Odiapua.com

ରାଜଧାନୀ ବାସୀ ତାଙ୍କ ପ୍ରତି ହୋଇଥିବା ଅବହେଳାର ଜବାବ ଦେବେ:ବିଜେପି

ଦୀର୍ଘ ବର୍ଷ ଧରି ଶାସକ ଦଳର ନେତାମାନେ ରାଜଧାନୀରେ କ୍ଷମତା ରହିବା ସତ୍ୱେ ବି ସମସ୍ୟାରେ ଜର୍ଜରିତ ହେଉଛନ୍ତି ରାଜଧାନୀ ବାସୀ
– ବର୍ଷା ଦିନେ କୃତ୍ରିମ ବନ୍ୟା, ବର୍ଷ ତମାମ ଟ୍ରାଫିକ ସମସ୍ୟା, ଆତତାୟୀ ଏବଂ ଚୋର ଲୁଟେରାଙ୍କ ଆତଙ୍କରାଜ, ପାନୀୟ ଜଳ ସମସ୍ୟା, ରସ୍ତାଘାଟ, ବିଜୁଳୀ ଆଦି ବିଭିନ୍ନ ସମସ୍ୟାରେ ରାଜଧାନୀ ବାସିନ୍ଦା ଅଣନିଶ୍ୱାସୀ ହୋଇ ପଡିଲେଣି
– ଡ୍ରେନେଜର ସୁବିଧା ନଥିବାରୁ ଅସରାଏ ବର୍ଷରେ ରାଜରାସ୍ତା ଉପରେ ଗାଡି ଭାଷୁଛି। ଘରେ ପାଣି ପଶିଯିବାରୁ ରାଜଧାନୀବାସିନ୍ଦାଙ୍କ ଲକ୍ଷ ଲକ୍ଷ ଟଙ୍କାର ସଂପତି ନଷ୍ଟ ହେଉଛି।
– ଭୁବନେଶ୍ୱରରେ ସାଂସଦ, ବିଧାୟକ, ବିଏମସି ମେୟର ସମସ୍ତେ ବିଜେଡିର ହୋଇଥିବାବେଳେ ରାଜଧାନୀର ସମସ୍ୟା ସମାଧାନ ହୋଇପାରୁନାହିଁ
– ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ କେନ୍ଦ୍ର ସରକାର ୧୯୮ କୋଟି ଦେବା ପରେ ବି ହୋଇପାରିଲାନି ସ୍ମାର୍ଟ ସିଟି କାମ
– ଅମୃତ ଯୋଜନାରେ ଆସିଥିବା କେନ୍ଦ୍ରୀୟ ଅର୍ଥକୁ ଚଳୁ କରିଦେଲେ ଶାସକ ଦଳର ନେତା
– ଜାଇକା ପ୍ରୋକ୍ଟେଜର କାର୍ଯ୍ୟ ବି ସରିଲା ନାହିଁ। ପାର୍କ, ରାସ୍ତା, ଷ୍ଟିଟ ଲାଇଟ, ସହରର ଆଧୁନିକରଣ ପାଇଁ ଆସିଥିବା ଅର୍ଥ ପିସି କାରବାରରେ ରହିଗଲା ଅଫିସର ବାବୁ ଏବଂ ଶାସକ ଦଳର ନେତାମାନଙ୍କ ପକେଟରେ

ଭୁବନେଶ୍ୱର, ୨୧/୦୪ (ଓଡ଼ିଆ ପୁଅ) : ଦୀର୍ଘ ବର୍ଷ ଧରି ଶାସକ ବିଜେଡି ଦଳର ନେତାମାନେ ରାଜଧାନୀରେ ଶାସନ କରିବା ପରେ ବି ରାଜଧାନୀ ବାସୀଙ୍କ ସମସ୍ୟା ସୁଧୁରିଲାନି। ବର୍ଷା ଦିନେ କୃତ୍ରିମ ବନ୍ୟା, ବର୍ଷ ତମାମ ଟ୍ରାଫିକ ସମସ୍ୟା, ଆତତାୟୀ ଏବଂ ଚୋର ଲୁଟେରାଙ୍କ ଆତଙ୍କରାଜ, ପାନୀୟ ଜଳ ସମସ୍ୟା, ରସ୍ତାଘାଟ, ବିଜୁଳୀ ଆଦି ବିଭିନ୍ନ ସମସ୍ୟାରେ ରାଜଧାନୀ ବାସିନ୍ଦା ଅଣନିଶ୍ୱାସୀ ହୋଇ ପଡିଲେଣି। ରାଜଧାନୀର ଥିବା ସରକାରୀ ମେଡିକାଲ ମାନଙ୍କରେ ଡାକ୍ତର ନାହାଁନ୍ତି। ସେହିପରି ସରକାରୀ ସ୍କୁଲରେ ଶିକ୍ଷକ ଅଭାବ କାରଣରୁ ଛାତ୍ରଛାତ୍ରୀମାନଙ୍କ ଜୀବନ ଅନ୍ଧାର ଘେରକୁ ଚାଲିଗଲାଣି। ଡ୍ରେନେଜର ସୁବିଧା ନଥିବାରୁ ଅସରାଏ ବର୍ଷରେ ରାଜରାସ୍ତା ଉପରେ ଗାଡି ଭାଷୁଛି। ଘରେ ପାଣି ପଶିଯିବାରୁ ରାଜଧାନୀବାସିନ୍ଦାଙ୍କ ଲକ୍ଷ ଲକ୍ଷ ଟଙ୍କାର ସଂପତି ନଷ୍ଟ ହେଉଛି। ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ, ସଂସଦ, ବିଧାୟକ, ବିଏମସି ମେୟରଙ୍କ ସମେତ ରାଜ୍ୟର ସମସ୍ତ ବିଧାୟକ ଏବଂ ମନ୍ତ୍ରୀ ରହୁଥିବା ସମୟରେ ରାଜଧାନୀର ସମସ୍ୟା ସମାଧାନ ହୋଇପାରୁନାହିଁ। ସେହପରି ଦୀର୍ଘ ବର୍ଷ ଧରି ମେୟର ଦାୟୀତ୍ୱରେ ଥିବା ବିଜେଡି ନେତା ଅନନ୍ତ ନାରାୟଣ ଜେନା ରାଜଧାନୀର ବିକାଶ କରିପାରିନଥିବାବେଳେ ଏବେ ବିଧାୟକ ଭାବେ ବିଜେଡି ତାଙ୍କୁ ପ୍ରାର୍ଥୀ କରି ସବୁ ସମସ୍ୟାର ସମାଧାନ ହେବ କହିବା କେବଳ ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ରାଜ୍ୟ ବିଜେପି ଗଣମାଧ୍ୟ ବିଭାଗ ମୁଖ୍ୟ ଓ ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାପାତ୍ର, ଭୁବନେଶ୍ୱର ସମସ୍ୟାକୁ ନେଇ ଏକ ଭିଡିଓ ପ୍ରଦର୍ଶିତ କରିବା ସହ ରାଜଧାନୀର ସମସ୍ୟାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ରାଜଧାନୀରେ ମହିଳାମାନେ ସୁରକ୍ଷିତ ନାହାଁନ୍ତି। ଏପରିକି ସାଧାରଣ ଲୋକଙ୍କୁ ସୁରକ୍ଷା ଦେବାର କାର୍ଯ୍ୟ କରୁଥିବା ପୋଲିସ ବି ଏଠି ସୁରକ୍ଷିତ ନାହଁନ୍ତି। ଶାସକ ଦଳର ଗୁଣ୍ଡାମାନେ ଭୁବନେଶ୍ୱର ପ୍ରାଣକେନ୍ଦ୍ର କୁହାଯାଉଥିବା ସହିଦ ନଗର ଥାନା ଭିତିରେ ପଶି ପୋଲିସଙ୍କୁ ମରଣାନ୍ତକ ଆକ୍ରମଣ କରିବା ଏହାର ନଗ୍ନ ଉଦାହରଣ।

ଭୁବନେଶ୍ୱର ସ୍ମାର୍ଟ ସିଟି ପାଇଁ କେନ୍ଦ୍ର ସରକାର ୧୯୮ କୋଟି ଦେବା ପରେ ବି ଆଜି ପର୍ଯ୍ୟନ୍ତ ସ୍ମାର୍ଟ ସିଟି ଭଳି କାର୍ଯ୍ୟ ରାଜଧାନୀରେ ହୋଇପାରିଲା ନାହିଁ। ଅମୃତ ଯୋଜନାରେ ଆସିଥିବା କେନ୍ଦ୍ରୀୟ ଅର୍ଥକୁ ଚଳୁ କରିଦେଲେ ଶାସକ ଦଳର ନେତା। ଜାଇକା ପ୍ରୋକ୍ଟେଜର କାର୍ଯ୍ୟ ବି ସରିଲା ନାହିଁ। ପାର୍କ, ରାସ୍ତା, ଷ୍ଟିଟ ଲାଇଟ, ସହରର ଆଧୁନିକରଣ ପାଇଁ ଆସିଥିବା ଅର୍ଥ ପିସି କାରବାର କରି ଅଫିସର ବାବୁ ଏବଂ ଶାସକ ଦଳର ନେତାମାନଙ୍କ ପକେଟରେ ରହିଗଲା। ବିଶ୍ୱକପ ପାଇଁ ସାମୟିକ ଭାବେ ଲଗାଯାଇଥିବା ଗଛ ଆଜି ଦେଖିବାକୁ ମିଳୁନି। ସେହିପରି ମୋ ସାଇକେଲ ଯୋଜନା ସଂପୂର୍ଣ୍ଣଭାବେ ଫେଲ ମାରିଛି। ଚାଲିବା ଏବଂ ସାଇକେଲ ଚଲାଇବା ପାଇଁ ବିଭିନ୍ନ ରଙ୍ଗରେ ଟ୍ରାକ କଟାଯାଇଥିଲେ ମଧ୍ୟ ତାହା ଆଜି ଲିଭିଗଲାଣି। ସାଇକେଲ ସବୁ ଖରାରେ ଖତ ଖାଉଛି। ମ୍ୟୁନିସିପାଲିଟିର ତୃଟ୍ର୍ ିପୂର୍ଣ୍ଣ ନିଷ୍ପତି ଯୋଗୁଁ ଆଜି ରାଜଧାନୀରୁ ପାଣି ନିଷ୍କାସନ ହୋଇ ପାରୁନାହିଁ। ସେହିପରି ପୂର୍ବତନ ମେୟର ପିସି ସରକାରର ସର୍ଦ୍ଦାର ଏବେ ବିଜେଡି ଦଳର ବିଧାୟକ ପ୍ରାର୍ଥୀ ହୋଇଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

କେବଳ ଭୁବନେଶ୍ୱର ନୁହେଁ ସାରା ରାଜ୍ୟରେ ପିସି ସରକାର ଚାଲିଛି। ୨୦ ହଜାର ଟଙ୍କା ଲାଂଚ ନଦେବା କାରଣରୁ ପ୍ରଧାନମମନ୍ତ୍ରୀ ଆବାସ ଯୋଜନାରୁ ବଂଚିତ ହୋଇ ନିରାକାରପୁରରେ ଲକ୍ଷ୍ମୀକାନ୍ତ ବେହେରା ଆତ୍ମହତ୍ୟା କରିବା ସରକାରର ପରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି। ତଳଠୁ ଉପର ଯାଏ ପିସି କାରବାର ଚାଲିଛି। ଆଗାମୀ ଦିନରେ ଏଭଳି ଲୁଟେରା ସରକାର ଏବଂ ପିସି ସରକାରକୁ ପରିବର୍ତ୍ତନ କରି ବିକାଶର ଧାରାରେ ସାମିଲ ହେବାକୁ ଶ୍ରୀ ମହାପାତ୍ର ଆହ୍ୱାନ ଦେଇଛନ୍ତି।