Odiapua.com

ରାଜନୈତିକ ଇଚ୍ଛାଶକ୍ତି ଓ ସ୍ଥାନୀୟ ବିଧାୟକଙ୍କ ଅପରାଗତା, ମଞ୍ଜୁରୀରୋଡ଼ ଓ କେନ୍ଦୁଆପଦା ଫାଣ୍ଡି ଥାନାକୁ ଉନ୍ନୀତ ହୋଇ ପାରିଲା ନାହିଁ – ବଦ୍ରି ଧଳ, ତୁରନ୍ତ ଥାନା ଘୋଷଣା କରିବାକୁ ବିଜେପିର ଦାବି

ଭଦ୍ରକ, ୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅନ୍ତର୍ଗତ ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ମଞ୍ଜୁରୀ ରୋଡ଼ ଓ କେନ୍ଦୁଆପଦା ଫାଣ୍ଡି ଦୁଇଟିକୁ ଥାନାକୁ ଉନ୍ନୀତ କରିବା ସହ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଭଦ୍ରକ ସହରାଞ୍ଚଳ ପୁଲିସ ସବ୍ ଡିଭିଜନ ଅଧିନରେ ରଖିବା ଦାବିରେ ଆଜି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀର ବିଜେପି ନେତା ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଦ୍ରିନାରାୟଣ ଧଳଙ୍କ ନେତୃତ୍ୱରେ ଦଳର ଏକ ପ୍ରତିନିଧି ମଣ୍ଡଳୀ ଜିଲ୍ଳାପାଳ ଏବଂ ଏସ୍‌ପିଙ୍କୁ ଭେଟି ଆଲୋଚନା କରିବା ସହିତ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ସ୍ଥାନୀୟ ଲୋକପ୍ରତିନିଧିଙ୍କ ଇଚ୍ଛାଶକ୍ତିର ଅଭାବ ଓ ଅପାରଗତା କାରଣରୁ ମଞ୍ଜୁରୀରୋଡ ଓ କେନ୍ଦୁଆପଦା ଫାଣ୍ଡି ଥାନାକୁ ଉନ୍ନୀତ ହୋଇ ପାରୁ ନାହିଁ ବୋଲି ବିଜେପି ନେତା ଶ୍ରୀଯୁକ୍ତ ଧଳ ଆରୋପ କରିଛନ୍ତି। ଏଠାରେ ସୂଚନାଯୋଗ୍ୟ ଭଣ୍ଡାରିପୋଖରୀ ଥାନା ଅଧିନସ୍ଥ ମଞ୍ଜୁରୀରୋଡ଼ ଫାଣ୍ଡି ଗତ ୧୯୮୨ ମସିହାରେ ପ୍ରତିଷ୍ଠା ହୋଇଥିଲା।

ଏହା ଅଧିନରେ ଏବେ ୬ଗୋଟି ପଞ୍ଚାୟତ ଯଥା : ନାଆମୀ, ରାଜେନ୍ଦ୍ରପୁର, ସାନଶାସନ, ବନ୍ଦାଡ଼ୋ ମଢିଆଳି, ତେସିଂଗା ଓ ଝୁଟଣା ରହିଅଛି। ପୂର୍ବରୁ ନେରଡ଼ା, ରାମଚନ୍ଦ୍ରପୁର ଓ ପାଟୁଳି ପଞ୍ଚାୟତକୁ ନେଇ ମଞ୍ଜୁରୀରୋଡ଼ ଥାନା ପ୍ରତିଷ୍ଠା ପ୍ରସ୍ତାବ ରହିବା ସହ ବିଭାଗ ପକ୍ଷରୁ ଅଗେଇବେହେରା ମୌଜାରେ ସ୍ଥାନ ନିରୂପଣ ହୋଇଥିଲା। ଇତିମଧ୍ୟରେ ଦୀର୍ଘ ୪୦ ବର୍ଷ ଅତିକ୍ରାନ୍ତ ପରେ ଏହି ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ପାଇବା ସହ ଅପରାଧିକ ମାମଲା ବୃଦ୍ଧି ପାଉଥିଲେ ବି, ଏଠାରେ ଥାନା ପ୍ରତିଷ୍ଠା ଏ ପର୍ଯ୍ୟନ୍ତ ସମ୍ଭବ ହୋଇ ପାରିନାହିଁ। ଏହାଛଡ଼ା ମଞ୍ଜୁରୀରୋଡ଼ ଅଞ୍ଚଳ କେନ୍ଦୁଝର ଓ ଯାଜପୁର ଜିଲ୍ଲା ସୀମାକୁ ଲାଗି ରହିଥିବା ବେଳେ ଏକ ରେଳ ଷ୍ଟେସନ ମଧ୍ୟ ରହିଛି। ଏଣୁ ଆଇନ ଶୃଙ୍ଖଳାର ସୁରକ୍ଷା ଦୃଷ୍ଟିରୁ ମଞ୍ଜୁରୀରୋଡ଼ ଫାଣ୍ଡିକୁ ଥାନାରେ ପରିଣତ କରିବା ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ଦୀର୍ଘ ଦିନରୁ ଦାବି ହୋଇଆସୁଅଛି। ସେହିପରି ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ କେନ୍ଦୁଆପଦା ଫାଣ୍ଡି ଭୌଗଳିକ ଦୃଷ୍ଟିରୁ ଭଦ୍ରକ ବ୍ଲକର ୩ ଗୋଟି ପଞ୍ଚାୟତ ଯଥା : ବହୁଦରଡ଼ା, ଅଣ୍ଢେଇପଲ୍ଲୀ, ଆର୍‌ଏନ୍ ବେତରା ଓ ବନ୍ତ ବ୍ଳକର ୬ଗୋଟି ପଞ୍ଚାୟତ ଯଥା : ତୋଡଙ୍ଗା, କେନ୍ଦୁଆପଦା, ଗୋବିନ୍ଦପୁର, ରାମକୃଷ୍ଣପୁର, ରାମପୁର ଓ ଗଣିଜାଙ୍ଗ (ଆଂଶିକ)କୁ ନେଇ ଦୀର୍ଘ ୩୮ ବର୍ଷ ପୂର୍ବରୁ ପ୍ରତିଷ୍ଠା ହୋଇଥିଲା। କେନ୍ଦୁଆପଦା ଫାଣ୍ଡି ଅଞ୍ଚଳର ଜନସାଧାରଣଙ୍କୁ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଯିବା ପାଇଁ ପ୍ରାୟ ୨୦ କି.ମି. ବାଟ ଯିବାକୁ ପଡ଼ିଥାଏ। କେନ୍ଦୁଆପଦା ଠାରେ ଏକ ରେଳ ଷ୍ଟେସନ ଥିବା ବେଳେ ଫାଣ୍ଡି ପାର୍ଶ୍ୱ ଦେଇ କେନ୍ଦୁଝର ଜିଲ୍ଳାକୁ ସଂଯୋଗ କରୁଥିବା ବି.କେ.ବି.ଏମ୍‌. ରାସ୍ତାରେ ବହୁ ଯାତ୍ରୀବାହୀ ବସ ଓ ଭାରିଯାନ ଚଳାଚଳ କରୁଛି।

ଏବେ ଏହି ଅଞ୍ଚଳରେ ଜନସଂଖ୍ୟା ବୃଦ୍ଧି ସହ ଅପରାଧର ହାର ମଧ୍ୟ ବୃଦ୍ଧି ପାଇଛି। ଏହି ବିସ୍ତୀର୍ଣ୍ଣ ଅଞ୍ଚଳର ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା ପାଇଁ କେନ୍ଦୁଆପଦା ଫାଣ୍ଡିକୁ ମଧ୍ୟ ଥାନାରେ ପରିଣତ କରାଯିବାର ଆବଶ୍ୟକତା ରହିଛି। ଓଡ଼ିଶା ସରକାରଙ୍କ ଗୃହ ବିଭାଗ ପକ୍ଷରୁ ସଦ୍ୟ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ବାସୁଦେବପୁର ଠାରେ ନୂଆକରି ସୃଷ୍ଟି ହୋଇଥିବା ଭଦ୍ରକର ଦ୍ୱିତୀୟ ପୁଲିସ ସବ୍‌ଡିଭିଜନ ଅଧିନରେ ରଖା ଯାଇଥିବାରୁ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରୁ ବାସୁଦେବପୁର ପ୍ରାୟ ୬୦ କି.ମି.ରୁ ଅଧିକ ଦୂର ହେଉଛି। ତେଣୁ ଆବଶ୍ୟକ ବେଳେ ବାସୁଦେବପୁର ଠାରେ କାର୍ଯ୍ୟକାରୀ ହେବାକୁ ଥିବା ଭଦ୍ରକ ସଦର ପୁଲିସ ସବ୍ ଡିଭିଜନ୍ ଅଧିକାରୀ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ ପହଞ୍ଚିବାକୁ ଦୀର୍ଘ ସମୟ ଲାଗିବା ସହ ସ୍ଥାନୀୟ ଲୋକେ ଆବଶ୍ୟକ ବେଳେ ସଂପୃକ୍ତ ଅଧିକାରୀଙ୍କୁ ବାସୁଦେବପୁରଠାରେ ଭେଟିବା ବ୍ୟୟ ଓ ସମୟ ସାପେକ୍ଷ। ଏଣୁ ଭଦ୍ରକ ଗ୍ରାମାଞ୍ଚଳ ଥାନାକୁ ଭଦ୍ରକ ସହରାଞ୍ଚଳ ପୁଲିସ ସବ୍ ଡିଭିଜନ ଅଧିନରେ ରଖାଯିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି। ଆଜି ଏ ସଂକ୍ରାନ୍ତୀୟ ଏକ ଦାବିପତ୍ର ଶ୍ରୀଯୁକ୍ତ ଧଳଙ୍କ ନେତୃତ୍ୱରେ ପ୍ରକାଶ ମହାପାତ୍ର, ନବ କିଶୋର ବଳ, ଜିଲ୍ଳା ସମ୍ପାଦିକା ତପସ୍ୱିନୀ ମହାପାତ୍ର, ଜିତେନ୍ଦ୍ର ନାୟକ, ସ୍ୱରାଜ ମହାପାତ୍ର, ପ୍ରଦ୍ୟୁମ୍ନ ସେନାପତି, ଶଙ୍କର୍ଷଣ ଜେନା, ତପନ ବାରିକ, ବନମାଳୀ ଜେନା, ରାଜୀବ ଲୋଚନ ସାହୁ, ଶିବାନନ୍ଦ ସାହୁ, ଅନ୍ତର୍ଯାମୀ ସାହୁ ପ୍ରମୁଖ ଜିଲ୍ଳାପାଳ ଡ. ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କୁ ଭେଟି ଆଲୋଚନା କରିବା ସହିତ ପୁଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଜତିନ ପଣ୍ଡାଙ୍କୁ ପ୍ରଦାନ କରିଥିଲେ।