Odiapua.com

ରାଜନୈତିକ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ : ସହକାରୀ ଶିକ୍ଷକ ନିଲମ୍ବିତ

କେନ୍ଦ୍ରାପଡ଼ା, ୨୧ା୨ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ବ୍ଲକ ଅନ୍ତର୍ଗତ କାଳିକାପୁରରେ ଥିବା ସୁଶ୍ରୀ ଦେବୀ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ବିକ୍ରମ କେଶରୀ ପରିଡ଼ା ରାଜନୈତିକ ଦଳରେ ସଂପୃକ୍ତି ଥିବା ଅଭିଯୋଗରେ ନିଲମ୍ବିତ ହୋଇଛନ୍ତି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ତାଙ୍କୁ ନିଲମ୍ବିତ କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ପରିଡ଼ା ନିଜ ଅଞ୍ଚଳରେ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହ ସଂପୃକ୍ତ ରହୁଥିଲେ। ଏଥିସହ ରାଜନୈତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରୁଥିଲେ। ଏ ନେଇ ତାଙ୍କୁ ସତର୍କ କରାଯାଇଥିଲା। କିନ୍ତୁ ସେ କୌଣସି ସତର୍କତାକୁ ଭୃକ୍ଷେପ କରି ନ ଥିଲେ। ତେଣୁ ବାଧ୍ୟ ହୋଇ ରାଜକନିକା ବିଡିଓ ତଥା ବ୍ଲକ ନିର୍ବାଚନ ଅଧିକାରୀ ତାଙ୍କ ବିରୋଧରେ ତଥ୍ୟ ଓ ପ୍ରମାଣ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ। ଏହି ପ୍ରମାଣ ପାଇବା ପରେ ଜିଲ୍ଲାପାଳ ତାଙ୍କୁ ନିଲମ୍ବନ ପାଇଁ ନିର୍ଦେଶ ଦେଇଥିଲେ।