Odiapua.com

ରାଜରାଜେଶ୍ୱରୀ ବେଶରେ ପୂଜା ପାଇଲେ ମା’ ଭଦ୍ରକାଳୀ

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ତୃତୀୟ ଦିନରେ ରାଜରାଜେଶ୍ୱରୀ ବେଶରେ ପୂଜା ପାଇଛନ୍ତି। ମା’ଙ୍କର ଏହି ବେଶକୁ ଦର୍ଶନ କରିବା ପାଇଁ ପୀଠରେ ସକାଳୁ ଭକ୍ତମାନଙ୍କର ଲମ୍ବା ଧାଡ଼ି ଲାଗିଥିଲା। ମା’ଙ୍କର ମୁଖମଣ୍ଡଳ ପଦ୍ମବର୍ଣ୍ଣ ଥିବା ବେଳେ ଚତୁର୍ହସ୍ତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମକୁ ଧାରଣ କରି ଚତୁର୍ଦ୍ଧା ମୂର୍ତ୍ତିରେ ଭକ୍ତମାନଙ୍କୁ ଦର୍ଶନ ଦେଇଥିଲେ। ମା’ ନାଲି ପାଟବସ୍ତ୍ର ପରିଧାନ କରି ସ୍ୱର୍ଣ୍ଣ ଓ ରୌପ୍ୟ ଅଳଙ୍କାରରେ ସଜ୍ଜିତ ହୋଇଥିଲେ। ରାଜରାଜେଶ୍ୱରୀ ବେଶରେ ଦର୍ଶନ କଲେ ଭକ୍ତ କର୍ମକ୍ଷେତ୍ରରେ ବିଜୟୀ ହେବା ସହ ଉଚ୍ଚ ପଦ ପ୍ରାପ୍ତ ହୋଇଥାଏ ବୋଲି ବିଶ୍ୱାସ କରାଯାଏ। ପୀଠରେ ବିଶ୍ୱଶାନ୍ତି ମହାଯଜ୍ଞରର ଆହୂତି ଓ ପୂଜା, ରୀତି ନୀତି ଚାଳୁ ରହିଚି। ଗୀତା ପାଠ, ଚଣ୍ଡୀ ପାଠ, ବେଦ ପାଠ, ନାମ ସଂକୀର୍ତ୍ତନ ମଧ୍ୟରେ ଏକ ନିଆରା ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଚତୁର୍ଥ ଦିନରେ ମା’ଙ୍କର ସିଂହବାହିନୀ ବେଶ ନିମନ୍ତେ ମନ୍ଦିର ପ୍ରଶାସନ ତରଫରୁ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ଚଳିତ ବର୍ଷ ପୀଠରେ ଆକର୍ଷଣୀୟ ସାଜସଜ୍ଜା ଭକ୍ତମାନଙ୍କୁ ଆକୃଷ୍ଟ କରି ପାରିଛି।