Odiapua.com

ରାଜନୈତିକ ହିଂସାରେ ଇଞ୍ଜିନିୟର ଛାତ୍ରଙ୍କ ମୃତ୍ୟୁ ଘଟଣାରେ ଦୁଇ ଭାଇ ଗିରଫ

ଭଦ୍ରକ, ୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ଦୁଇଦିନ ତଳେ ଭଦ୍ରକ ବ୍ଲକ୍ ଅନ୍ତର୍ଗତ ବ୍ରହ୍ମପୁର ଗ୍ରାମରେ ବିଜେପି କର୍ମୀ ତଥା ଇଂଜିନିୟର ଛାତ୍ର ସୁବାଶିଷ ଗିରି ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଏହି ଘଟଣାରେ ଆଜି ସାବରଙ୍ଗ ପୁଲିସ୍ ଅଭିଯୁକ୍ତ ଦୁଇଭାଇ ବିଜେଡି ଯୁବନେତା ଜ୍ୟୋତିରଂଜନ ସେନାପତି ଓ ପ୍ରିୟରଂଜନ ସେନାପତିକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅଭିଯୋଗ ଅନୁଯାୟୀ ବିଜେଡି କର୍ମୀ ତଥା ବ୍ରହ୍ମପୁର ପଂଚାୟତର ପୁଅ ସେନାପତି ଓ ଲିଟୁ ସେନାପତି ସରପଞ୍ଚ ପ୍ରାର୍ଥୀ ମହେଶ୍ୱର ପଲାଇ ମିଳିତ ଭାବେ ଗତକିଛିଦିନ ଧରି ବ୍ରହ୍ମପୁର ବିଦ୍ୟାଳୟ ପଡିଆକୁ ଜବରଦଖଲ କରିବା ସହ କ୍ଲବ୍ ଘରକୁ ମଧ୍ୟ ନିଜ କବ୍‌ଜାରେ ରଖିଥିଲେ। ଏହି ଘଟଣାକୁ ବିରୋଧ କରୁଥିଲେ ମୃତକ ସୁବାଶିଷ ଗିରି। ଉକ୍ତ ମାମଲାକୁ ନେଇ ଉଭୟ ସୁବାଶିଷ ଓ ପୁଅ ସେନାପତିଙ୍କ ମଧ୍ୟରେ ବଚସା ଓ ମାଡଗୋଳ ହୋଇଥିବାବେଳେ ପୁଅ ସେନାପତି ସୁବାଶିଷଙ୍କୁ ଟିୱେଲ୍ ହେଣ୍ଡେଲରେ ମାଡମାରି ପୋଖରୀକୁ ଠେଲି ମାରିଦେଇଥିବା ନେଇ ଅଭିଯୋଗ କରିଥିଲେ ମୃତକଙ୍କ ସଂପର୍କୀୟ ସହ ପ୍ରତ୍ୟକ୍ଷଦର୍ଶୀ ଓ ବିଜେପି ଜିଲାହ ସଭାପତି ହେମନ୍ତ ପାଢୀ। ଆସାମୀଙ୍କୁ ଗିରଫ କରାଯିବା ଦାବିରେ ଉତ୍ତ୍ୟକ୍ତ ଲୋକେ ଦୀର୍ଘସମୟ ଧରି ଭଦ୍ରକ-ଚାନ୍ଦବାଲି ରାସ୍ତା ଇଚ୍ଛାପୁର ଛକ ନିକଟରେ ରାସ୍ତା ଅବରୋଧ କରିଥିଲେ। ତେବେ ସାବରଙ୍ଗ ପୁଲିସ୍ ଆଜି ଅଭିଯୁକ୍ତ ଦୁଇଭାଇଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।