Odiapua.com

ରାଉରକେଲାରେ ରଜ ସଂକ୍ରାନ୍ତି ପାଳିତ

ରାଉରକେଲା ୧୫-୬ (ଓଡ଼ିଆ ପୁଅ/ସୁବୋଧ ନାୟକ) : ଆଜି ପବିତ୍ର ରଜ ସଂକ୍ରାନ୍ତି। ତିନି ଦିନ ଧରି ରାଜ୍ୟର ପୁରପଲ୍ଲୀରେ ପାଳିତ ହେଉଥିବା ଏହି ଗଣ ପର୍ବର ଆଜି ଦ୍ୱିତୀୟ ଦିନ। କୁଆଁରୀ ଝିଅଠାରୁ ଆରମ୍ଭ କରି ମହିଳାମାନେ ଆଡ଼ମ୍ବରର ସହିତ ପାଳନ କରୁଛନ୍ତି। ରଜକୁ ନେଇ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ। ବନ୍ଧୁବାନ୍ଧବରେ ଘରଦ୍ୱାର ପୁରି ଉଠିଛି। ଘରେ ଘରେ ଏବେ ପୋଡ ପିଠାର ମହକ। ପୋଡ ପିଠା, ନଡିଆ କୋରାଠୁ ଆରମ୍ଭ କରି ଜନ୍ତା ପିଠାର ମହକରେ ଫାଟି ପଡୁଛି ଗାଁ ଦାଣ୍ଡ। ରଜ ପାଳିବାକୁ ହାତରେ ମେହେନ୍ଦି, ଗୋଡରେ ଅଳତା ସହ ମୁଣ୍ଡରେ କୁଙ୍କୁମ ଲଗାଇ ସଜେଇ ହେଉଛନ୍ତି ଯୁବତୀ। ରଜକୁ ନେଇ ପିଲାଠୁ ବୁଢା ଯାଏଁ ସମସ୍ତେ ଲାଗିପଡିଛନ୍ତି। ରଜ ଦୋଳି ଖେଳ ବିନା ରଜ ଅଧୁରା। ବିଭିନ୍ନ ଦୋଳି ଖେଳରେ ଏବେ ସମସ୍ତେ ମସଗୁଲ। କେବଳ ସେତିକି ନୁହେଁ ଲୁଡୁ ସହ ତାସ୍ ଖେଳ ବି ଜମିଲାଣି। ହେଲେ ଏସବୁ ଭିତରେ ସବୁଠୁ ବେଶି ଚାହିଦାର ଜିନିଷ ହେଉଛି ରଜପାନ। ଗାଁ ଗହଳିରେ ପୁଚି ଓ ଦୋଳିଖେଳରେ ସମସ୍ତେ ମାତିଛନ୍ତି। ବିଭିନ୍ନ ସାଂସ୍କୃତିକ ଓ ସାମାଜିକ ସଙ୍ଗଠନ ପକ୍ଷରୁ ବି ରଜ ପାଳନ କରାଯାଇଛି।

ଏହି ପର୍ବ ପାଳନ ବେଳରେ ଘରର ଘରଣୀମାନେ ସାଧାରଣ କାମରୁ ଛୁଟି ନେଇ ନାନାଦି ଖେଳରେ ମାତନ୍ତି।ରଜ ଓଡ଼ିଶାର ଏକ ପାରମ୍ପାରିକ ପର୍ବ ଓ ରାଜ୍ୟର ଗଣପର୍ବ। ଏହା ତିନିଦିନ ଧରି ପାଳନ କରାଯାଇଥାଏ। ପ୍ରଥମ ଦିନକୁ ପହିଲି ରଜ କୁହାଯାଇଥାଏ। ଏହା ଚାଷର ଆରମ୍ଭକୁ ସୂଚାଇଥାଏ। ରଜ ଶବ୍ଦର ଆକ୍ଷରିକ ଅର୍ଥ ରଜବତୀ ହେବା, ଯାହା ପୃଥିବୀକୁ ମାତା ଭାବରେ ବିବେଚନା କରି ବର୍ଷାର ଆଗମନରେ ସେ ରଜସ୍ୱଳା ହେବାର ଓ ନୂଆ ଶସ୍ୟ ଜନ୍ମ ହେବାର ସାଙ୍କେତିକ ଭାବ ବହନ କରିଥାଏ। କୁହାଯାଏ କି ଏହି ଦିନରେ ଧରତ୍ରୀମାତା ରଜସ୍ୱଳା ହୋଇଥାଏ। ସେଥିପାଇଁ ତିନି ଦିନ ପୃଥୀବୀ କିଛି କଷ୍ଟ ଦିଆଯାଏ ନାହିଁ। ସେଥିପାଇଁ ଭୂ ଖନନ କାର୍ଯ୍ୟ ମଧ୍ୟ କରାଯାଏ ନାହିଁ। ଏହି ତିନି ଦିନରେ ଚାଷୀମାନେ ବସୁମତୀ ତଥା ହଳଲଙ୍ଗଳ ପୂଜନ କରିବା ସହ ଚାଷ କାମରୁ ତିନି ଦିନ ପାଇଁ ବିରତି ନେଇଥାନ୍ତି। ସହରରେ ଗାଁ ଭଳି ମଜା ନେବାକୁ ରାଉରକେଲାର ପାନ୍ଥ ନିବାସ ଓ ବହୁ ଜାଗାରେ ଶତାଧିକ ଦୋଳି ଲଗା ହୋଇଛି। ଏହା ସହିତ ସେଠାରେ ବିଭିନ୍ନ ପିଠା ପଣା ବିକ୍ରି କରାଯିବା ସହିତ ଅନ୍ୟାନ୍ୟ ଖେଳର ଆସର ମଧ୍ୟ ଜମୁଛି। ଏହାର ବେଶ ମଜା ଉଠାଉଛନ୍ତି ରାଉରକେଲା ବାସିନ୍ଦା।