Odiapua.com

ରନ୍ଧନ ଗ୍ୟାସ୍ ମୂଲ୍ୟବୃଦ୍ଧି ପ୍ରତିବାଦରେ ଭଦ୍ରକ ଯୁବ ବିଜେଡି ପକ୍ଷରୁ ଗଣଧାରଣା ଓ ବିକ୍ଷୋଭ

ଭଦ୍ରକ, ୨୨ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରନ୍ଧନ ଗ୍ୟାସ୍‌ର ଅହେତୁକ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ଆଜି ଭଦ୍ରକ ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ପକ୍ଷରୁ ନିର୍ବାଚନମଣ୍ଡଳୀ ସ୍ତରୀୟ ଗଣଧାରଣା ଓ ବିକ୍ଷୋଭ ପ୍ରଦର୍ଶନ ହୋଇଛି । ଭଦ୍ରକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଜୁ ମହିଳା, ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ଭଦ୍ରକ ବ୍ଲକ୍ ଓ ପୌରପାଳିକା କାର୍ଯ୍ୟାଳୟ ସମ୍ମୁଖରେ ଏହି ବିକ୍ଷୋଭ ଓ ଗଣଧାରଣା ଅନୁଷ୍ଠିତ ହୋଇଥିଲା । ରନ୍ଧନ ଗ୍ୟାସ୍ ଆମର ଅତ୍ୟାବଶ୍ୟକୀୟ ସାମଗ୍ରୀ ଅଟେ । କିନ୍ତୁ ଯେଉଁଭଳି ଭାବେ ଏହାର ମୂଲ୍ୟ ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି, ତାହା ସାଧାରଣ ଲୋକଙ୍କ ଚଳିବା ପାଇଁ କଷ୍ଟକର ହୋଇପଡୁଛି । ଏହାର ବୃଦ୍ଧି ଫଳରେ ସାଧାରଣ ଜନତାଟି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛି । ଏଥିପାଇଁ କେନ୍ଦ୍ର ସରକାର ସଂପୂର୍ଣ୍ଣ ଦାୟୀ । ଏଣୁ ଏହାର ହ୍ରାସ ଦିଗରେ କେନ୍ଦ୍ର ସରକାର ନିଷ୍ପତ୍ତି ନନେଲେ ଆଗାମୀ ଦିନରେ ବିଜୁ ଯୁବ, ମହିଳା ଓ ଛାତ୍ର ଜନତା ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନକୁ ବ୍ୟାପକ କରିବେ ବୋଲି ଚେତାବନୀ ଦିଆଯାଇଛି । ଆଜିର ଏହି ବିକ୍ଷୋଭରେ ଭଦ୍ରକ ବିଧାୟକ ସଂଜୀବ କୁମାର ମଲ୍ଲିକ, ଜିଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ୍ ଅଧ୍ୟକ୍ଷ ରଘୁନାଥ ଧଳ, ଜିଲା ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ରାଜ୍ୟ ବିଜୁ ମହିଳା ଜନତା ଦଳର ସାଧାରଣ ସଂପାଦକ ତାହେରା ଖାତୁନ,ମହମ୍ମଦ ଫାରତ ଆଲାମ, ଭଦ୍ରକ ବ୍ଲକ୍ ମହିଳା ସଭାନେତ୍ରୀ ଦେବୀଦତ୍ତା ମହାନ୍ତି, ଭଦ୍ରକ ବ୍ଲକ୍ ଛାତ୍ର ସଭାପତି ଆଶିଷ ଦାସ, ବିଜୁ ଜନତା ଦଳା ରାଜ୍ୟ ଯୁଗ୍ମ ସଂପାଦକ ରାକେଶ ପଣ୍ଡା, ଭଦ୍ରକ ବ୍ଲକ୍ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ, ତାପସ ରାୟ, ସଚ୍ଚିଦାନନ୍ଦ ମହାନ୍ତି, ପ୍ରିୟବ୍ରତ ନାୟକ, ରାଜେନ୍ଦ୍ର ପ୍ରସାଦ ଯେନା ପ୍ରମୁଖ ସାମିଲ ହୋଇଥିଲେ ।