Odiapua.com

ରାଉରକେଲାରୁ ଚିହ୍ନଟ ତିନି ଆକ୍ରାନ୍ତଙ୍କ ବିଷୟରେ ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ

ଭୁବନେଶ୍ଵର ୨୬-୪ (ଓଡ଼ିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) : ଆଜି ସକାଳେ ସୁନ୍ଦରଗଡ ଜିଲାର ରାଉରକେଲାରୁ ଚିହ୍ନଟ ହୋଇଛନ୍ତି ୩ ନୂଆ କରୋନା ଆକ୍ରାନ୍ତ। ସ୍ୟାସ୍ଥ୍ୟ ବିଭାଗ ସୂଚନାଅନୁୟାୟୀ ଏମାନଙ୍କ ବୟସ ୨୩ ବର୍ଷ ପୁରୁଷ, ୬୦ ବର୍ଷ ପୁରୁଷ ଏବଂ ୭ ବର୍ଷିୟ ମହିଳା। ସେହିଭଳି ପଜିଟିଭ୍‌ମାନଙ୍କ ମଧ୍ୟରୁ ଦୁଇଜଣ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ସ୍ପଷ୍ଟ କରାଯାଇଥିବାବେଳେ ଅନ୍ୟ ଜଣେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସନ୍ଦେହ କରାଯାଉଛି। ଆଜି ଚିହ୍ନଟ ହୋଇଥିବା ୩ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ବିଶ୍ରା ଗୁଡ଼ଗୁଡ଼ଜୋର ଓ ଅନ୍ୟ ଜଣେ ରାଉରକେଲା ନାଲା ରୋଡର ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ପୂର୍ବରୁ ସୁନ୍ଦରଗଡ଼ ଜିଲାରେ ୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ପ୍ରଥମେ ୨ଜଣ ସୁସ୍ଥ ହୋଇଥିବା ବେଳେ ଶନିବାର ଅନ୍ୟ ଜଣେ ସୁସ୍ଥ ହୋଇଥିଲେ। ଯାହା ଫଳରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୁନ୍ଦରଗଡ ଜିଲାକୁ କରୋନା ମୁକ୍ତ ଘୋଷଣା କରିଥିଲା। କିନ୍ତୁ ୨୪ ଘଣ୍ଟା ନପୁରୁଣୁ ପୁଣି ଏବେ ୩ଟି ପଜିଟିଭ୍‌ ଚିହ୍ନଟ ହେବା ପରେ ଜିଲାବାସୀଙ୍କୁ ଚିନ୍ତିତ କରିଛି। ବର୍ତ୍ତମାନ ଜିଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଥିବା ବେଳେ ସକ୍ରିୟ ପଜିଟିଭ୍‌ଙ୍କ ସଂଖ୍ୟା ୩ ରହିଛି ଏବଂ ୩ ସୁସ୍ଥ ହୋଇଛନ୍ତି। ଏବେ ଓଡ଼ିଶାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ ହୋଇଥିବା ବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୬୮ ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୩୪ ଜଣ। ଜଣଙ୍କର ମୃତ୍ୟୁ ହୋଇଛି।