Odiapua.com

ରବି ମିଶ୍ରଙ୍କ ଆତ୍ମାର ସଦଗତି ନିମନ୍ତେ ୟୁନାଇଟେଡ୍ କ୍ଲବ୍‌ର ପ୍ରାଥନା ସଭା

ଭଦ୍ରକ, ୧୯ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୟୁନାଇଟେଡ୍ କ୍ଲବ୍‌ର ବରିଷ୍ଠ ସଦସ୍ୟ ରବି ନାରାୟଣ ମିଶ୍ରଙ୍କ ଦିବଂଗତ ଆତ୍ମାର ସଦ୍‌ଗତି ନିମନ୍ତେ ଏକ ପ୍ରାର୍ଥନା ସଭା ହ୍ୟାପିହୋମ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । କ୍ୟାନସର ପୀଡିତ ସ୍ୱର୍ଗତଃ ମିଶ୍ର ଦୀର୍ଘକାଳ ଅସୁସ୍ଥ ଥିଲେ । ନଭେମ୍ବର ୮ ତାରିଖ ଦିନ ତାଙ୍କର ଦେହବସାନ ଘଟିଥିଲା । ମୃତ୍ୟୁବେଳକୁ ତାଙ୍କୁ ୬୯ ବର୍ଷ ହୋଇଥିଲା । କ୍ଲବ୍ ସଭାପତି ବିଶାଲ ଗୋପାଳ ଲଖାନୀଙ୍କ ଅଧ୍ୟକ୍ଷତା ଓ ପୂର୍ବତନ ସାଧାରଣ ସଂପାଦକ ଆଇନ୍‌ଜୀବୀ ବିଜୟ କୁମାର ଜେନାଙ୍କ ସଂଚାଳନାରେ ଅନୁଷ୍ଠିତ ଏହି ପ୍ରାର୍ଥନା ସଭାରେ ସାଧାରଣ ସଂପାଦକ ନୁର ମହମ୍ମଦ ଖାନ୍ ସ୍ୱର୍ଗତଃ ମିଶ୍ରଙ୍କ ପରିଚୟ ପ୍ରଦାନ କରିଥିଲେ । ପୂର୍ବତନ ବିଧାୟକ ତଥା ଫୁଟବଲ କ୍ରୀଡାବିତ୍ ନରେନ ପଲାଇ, ପୂର୍ବତନ ଉପସଭାପତି ପାର୍ଥସାରଥୀ ଗୁହା ଠାକୁରତା ରାୟ, ଭଦ୍ରକ ଜିଲା କ୍ରିକେଟ ଆସୋସିଏସନ୍ ସଭାପତି ଉପେନ୍ଦ୍ର କୁମାର ବାରିକ, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ପୂର୍ବତନ ଅଧ୍ୟକ୍ଷ ତଥା ଭଦ୍ରକ ଜିଲା ଆଥଲେଟିକ୍ ଆସୋସିଏସନ୍‌ର ସାଧାରଣ ସଂପାଦକ ଧୀରେନ ପଲେଇ, ରାଉରକେଲା ଷ୍ଟିଲର ପୂର୍ବତନ ଭଲିବଲ କ୍ରୀଡାବିତ୍ ହିମାଂଶୁ ଶେଖର ଦାସ, କ୍ରିକେଟ୍ ସଂଗଠକ ତଥା ଅମ୍ପାୟାର ଲକ୍ଷ୍ମୀକାନ୍ତ ଷଡଙ୍ଗୀ ପ୍ରମୁଖ ସ୍ୱର୍ଗତଃ ମିଶ୍ରଙ୍କ ସହ ସେମାନଙ୍କ ବ୍ୟକ୍ତିଗତ ସଂପର୍କର ଅବତାରଣା କରିବା ସହ କ୍ଲବ୍ ପାଇଁ ତାଙ୍କର ଆସକ୍ତି ଓ ଅବଦାନ ସଂପର୍କରେ ବିସ୍ତୃତ ବର୍ଣ୍ଣନା କରିଥିଲେ । କ୍ଲବ୍‌ର ଗୌରବମୟ ଅତୀତ ନିର୍ମାଣରେ ସ୍ୱର୍ଗତଃ ମିଶ୍ରଙ୍କର ପ୍ରଭାବୀ ଭୂମିକା ଥିଲା ବୋଲି ସମସ୍ତେ ସ୍ୱୀକାର କରିବା ସହ ତାଙ୍କ ପ୍ରସ୍ଥାନ କ୍ଲବ୍ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ବତ ରଖିଥିଲେ । ପ୍ରାରମ୍ଭରେ ସଦସ୍ୟମାନେ ସ୍ୱର୍ଗତଃ ମିଶ୍ରଙ୍କ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରିଥିଲେ । ତାଙ୍କ ଆତ୍ମାର ସଦଗତି ନିମନ୍ତେ ଗୀତା ପାଠ ସହ ଦୁଇ ମିନିଟ୍ ପାଇଁ ନୀରବ ପ୍ରାର୍ଥନା ଅନୁଷ୍ଠିତ ହୋଇଥିଲା । କାଳୀପୂଜା ବ୍ୟସ୍ତତା ସତ୍ୱେ ସଦସ୍ୟ ମାନେ ପୂଜ୍ୟପୂଜା ପାଇଁ ଆଗ୍ରହ ପ୍ରଦର୍ଶିତ କରିଥିବାରୁ ସଭା ଶେଷରେ କ୍ଲବ୍‌ର ସହ ସଂପାଦକ ସୁରେଶ ପଲାଇ କୃତଜ୍ଞତା ଜଣାଇଥିଲେ ।