Odiapua.com

ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା : ଘଟଣା ରହସ୍ୟ ଘେରରେ

ଭଦ୍ରକ, ୨୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବନ୍ତ ବ୍ଲକ୍‌ର ଦେବତାଗଡିଆ ଗ୍ରାମରେ ଜନୈକ ବିଧବା ମହିଳା ଆଜି ରଶି ଲଗାଇ ଆତ୍ମହତ୍ୟା କରିଥିବା ଭଳି ଅଭାବନୀୟ ଘଟଣା ଘଟିଛି । ଘଟଣାରୁ ପ୍ରକାଶ, ଟିଲୋ ପଂଚାୟତର ଦେବତାଗଡିଆ ଗ୍ରାମର ରାମମନ୍ଦିର ନିକଟସ୍ଥ ଲକ୍ଷ୍ମୀଧର ସାହୁଙ୍କ ବୋହୂ ସ୍ୱପ୍ନାରାଣୀ ସାହୁ (୩୩) ରଶି ଲଗାଇ ଆତ୍ମହତ୍ୟା କରିଥିବାର ସନ୍ଦେହ କରାଯାଉଛି । ଘଟଣା ଅନୁଯାୟୀ ମୃତକଙ୍କ ୯ମ ଓ ୧୦ ଶ୍ରେଣୀରେ ପଢୁଥିବା ୨ ଝିଅ ଦୀର୍ଘ ସମୟ ଧରି ମା’ଙ୍କୁ ଖୋଜି ନପାଇବାରୁ ବ୍ୟସ୍ତ ହୋଇ ଗ୍ରାମର ସାହିପଡିଶା ଘର ଖୋଜିବା ସହିତ ନିଜର ଏକ ପୁରୁଣା ଆଜବେଷ୍ଟସ୍ ଘରେ ଅପରାହ୍ନ ପ୍ରାୟଃ ୪ଟାବେଳେ ରଶିରେ ଝୁଲୁଥିବା ଅବସ୍ଥାରେ ଦେଖି କାନ୍ଦ ବୋବାଳି ଆରମ୍ଭ କରିବା ସହିତ କାଳେ ବଂଚିଯିବ ଭାବି ଭାଇ ଘରିଆ ଲୋକଙ୍କ ସାହାଯ୍ୟରେ ରଶିରୁ କାଟି ତଳକୁ ଆଣିଥିଲେ ମଧ୍ୟ ସେ ଆଉ ଜୀବନରେ ନଥିଲେ । ପରେ ପରିବାର ଲୋକ ଜାଣିବା ସଂଗେ ସଂଗେ ସାହିପଡିଶା ଓ ଗ୍ରାମବାସୀ ଭିଡ ଜମାଇଥିଲେ ମଧ୍ୟ ଭିତରକୁ କାହାରିକୁ ଛାଡିନଥିଲେ । ବିଶେଷସୂତ୍ରରୁ ଖବର ପାଇ ବନ୍ତ ଥାନାଧିକାରିଣୀ ମୀନା ବିନ୍ଧାଣି ଓ ଷ୍ଟାଫ୍ ଯାଇ ଘଟଣା ସ୍ଥଳରେ ପହଞ୍ôଚ ଶବକୁ ଜବତ କରି ରାତି ହୋଇଯିବା ହେତୁ ଗ୍ରାମବାସୀଙ୍କ ହେପାଜତରେ ରଖିବା ସହିତ ସକାଳେ ପୋଷ୍ଟମର୍ଟମ୍ ପାଇଁ ପଠାଯିବାର ବନ୍ଦୋବସ୍ତ କରାଯିବା ଏବଂ ଏ ସଂପର୍କରେ ତୁରନ୍ତ ଥାନାରେ ଅଭିଯୋଗ ଦାଖଲ କରିବାକୁ କହିବା ସହିତ ଗ୍ରାମବାସୀ ଓ ଘରଲୋକଙ୍କୁ ପଚରା ଉଚରା କରିଥିଲେ । ପୁଲିସ୍ ପହଞ୍ôଚବାର କିଛି ସମୟ ପୂର୍ବରୁ ମୃତକର ପରିବାର ବର୍ଗ ସୁକିନ୍ଦାରୁ ଆସି ତାଙ୍କ ଝିଅକୁ ମାରି ଦିଆଯାଇଛି ବୋଲି ମୌଖିକ ଅଭିଯୋଗ କରିଥିବାବେଳେ ଗ୍ରାମରେ ଉତ୍ତେଜନା ଲାଗି ରହିଛି ।

 

 

ପ୍ରକାଶ ଥାଉକି ପ୍ରାୟଃ ୭ ବର୍ଷ ତଳେ ମୃତକଙ୍କ ସ୍ୱାମୀ ଧନେଶ୍ୱର ସାହୁ ମଧ୍ୟ ଗ୍ରାମ ନିକଟରେ ଥିବା ପରଦେଶୀ ଗଡିଆ ନିକଟରେ ଏକ ଜାମୁ ଗଛରେ ରଶି ଦେଇ ଆତ୍ମହତ୍ୟା କରିଥିବାର ଗ୍ରାମବାସୀଙ୍କ ଠାରୁ ପ୍ରକାଶ । ଏପରି ଏକ ଅଭାବନୀୟ ଘଟଣା ସଂପୃକ୍ତ ଅଂଚଳରେ ଶୋକର ଛାୟା ଖେଳାଇବା ସହିତ ଚର୍ଚ୍ଚାରେ ରହିଛି । ମୃତକର ବାପଘର ତରଫରୁ ଝିଅକୁ ମାନସିକ ଓ ଶାରୀରିକ ନିର୍ଯ୍ୟାତନା ଦିଆଯାଉଥିଲା ଏବଂ ଆଗରୁ ଅନେକ ଥର ଭଦ୍ରଲୋକ ଡକାଇ ସମାଧାନ କରାଯାଇଥିଲେ ମଧ୍ୟ କିଛି ପରିବର୍ତ୍ତନ ହୋଇନାହିଁ । ଶେଷରେ ଜୀବନରେ ମାରି ଦିଆଯାଇଥିବାର ଅଭିଯୋଗ କରିଥିବାବେଳେ ୨ ଝିଅ ମଧ୍ୟ ୨/୩ ଦିନ ତଳେ ଶ୍ୱଶୁର ଓ ବୋହୂ ମଧ୍ୟରେ ଝଗଡା ହୋଇଥିବାର କହୁଥିବାବେଳେ ଏହି ଆତ୍ମହତ୍ୟା ଘଟଣା ରହସ୍ୟ ମଧ୍ୟକୁ ଟାଣି ହୋଇଆସୁଛି ।