Odiapua.com

ରାଜନୈତିକ ଦଳମାନଙ୍କ ପାଇଁ ନିର୍ବାଚନୀ ବୈଠକ

ଭଦ୍ରକ, ୨୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଗାମୀ ପଞ୍ଚାୟତ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରାର୍ଥୀ ଓ ଦଳମାନଙ୍କ ଦ୍ୱାରା ପ୍ରଚାର ବ୍ୟବସ୍ଥା, ଭୋଟ ଗଣତି, ଭୋଟଦାନ ପାଇଁ ବୁଥ ସଂଖ୍ୟା, ଆଦର୍ଶ ଆଚରଣ ବିଧି, ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ଖର୍ଚ୍ଚ ସୀମା ଆଦି ବାବଦରେ ରାଜନୈତିକ ଦଳ ଓ ପ୍ରାର୍ଥୀମାନଙ୍କ ଅବଗତି ପାଇଁ ଆଜି ଜିଲ୍ଲା ପ୍ରଶାସନ ତରଫରୁ ସଦ୍‌ଭାବନା ସଭାଗୃହରେ ଏକ ନିର୍ବାଚନୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଧାରଣ ପର୍ଯ୍ୟବେକ୍ଷକ ସତ୍ୟନାରାୟଣ ଦାସ ଓ ଖର୍ଚ୍ଚ ପର୍ଯ୍ୟବେକ୍ଷକ ରମେଶ କୁମାର ପାତ୍ର, ଡ଼ି.ଆର୍‌.ଡ଼ି.ଏ.ର ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ, ଅତିରିକ୍ତ ଏସ୍‌.ପି. ଯତୀନ୍ କୁମାର ପଣ୍ଡା, ଜିଲ୍ଲା ପଞ୍ଚାୟତ ଅଧିକାରୀ ବଂଶୀଧର ସିଂ ପ୍ରମୁଖ ଯୋଗ ଦେଇ ଆନୁଷଙ୍ଗିକ ପ୍ରସଙ୍ଗରେ ଆଲୋଚନା ରଖିଥିଲେ। ଜିଲ୍ଲାପାଳଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ମତେ ଭଦ୍ରକ ଜିଲା୍ଲରେ ୫ଟି ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଫେବୃୟାରୀ ୧୬ରେ ହେବାକୁ ଥିବା ୧ମ ପର୍ଯ୍ୟାୟରେ ଭଦ୍ରକ ଓ ବନ୍ତ ବ୍ଲକ୍‌ରେ ସମୁଦାୟ ୭ଟି ଜୋନ୍‌ରେ ୬୧ଟି ଗ୍ରାମ ପଞ୍ଚାୟତରେ ୮୩୮ଟି ବୁଥ୍‌ରେ ଭୋଟଦାନ ଗ୍ରହଣ କରାଯିବ।

ଏଥି ମଧ୍ୟରେ ଭଦ୍ରକ ବ୍ଲକ୍‌ର ୨୫ ରୁ ୨୮, ୪ ଟି ଜୋନ୍‌ର ୩୬ଟି ଗ୍ରାମ ପଞ୍ଚାୟତ ପାଇଁ ୫୦୦ଟି ବୁଥ୍ ଓ ବନ୍ତ ବ୍ଲକ୍‌ର ୩ଟି ଜୋନ୍‌ର ୨୫ଟି ଗ୍ରା.ପ. ପାଇଁ ୩୩୮ଟି ବୁଥରେ ଭୋଟ ନିଆଯିବ। ସେହିପରି ୨ୟ ପର୍ଯ୍ୟାୟ ୧୮.୨.୨୨ରେ ଭଣ୍ଡାରିପୋଖରୀ ର ୩ଟି ଜୋନ୍‌ର ୨୩ଟି ଗ୍ରା.ପ. ପାଇଁ ୩୧୬ଟି ବୁଥ ଓ ଚାନ୍ଦବାଲି ବ୍ଲକ୍‌ର ୫ଟି ଜୋନ୍‌ର ୩୬ଟି ଗ୍ରା.ପ. ପାଇଁ ୪୭୬ଟି ବୁଥରେ ଭୋଟ ଗ୍ରହଣ କରାଯିବ। ୨୦.୨.୨୨ରେ ୩ୟ ପର୍ଯ୍ୟାୟରେ କେବଳ ତିହିଡ଼ି ବ୍ଲକ୍‌ରେ ୪ଟି ଜୋନ୍‌ର ୩୧ଟି ଗ୍ରା.ପ. ପାଇଁ ୫୩୬ଟି ବୁଥ୍‌ରେ, ୨୧.୨.୨୨ରେ ୪ର୍ଥ ପର୍ଯ୍ୟାୟରେ ବାସୁଦେବପୁର ବ୍ଲକ୍‌ର ୫ଟି ଜୋନ୍‌ର ୩୬ଟି ଗ୍ରା.ପ. ପାଇଁ ୪୮୫ଟି ବୁଥ, ୨୪.୨.୨୨ରେ ୫ଟି ଜୋନ୍‌ର ୩୧ଟି ଗ୍ରା.ପ.ର ୪୦୫ଟି ବୁଥରେ ଭୋଟ ଗ୍ରହଣ କରାଯିବ। ଜିଲ୍ଲାର ସମୁଦାୟ ୭ଟି ବ୍ଲକ୍‌ର ୨୮ଟି ଜୋନ୍‌ର ୨୧୮ ଗ୍ରା.ପ.ର ୩୦୫୬ଟି ବୁଥରେ ଭୋଟ ଗ୍ରହଣ ପାଇଁ ବ୍ୟବସ୍ଥା କରାଯାଇଛି। ଫେବୃୟାରୀ ୨୬, ୨୭ ଓ ୨୮ ତିନିଦିନ ଧରି ବ୍ଲକ ସଦର ମହକୁମାରେ ଭୋଟ ଗଣତି କାର୍ଯ୍ୟ କରାଯିବ। ୩ଟି ଜୋନ୍ ପାଇଁ ଗୋଟିଏ ଗଣତି କେନ୍ଦ୍ର ଓ ଯେଉଁ ବ୍ଲକ୍‌ରେ ୩ଟି ରୁ ଅଧିକ ଥିବା ଜୋନ୍ ପାଇଁ ୨ଟି ଗଣତି କେନ୍ଦ୍ର କରାଯିବ। ଜୋନ୍ ଅନୁଯାୟୀ ଗଣତି ହେବ। ସକାଳ ୮ଟା ରୁ ଗଣତି ଆରମ୍ଭ ହୋଇ ଜୋନ୍ ଅନୁଯାୟୀ ଶେଷ ହେବା ପର୍ଯ୍ୟନ୍ତ ଗଣତି ହେବ। ସାଧାରଣ ପର୍ଯ୍ୟବେକ୍ଷକ ୧୧-୧-୨୨ରୁ ୨୮-୨-୨୨ରିଖ ପର୍ଯ୍ୟନ୍ତ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ସମ୍ବନ୍ଧରେ ସୂଚନା ଦେବା ସହ ଏହାର ଅନୁପାଳନ ଦିଗରେ ପ୍ରଶାସନ, ପ୍ରାର୍ଥୀ, ଦଳ ଓ କର୍ମଚାରୀମାନଙ୍କର ସହଯୋଗ ନେଇ ପରାମର୍ଶ ଦେଇଥିଲେ। ପ୍ରଚାର, ଭୋଟଦାନ ଆଦି କାର୍ଯ୍ୟରେ କୋଭିଡ଼୍ ମାର୍ଗଦର୍ଶିକା ଅନୁପାଳନ ସମ୍ବନ୍ଧରେ ମଧ୍ୟ ବୁଝାଇଥିଲେ।

୯୪୩୮୩୨୩୫୪୯ରେ ସାଧାରଣ ପର୍ଯ୍ୟବେକ୍ଷକ ଓ ୯୪୩୮୩୦୫୩୫୯ରେ ଖର୍ଚ୍ଚ ପର୍ଯ୍ୟବେକ୍ଷକଙ୍କୁ ଯୋଗାଯୋଗ କରାଯାଇପାରିବ ନେଇ ସୂଚନା ଦିଆଯାଇଥିଲା। ପୋଲିସ ବିଭାଗ ସଂକ୍ରାନ୍ତୀୟ ଯାବତୀୟ ଅଭିଯୋଗ ପାଇଁ ଟୋଲ ପ୍ରିଂ ନମ୍ବର ୧୧୨କୁ ଯୋଗାଯୋଗ ନେଇ ଅତିରିକ୍ତ ଏସ୍‌.ପି. ସୂଚନା ଦେଇଥିଲେ। ପ୍ରାର୍ଥୀମାନଙ୍କ ଦ୍ୱାରା ନିର୍ବାଚନୀ ଖର୍ଚ୍ଚ ହିସାବ ପରିଚାଳନା, ପ୍ରଚାର ପାଇଁ ଯାନବାହନ ବ୍ୟାବହାର ନେଇ ବିଧି ବିଧାନ ସମ୍ବନ୍ଧରେ ଖର୍ଚ୍ଚ ପର୍ଯ୍ୟବେକ୍ଷକ ସୂଚନା ଦେବା ସହ ୩ଟି ପର୍ଯ୍ୟାୟରେ ସେ ସମସ୍ତ ବ୍ଲକ୍‌କୁ ଗସ୍ତ କରି ଏ ବାବଦରେ ତଦନ୍ତ କରିବା ନେଇ ଜଣାଇଥିଲେ। ଏହି ପରିପ୍ରେକ୍ଷୀରେ ତାଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ମତେ ପ୍ରଚାର କାର୍ଯ୍ୟ ଜିଲ୍ଲାପରିଷଦ ସଦସ୍ୟ ପାଇଁ ୫ଟି ଜିପ୍ ବା କାର, ୧୦ଟି ମୋଟର ସାଇକେଲ, ପଞ୍ଚାୟତ ସମିତି ସଦସ୍ୟ ପାଇଁ ୨ଟି ଜିପ୍ ବା କାର, ୫ଟି ମୋଟର ସାଇକେଲ, ସରପଞ୍ଚ ପାଇଁ ୨ଟି କାର ବା ଜିପ୍‌, ୫ଟି ମୋଟର ସାଇକେଲ ବ୍ୟବହାର କରାଯାଇ ପାରିବ। ସେହିପରି ନିର୍ବାଚନରେ ପ୍ରତିଦ୍ୱନ୍ଦିତା କରୁଥିବା ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ବାବଦ ଜିଲ୍ଲାପରିଷଦ ସଭ୍ୟ ପାଇଁ ୫ଲକ୍ଷ, ପଞ୍ଚାୟତ ସମିତି ସଭ୍ୟ ପାଇଁ ୨ଲକ୍ଷ, ସରପଞ୍ଚ ପାଇଁ ମଧ୍ୟ ୨ଲକ୍ଷ ନିର୍ବାଚନ ଆୟାଗ ଦ୍ୱାରା ସୀମା ଧାର୍ଯ୍ୟ କରାଯାଇଛି ବୋଲି ସେ ସୂଚନା ଦେଇଥିଲେ। ଏହି ବୈଠକରେ ବିଭିନ୍ନ ରାଜନୈତିକ ଦଳର ଜିଲ୍ଲାସ୍ତରୀୟ ସଭାପତି, ଉପସଭାପତି, ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ।