Odiapua.com

ରାଇରଙ୍ଗପୁର ମହାବିଦ୍ୟାଳୟ ଛାତ୍ରୀ ନିବାସରୁ ଅଧ୍ୟାପିକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଦୁଷ୍କର୍ମକୁ ନେଇ ମାନସିକ ଚାପରେ ଆତ୍ମହତ୍ୟା

ମୟୁରଭଞ୍ଜ, ତା ୦୧ ଡିସେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ) ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ରାଇରଙ୍ଗପୁର ମହାବିଦ୍ୟାଳୟର ଛାତ୍ରୀ ନିବାସରୁ ଅଧ୍ୟାପିକାଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ଖବର ଅନୁଯାୟୀ ମୃତ ଅଧ୍ୟାପିକା ଜଣଙ୍କ ମୟୁରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ପାଣ୍ଡରା ଗ୍ରାମର, ସେ ରାଇରଙ୍ଗପୁର ମହାବିଦ୍ୟାଳୟର କଣ୍ଟ୍ରାକଚୁଆଲ ଫିଜିକ୍ସ ଅଧ୍ୟାପିକା ବୋଲି ଜଣାପଡିଛି। ଗତ ଶନିବାର ରାତି ପ୍ରାୟ ୮ଘଟିକା ୩୦ମିନିଟ୍ ସମୟରେ ରାଇରଙ୍ଗପୁର ମହାବିଦ୍ୟାଳୟ ପରିସର ମଧ୍ୟରେ ଥିବା ଛାତ୍ରୀ ନିବାସର ରୁମ ନମ୍ବର ୮ରେ ଅଧ୍ୟାପିକା ରୁକ୍ମଣୀ ମଣ୍ଡଳ ବେକରେ ପ୍ଲାଷ୍ଟିକ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଧ୍ୟାପିକା ସନ୍ଧ୍ୟା ସମୟରେ ଘର ଭିତର ପଟରୁ କବାଟ ବନ୍ଦ କରିଦେଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ରାତ୍ରୀ ଭୋଜନ ନିମନ୍ତେ ଛାତ୍ରୀ ନିବାସର ମେଟ୍ରୋନ ତାଙ୍କୁ ଖାଇବା ପାଇଁ ଡାକିଥିଲେ। ହେଲେ କବାଟ ନଖୋଲିବା ସହ ଭିତର ପଟୁ କୌଣସି ଶବ୍ଦ ନଶୁଣିବାକୁ ପାଇ ମେଟ୍ରୋନ ଓ କିଛି ଛାତ୍ରୀମାନେ ମିଶି କବାଟକୁ ଧକ୍କା ଦେଇ ଖୋଲିଥିଲେ। ସେତେବେଳକୁ ଅଧ୍ୟାପିକା ରୁକ୍ମଣୀଙ୍କ ମୃତ ଦେହ ପ୍ଲାଷ୍ଟିକ ରସି ସାହାଯ୍ୟରେ ଝୁଲୁଥିବାର ଦେଖିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ କଲେଜ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ଖବର ପାଇ କଲେଜ୍ କର୍ତ୍ତୃପକ୍ଷ ଘଟଣା ସମ୍ପର୍କରେ ଜାଣିବା ପରେ ରାଇରଙ୍ଗପୁର ଟାଉନ ଥାନାକୁ ଖବର ଦେଇଥିଲେ। ଖବର ପାଇ ଟାଉନ ଥାନା ଅଧିକାରୀ ଓ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ଦେହକୁ ଉଦ୍ଧାର କରି ଘଟଣାର ସତ୍ୟତା ଜାଣିବା ପାଇଁ ତଦନ୍ତ ଆରମ୍ଭ କରିଛି। ତେବେ ଅଧ୍ୟାପିକା ଜଣଙ୍କ କୈାଣସି କାରଣରୁ ଆତ୍ମହତ୍ୟା କରିଥିବାର ପୋଲିସ ସନ୍ଦେହ କରିଛି। ଘଟଣା ପରେ ଜଣେ କର୍ତ୍ତବ୍ୟରତ ଅଧ୍ୟାପିକା କେଉଁ କାରଣରୁ ଆତ୍ମହତ୍ୟା କଲେ ତାହାକୁ ନେଇ ଜନସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ଗତ କାଳୀପୂଜା ସମୟରେ ଅଧ୍ୟାପିକା ଜଣଙ୍କ ନିଜ ସମ୍ପକୀୟ ଘର କେନ୍ଦୁଝରକୁ ଯାଇଥିଲେ। ସେଠାରେ ତାଙ୍କୁ ଭାଉଜଙ୍କ ଭାଇ ଦୁଷ୍କର୍ମ କରିଥିବା ଘଟଣାକୁ ନେଇ ଝାରପୋଖରିଆ ଥାନାରେ ଅଭିଯୋଗ କରିଥିଲେ। ଉକ୍ତ ଘଟଣା ପରେ ସେ ସେଠାରୁ ନ୍ୟାୟ ନପାଇ ମାନସିକ ଚାପରେ ରହୁଥିବାର ସୂଚନା ମିଳିଛି। ଘଟଣା ପରେ ଝାରପଖରିଆ ଥାନା ଅଧିକାରୀ ଶରତ ମହାଳିକଙ୍କୁ ଆରଖି ଅଧିକ୍ଷକଙ୍କ ନିଜ କାର୍ଯ୍ୟାଳୟକୁ ବଦଳି କରିନେଇଥିଲେ। ଏଥିସହ କେସର ଭାର ନେଇଥିବା ପ୍ରଶାନ୍ତ ସ୍ବାଇଁ ସସପେଣ୍ଡ ହୋଇଥିବା ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ସୌମ୍ୟରଞ୍ଜନ ସାହୁଙ୍କୁ ପୋଲିସ କଟକ ସିବିରୁ ଗିରଫ କରିଥିବାର ଜଣାପଡ଼ିଛି।