନିକଟତର ବୋଲି କୁହାଯାଉଛି। ଗତ କିଛିବର୍ଷ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆ ରାହୁଲଙ୍କର ଜଣେ ଘନିଷ୍ଠ ବନ୍ଧୁ ଥିଲେ। ଜିତିନ ପ୍ରସାଦ ଏବଂ ଆରପିଏନ ସିଂଙ୍କ ପରି ଭେଟେରାନମାନେ ରାହୁଲ ଗାନ୍ଧୀଙ୍କୁ ତଥା କଂଗ୍ରେସ ଛାଡି ବିଜେପିରେ ଯୋଗ ଦେଇଛନ୍ତି।