ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ରାତିରେ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ବନ୍ଧଗାଁ ପଂଚାୟତର ପୂର୍ବତନ ସରପଂଚ ତଥା ଆମ୍ବରୋଳି ସମବାୟ ସମିତିର ସଭାପତି ଚିତରଂଜନ ରାଉତ (ନାଲୁ)ଙ୍କ କ୍ଷତବିକ୍ଷତ ମୃତଦେହ ତାଙ୍କ ଘରଠାରୁ କିଛିଦୂର ଏକ ଧାନବିଲ ନାଳପାଶ୍ୱର୍ରୁ ମିଳିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ସୂଚନା ଅନୁଯାୟୀ ସେ ଗତକାଲି ରାତିରେ ସେହି ଗ୍ରାମର ଏକ ଅଷ୍ଟପ୍ରହରୀକୁ ଯାଇ ରାତି ୯ଟା ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ଫଳରେ ପରିବାର ଲୋକେ ତାଙ୍କ ମୋବାଇଲ୍କୁ ଫୋନ୍ କରିଥିଲେ ମଧ୍ୟ ତାହା ସୁଇଚ୍ ଅଫ୍ ଥିବାର ଜଣାପଡିଥିଲା। ପରେ ସକାଳେ କିଛି ଲୋକ ତାଙ୍କର ମୃତଦେହକୁ ଦେଖିବା ପରେ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କ ମୃତଦେହର ମୁଣ୍ଡ ଓ ଅନ୍ୟ ସ୍ଥାନରେ କ୍ଷତ ଚିହ୍ନ ଦେଖିବାକୁ ମିଳିଛି। ଏବଂ ତାଙ୍କ ନିକଟରୁ ୧୭ ଶହ ଟଙ୍କା ମିଳିଥିବାବେଳେ ପର୍ସ ଓ ଗାଡି ନଥିବାର ଦେଖାଯାଇଥିଲା। ପରିବାର ଲୋକେ ତାଙ୍କୁ ପୂର୍ବ ରାଜନୈତିକ ଶତ୍ରୁତାରୁ ଏହି ଚକ୍ରାନ୍ତପୂର୍ଣ୍ଣ ଭାବେ ହତ୍ୟା କରିଥିବାର ଅଭିଯୋଗ କରିଛନ୍ତି। ଖବର ପାଇ ଘଟଣାସ୍ଥଳରେ ଗ୍ରାମାଂଚଳ ଥାନାଧିକାରୀଙ୍କ ସମେତ ଏସ୍ଡିପିଓ, ସାଇଂଟିଫିକ୍ ଟିମ୍ ସନ୍ଧାନୀ କୁକୁର ସହ ପହଂଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ସ୍ୱର୍ଗତଃ ରାଉତ ନାଲୁ ନାମରେ ବେଶ୍ ପରିଚିତ ଥାଇ ବିଜୁ ଜନତା ଦଳର ଜଣେ ସକ୍ରୀୟ ନେତା ଭାବେ ମିଷ୍ଟଭାଷୀ ଥିବାରୁ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ଶବକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ଅଣାଯିବା ପରେ ଯାଜପୁର ର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ, ଭଦ୍ରକର ଜନନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ପଂଚାୟତ ସମିତି ଅଧ୍ୟକ୍ଷା ଉର୍ମିଳା ନାୟକ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ଘଟଣା ସ୍ଥଳରେ ପହଂଚି ଶୋକାକୁଳ ପଂଚାୟତ ବାସୀଙ୍କୁ ସମବେଦନା ଜଣାଇବା ସହିତ ତୁରନ୍ତ ହତ୍ୟାକାରିଙ୍କୁ ଧରି ଦୃଷ୍ଟାନ୍ତ ମୂଳକ ଦଣ୍ଡ ଦେବା ପାଇଁ ଜିଲ୍ଲା ପୁଲିସ୍ ପ୍ରଶାସନ ପାଖରେ ଦାବି ରଖିଛନ୍ତି।