ନୟାଗଡ଼, ୨୬ା୩(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲ୍ଲାରେ ରଣପୁର, ଦଶପଲା, ଖଣ୍ଡପଡ଼ା ଓ ନୟାଗଡ଼କୁ ନେଇ ୪ଟି ନିର୍ବାଚନ ମଣ୍ଡଳୀ। ସେଥିମଧ୍ୟରୁ ନୟାଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ୟ ନିର୍ବାଚନ ମଣ୍ଡଳୀ ତୁଳନାରେ ସ୍ୱତନ୍ତ୍ରତା ବହନ କରେ। ରାଜନୈତିକ ଦୃଶ୍ୟପଟ ଯାହା କୁହେ ଏଠାରେ ଅଧିକାଂଶ ସମୟ ଅଣକଂଗ୍ରେସର ଦୁର୍ଗଭାବେ ପ୍ରାଧାନ୍ୟତା ଲାଭ କରି ଆସିଛି। ଏହି ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ବିଧାୟକ ସୀତାକାନ୍ତ ମିଶ୍ରଙ୍କ ପରେ ୧୯୯୫ ମସିହା ଠାରୁ ଏପର୍ଯ୍ୟନ୍ତ ଆଉ କଂଗ୍ରେସର ରାଜ୍ ଦେଖିବାକୁ ମିଳିନାହିଁ। ବର୍ତ୍ତମାନ ନୟାଗଡ଼ ନିର୍ବାଚନ ମଣ୍ଡଳୀର ଭୌଗଳିକ ସ୍ଥିତିକୁ ଦେଖିବାକୁ ଗଲେ ନୟାଗଡ଼ ପୌରାଚଂଳ, ଓଡ଼ଗାଁ ଏନଏସି, ଓଡ଼ଗାଁ ବ୍ଳକର ୧୮ ପଂଚାୟତ, ନୟାଗଡ଼ ବ୍ଳକର ୨୯ ପଂଚାୟତକୁ ଗଠିତ। ପୂର୍ବ ବିଧାନସଭା ନିର୍ବାଚନର ସ୍ଥିତିକୁ ପର୍ଯ୍ୟାଲୋଚନା କଲେ ୧୯୫୨ ମସିହାରୁ ୨୦୧୪ ନିର୍ବାଚନ ପର୍ଯ୍ୟନ୍ତ ୧୬ ଥରରୁ ୧୩ ଥର ଅଣକଂଗ୍ରେସ ପ୍ରାର୍ଥୀମାନେ ବିଜୟଲାଭ କରିଛନ୍ତି। ସେଥିପାଇଁ ନୟାଗଡ଼ ଆସନଟି ଅଣକଂଗ୍ରେସର ଦୁର୍ଗଭାବେ କୁହାଯାଉଥିବାବେଳେ ସେତେବେଳର ସ୍ଥିତି ଯାହା ଥିଲା ଏବେ ଆଉ ନାହିଁବୋଲି ହାର୍ ଜିତ୍ ବ୍ୟବଧାନରୁ ଅନୁମେୟ ହେଉଛି। ଦିନଥିଲା ସେତେବେଳେ ଅଣକଂଗ୍ରେସର ପ୍ରାର୍ଥୀମାନେ ୩୦/୪୦ ହଜାର ଭୋଟ ବ୍ୟବଧାନରେ ବିଜୟ ଲାଭ କରୁଥିବାବେଳେ ଏବେ କିନ୍ତୁ ବ୍ୟବଧାନ ହାର ବହୁତ କମି ଯାଇଛି। ଏଥିରୁ ସ୍ପଷ୍ଟ ଅନୁମେୟ ହୁଏଯେ, ଅଣକଂଗ୍ରେସର ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି ସିନା କଂଗ୍ରେସର ଭୋଟ ବ୍ୟବଧାନ ବହୁ ମାତ୍ରାରେ ବଢିଛି ଓ ଅଣକଂଗ୍ରେସର ବିଜୟ ହାର ବହୁମାତ୍ରାରେ କମିଛି। ଏମିତି ଦେଖିବାକୁ ଗଲେ କଂଗ୍ରେସର ଗୋଷ୍ଠୀ କନ୍ଦଳ କ୍ଷତି ଆଡ଼କୁ ଟାଣିନେଉଥିବାବେଳେ ଅଣକଂଗ୍ରେସ ତଥା ବିଜେଡିର ଲୋକସମ୍ପର୍କ ଅଭାବରୁ ଭୋଟ ବିଜୟ ବ୍ୟବଧାନ କମୁଥିବା ଜନ ମତାମତରୁ ଜଣାପଡ଼ିଛି। ତେବେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ହାରଜିତ କୁନେଇ ଅତୀତକୁ ପର୍ଯ୍ୟାଲୋଚନ କଲେ ଏହାର ପୂର୍ଣ୍ଣାଙ୍ଗ ସ୍ଥିତି ବିଷୟରେ ଜାଣିହୁଏ। ୧୯୪୬ ମସିହାରେ ୬୦ଟି ଆସନ ବିଶିଷ୍ଟ ଓଡ଼ିଶ ବିଧାନ ସଭା ନିର୍ବାଚନ ହୋଇଥିଲା। ସ୍ୱାଧୀନତା ପରେ ଗଡ଼ଜାତ ମିଶ୍ରଣ ଯୋଗୁଁ ଗଡ଼ଜାତ ମାନଙ୍କର ୩୧ ଜଣ ସଭ୍ୟ ବିଧାନସଭାକୁ ମନୋନୀତ ହୋଇଥିଲେ। ନୟାଗଡ଼ ପ୍ରଜାମଣ୍ଡଳ ସଂଗଠନର ସଂପାଦକ ଶ୍ରୀଧର ମିଶ୍ର ହେେଲେ ୯୧ ସଭ୍ୟ ବିଶିଷ୍ଟ ତଥା ଓଡ଼ିଶା ବିଧାନ ସଭାରେ ନୟାଗଡ଼ର ପ୍ରଥମ ବିଧାୟକ। ୧୯୫୧ ମସିହା ପ୍ରଥମ ସ୍ୱାଧୀନୋତ୍ତର ନିର୍ବାଚନ ସମୟକୁ ବିଧାନସଭାର ଆସନ ସଂଖ୍ୟା ହେଲା ୧୪୦। ୧୯୫୨ ମସିହାରେ ପ୍ରଥମ କରି ନିର୍ବାଚିତ ହେଲେ ସ୍ୱାଧୀନ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସିଂହ ମାନଧାତା। ଶ୍ରୀ ମାନ୍ଧାତା ୧୩୯୪୧ ଭୋଟ ପାଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସ ପ୍ରାର୍ଥୀ ଶ୍ରୀଧର ଦାଶ ୩୦୦୯ ଖଣ୍ଡ ଭୋଟ ପାଇଥିଲେ। ସେହିପରି ୧୯୫୭ରେ ସ୍ୱାଧୀନ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ସିଂହ ମାନଧାତା ୭୧୪୯ ଭୋଟ ପାଇଥିଲାବେଳେ କଂଗ୍ରେସର ଶ୍ରୀଧର ଦାଶ ୫୫୬୪ ଭୋଟ ପାଇଥିଲେ। ୧୯୬୧ ମସିହାରେ କଂଗ୍ରେସ ପା୍ରର୍ଥୀ ବୃନ୍ଦାବନ ଚନ୍ଦ୍ର ସିଂ ୬୦୨୨ ଭୋଟ ପାଇ ନିର୍ବାଚିତ ହୋଇଥିଲାବେଳେ କମ୍ୟୁନିଷ୍ଟ ପ୍ରାର୍ଥୀ ବାସୁଦେବ ବେହେରା ୫୩୦୨ ଭୋଟ ପାଇଥିଲେ। ୧୯୬୭ରେ ସ୍ୱାଧୀନ ପ୍ରାର୍ଥୀ ଅଚ୍ୟୁତାନନ୍ଦ ମହାନ୍ତି ୬୧୪୧ ଭୋଟ ପାଇ ନିର୍ବାଚିତ ହୋଇଥିଲାବେଳେ ଜନକଂଗ୍ରେସ ପ୍ରାର୍ଥୀ ନରସିଂହ ବିଶ୍ୱାଳ ୬୦୬୨, ୧୯୭୧ ରେ ଉତ୍କଳ କଂଗ୍ରେସ ପ୍ରାର୍ଥୀ ଅଚ୍ୟୁତାନନ୍ଦ ମହାନ୍ତି ୧୩୨୪୪ ଭୋଟ ପାଇ ନିର୍ବାଚିତ ହୋଇଥିଲାବେଳେ ଜନକଂଗ୍ରେସ ପ୍ରାର୍ଥୀ ନରସିଂହ ବିଶ୍ୱାଳ ୬୦୬୨ ଭୋଟ ପାଇଥିଲେ। ସେହିପରି ୧୯୭୪ ମସିହାରେ ସୋସାଲିଷ୍ଟ ପ୍ରାର୍ଥୀ ଭାଗବତ ହେହେରା ୨୦, ୦୦୯ ଭୋଟ ପାଇ ନିର୍ବାଚି ହୋଇଥିଲାବେଳେ କଂଗ୍ରେସ ପ୍ରାର୍ଥୀ ନରସିଂହ ବିଶ୍ୱାଳ ୭୮୯୬ ଭୋଟ ପାଇଥିଲେ। ୧୯୭୭ ମସିହାରେ ବିଧାନ ସଭା ସଂଖ୍ୟା ୧୪୭କୁ ବୃଦ୍ଧି ପାଇଲା। ୧୯୭୭ରେ ଜନତା ପାର୍ଟି ପ୍ରାର୍ଥୀ ଭାଗବତ ହେହେରା ୨୫, ୯୪୮ ଖଣ୍ଡ ଭୋଟପାଇ ନିର୍ବାଚିତ ହୋଇଥିଲାବେଳେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ବଂଶୀଧର ସାହୁ ୧୩, ୭୫୨ ଖଣ୍ଡ ଭୋଟ ପାଇଥିଲେ। ୧୯୮୦ରେ କଂଗ୍ରେସର ବଂଶୀଧର ସାହୁ ୨୯, ୪୨୧ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ଜନତା ଦଳ ପ୍ରାର୍ଥୀ ଭାଗବତ ବେହେରା ୧୫, ୫୮୪ ଭୋଟ ପାଇଥିଲେ। ୧୯୮୫ ମସିହାରେ ଜନତା ଦଳ ପ୍ରାର୍ଥୀ ଭାଗବତ ହେହେରା ୩୨, ୯୬୨ ଖଣ୍ଡ ଭୋଟ ପାଇଥିଲାବେଳେ କଂଗ୍ରେସର ବଂଶୀଧର ସାହୁ ୨୮, ୭୫୭ ଖଣ୍ଡ ଭୋଟ ପାଇଥିଲେ। ୧୯୯୦ ମସିହାରେ ଜନତା ଦଳ ପ୍ରାର୍ଥୀ ଭାଗବତ ବେହେରା ୫୮, ୪୩୪ ଓ କଂଗ୍ରେସର ବଂଶୀଧର ସାହୁ ୧୯, ୨୧୫ ଭୋଟ ପାଇଥିଲାବେଳେ ୧୯୯୫ ମସିହାରେ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମିଶ୍ର ୫୩, ୨୬୯ ଭୋଟପାଇ ନିର୍ବାଚିତ ହୋଇଥିଲାବେଳେ ଜନତାଦଳ ପ୍ରାର୍ଥୀ ଭାଗବତ ବେହେରା ୪୬, ୬୫୦ ଖଣ୍ଡ ଭୋଟ ପାଇଥିଲେ। ସେତେବେଳେ ଭାଗବତ ବେହେରା କ୍ୟାବିନେଟ ମନ୍ତ୍ରୀ ଥାଇବି ଏବଂ ଜନତାଦଳର ଜିତିବାନେଇ ପ୍ରବଳ ହାୱା ଥିଲେ ବି ଭାଗବତ ବେହେରା ଭୋଟ ଗଣତି ବେଳକୁ ବହୁ ପଛରେ ପଡ଼ିଯାଇଥିଲେ। ୨୦୦୦ ମସିହାରେ ଜନତାଦଳ ପ୍ରାର୍ଥୀ ଭାଗବତ ବେହେରା ୫୯, ୪୭୨ ଖଣ୍ଡ ଭୋଟପାଇ ବହୁ ବ୍ୟବଧାନରେ ଜିତିଥିଲାବେଳେ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମିଶ୍ର ୨୯, ୩୬୪ ଖଣ୍ଡ ଭୋଟପାଇଥିଲେ। ୨୦୦୨ ମସିହାରେ ଭାଗବତ ବେହେରାଙ୍କ ଦେହାନ୍ତ ପରେ ନୟାଗଡ଼ରେ ହୋଇଥିଲା ଉପନିର୍ବାଚନ। ବିଜୁଜନତା ଦଳ ପ୍ରାର୍ଥୀଭାବେ ମନ୍ଦାକିନୀ ବେହେରା ୫୬, ୭୪୧ ଭୋଟପାଇ ନିର୍ବାଚିତ ହୋଇଥିଲାବେଳେ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମିଶ୍ର ୪୧, ୯୮୨ ଖଣ୍ଡ ଭୋଟପାଇଥିଲେ। ୨୦୦୪ ନିର୍ବାଚନରେ ନୟାଗଡ଼ ପାଇଁ ସମ୍ପୁଣ୍ଣ ନୂଆ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁ ୫୨, ୪୦୫ ଖଣ୍ଡ ଭୋଟ ପାଇଥିଲାବେଳେ କଂଗ୍ରେସ ପ୍ରାର୍ଥୀ ସୀତାକାନ୍ତ ମିଶ୍ର ୪୯, ୮୦୨ ଖଣ୍ଡ ଭୋଟ ପାଇଥିଲେ। ବିଜେଡି ପ୍ରାର୍ଥୀ ଅରୁଣ ସାହୁ ୨୫୮୩ ଖଣ୍ଡ ଭୋଟ ବ୍ୟବଧାାନରେ ଜିତିଥିଲେ। ୨୦୦୯ ରେ ବିଜେଡି ପ୍ରାର୍ଥୀ ଅରୁଣ କୁମାର ସାହୁ ୬୭, ୧୦୦ ଖଣ୍ଡ ଭୋଟ ପାଇ ନିର୍ବାଚିତ ହୋଇଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ହେମେନ୍ଦ୍ର ଚନ୍ଦ ସିଂହ ୩୯, ୭୫୯ଖଣ୍ଡ ଭୋଟପାଇଥିଲେ ଏବଂ କଂଗ୍ରେସ ପ୍ରାର୍ଥୀ ସନ୍ଧ୍ୟା ମହାପାତ୍ର ୪୮୭୨ ଏବଂ କଂଗ୍ରେସରୁ ଟିକେଟ ପାଇବା ନେଇ ଶେଷ ପର୍ଯ୍ୟନ୍ତ ଆଶାରେ ଥିବା ହେମେନ୍ଦ୍ର ଚନ୍ଦ୍ର ସିଂହ ଏବଂ ଲାଲା ମନୋଜ ରାୟ କଂଗ୍ରେସ ଟିକେଟ ନପାଇ ସ୍ୱାଧୀନ ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା କରିଥିଲେ। ହେମେନ୍ଦ୍ର ୩୯;୭୩୩ ଖଣ୍ଡ ଭୋଟ ପାଇଥିବାବେଳେ ଲାଲା ମନୋଜ ରାୟ ୩୭୯୫, ଭାଜପା ପ୍ରାର୍ଥୀ ଯୁଗାଂଶୁ ପଣ୍ଡା ୪ହଜାର ୮ଶହ ୭୮ ଭୋଟ ପାଇଥିଲେ। ସେହିପରି ୨୦୧୪ ସାଧାରଣ ନିର୍ବାଚନରେ ବିଜେଡିର ଅରୁଣ କୁମାର ସାହୁ ୭୫ ହଜାର ୫୩୮ ଖଣ୍ଡ ଭୋଟ ପାଇଥିଲାବେଳେ କଂଗ୍ରେସର ଲାଲା ମନୋଜ ରାୟ ୫୪ ହଜାର ୬୭୧ ଓ ଭାଜପା ପ୍ରାର୍ଥୀ ପ୍ରଦୀପ୍ତ ଜେନା ୭ହଜାର ୫୨୧ ଖଣ୍ଡ ଭୋଟ ପାଇଥିଲେ। ତେବେ ଡ.ଅରୁଣ କୁମାର ସାହୁ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ କଂଗ୍ରେସର ଲାଲା ମନୋଜ ରାୟଙ୍କୁ ୨୦ ହଜାର ୮ଶହ ୬୭ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିଲେ। ୨୦୦୪ରୁ ଲଗାତର ଡ.ଅରୁଣ କୁମାର ସାହୁ ୩ଥର ବିଜୟ ଲାଭ କରି ହ୍ୟାଟ୍ରିକ ଅର୍ଜନ କରିଥିବାବେଳେ ଏଥରବି ତାଙ୍କର ବିଜୟ ସମ୍ଭାବନାକୁ ତାଙ୍କର ସାଂଗଠନିକ ଦକ୍ଷତା ପ୍ରତିପାଦନ କରୁଥିବା ରାଜନୈତିକ ବିଶାରଦମାନେ ମନେ କରୁଛନ୍ତି। ରାଜ୍ୟ ରାଜନୀତିରେ ପ୍ରମୁଖ ଭୂମିକା ନିର୍ବାହ କରୁଥିବା ଡ. ଅରୁଣ ସାହୁଙ୍କ କ୍ରାନ୍ତିକାରୀ ପଦକ୍ଷେପ ଆଗରେ ତାଙ୍କର ପ୍ରତିପକ୍ଷ ବିରୋଧିମାନେ ସେତେଟା ସଫଳ ହୋଇପାରୁଥିବା ଦେଖାଯାଉନାହିଁ।