Odiapua.com

ରାଘବପୁରରେ ବଧୂହତ୍ୟା ଅଭିଯୋଗ, ସ୍ୱାମୀ ଅଟକ

ହାଟଡ଼ିହି-୧୪/୪, ନନ୍ଦିପଦା ଥାନା ଅଧିନସ୍ଥ ରାଘବପୁରରେ ଜଣେ ବଧୂକୁ ସ୍ୱାମୀ, ଯାଆ ଓ ଦିଅର ପ୍ରମୁଖ ମିଶିକରି ମାରିଦେଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାଇ ରାଘବପୁର ଗ୍ରାମର ବିଚିତ୍ର ରାଉତ ଯାଜପୁର ଜିଲ୍ଲା କୋରେଇ ଥାନା ଅସଞ୍ଜର ଗ୍ରାମର ପୁରସ୍ତମ ଜେନାଙ୍କ ଝିଅ ସଞ୍ଜୁଲତାକୁ ଗତ ୧୫ବର୍ଷ ପୁର୍ବେ ଦ୍ୱିତୀୟ ବିବାହ କରିଥିଲା । ବିବାହ ପରେ ଅନେକ ସମୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ପାରିବାରିକ ଝଗଡା ଲାଗି ରହୁଥିଲା । ଗତକାଲି ଘରେ ଝଗଡା ଲାଗିବା ସହ ସେମାନେ ସଞ୍ଜୁଲତାକୁ ମାରିଦେବାକୁ ଧମକ ଚମକ ଦେଉଥିବା ନେଇ ସଞ୍ଜୁ ତାର ବଡ ଭଉଣୀକୁ ଫୋନ କରି ଜଣାଇଥିଲା । କିନ୍ତୁ ବାପଘର ଲୋକମାନେ ପହଞ୍ଚିବା ପୁର୍ବରୁ ସଞ୍ଜୁର ମୃତ୍ୟୁ ହୋଇସାରିଥିଲା । ଆଜି ତାର ମୃତଦେହ ରୋଷେଇଘରୁ ଝୁଲନ୍ତା ଅବସ୍ଥାରେ ଦେଖିବାକୁ ମିଳିଥିଲା । ସଞ୍ଜୁର ମୁଣ୍ଡ ଓ ଶରୀର ଅନ୍ୟ ସ୍ଥାନରେ ଥିବା କ୍ଷତକୁ ଦେଖିବାପରେ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଝିଅର ବାପଘର ଲୋକେ ନନ୍ଦିପଦା ଥାନାରେ ଅଭିଯୋଗ କରିଛନ୍ତି । ସ୍ୱାମୀ, ଯାଆ ଓ ଦିଅର ଏମାନେ ମିଳିମିଶି ସଞ୍ଜୁକୁ ହତ୍ୟା କରିଛନ୍ତି ବୋଲି ଝିଅର ବାପା ପୁରସ୍ତମ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବାପରେ ନନ୍ଦିପଦା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବଦକରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଡାକ୍ତରଖାନାକୁ ପଠାଇଛି । ସଞ୍ଜୁର ସ୍ୱାମୀ ବିଚିତ୍ରକୁ ପୁଲିସ ଅଟକ ରଖି ଅଧିକ ତଦନ୍ତ ଚଳାଇଛି ।