Odiapua.com

ରାଜପଥ ସଡକ ଦୁର୍ଘଟଣା, ଜଣେ ମୃତ ଓ ଜଣେ ଆହତ

ଭଦ୍ରକ, ୧୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ଡାହାଲା ଛକ ନିକଟରେ ଗତକାଲି ଭୋର୍ ପ୍ରାୟ ୪ଟା ସମୟରେ ବାଲେଶ୍ୱର ଅଭିମୁଖି ଏକ କଣ୍ଟେନର ପଛକୁ ୧୨ ଚକିଆ ଟ୍ରକ ପଛରୁ ପିଟିବା ଫଳରେ ଚାଳକ ମୃତ୍ୟୁବରଣ କରିଥିବା ବେଳେ ହେଲପର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଜଣାଯାଇଛି । ଏନଏଲ ୦୧ ଜି ୯୭୬୫ନଂ କଣ୍ଟେନରକୁ ଓଡି ୧୯ କେ ୯୫୯୧ନଂ ଅନୁଗୁଳରୁ ପାଉଁଶ ବୋଝେଇ ୧୨ଚକିଆ ଟ୍ରକ ଦ୍ରୁତ ବେଗରେ ପଛରୁ ପିଟିଥିଲା । ଫଳରେ ପାଉଁଶ ବୋଝେଇ ଟ୍ରକର ଚାଳକ ଅନୁଗୁଳ ଜିଲ୍ଲା ଖଇରମୁଣ୍ଡା ଅଞ୍ଚଳର ପ୍ରଶାନ୍ତ ମୁଣ୍ଡା(୩୭) ଘଟଣାସ୍ଥଳରେ ଚାପି ହୋଇ ମୃତ୍ୟୁବରଣ କରିଥିଲା । ହେଲପର ସରୋଜ ମୁଣ୍ଡା ଆହତ ହୋଇଥିଲା । ଖବର ପାଇ ପାଟ୍ରୋଲିଂ ପୁଲିସ ରାଜପଥ ନିର୍ମାଣକାରୀ ସଂସ୍ଥା ସହାୟତାରେ ଚାଳକକୁ ଓ ହେଲପରକୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ପଠାଇଥିଲେ । ଡାକ୍ତରଖାନାରେ ଚାଳକକୁ ମୃତ ଘୋଷଣା କରାଯାଇଥିଲା । ହେଲପରକୁ ଚିକିତ୍ସା କରାଯାଇଥିଲା ।