Odiapua.com

ରଥ ନିର୍ମାଣ ପାଇଁ ୪୦ଫୁଟିଆ ୨୦ଖଣ୍ଡ କାଠ ପହଂଚିଲା

ପୁରୀ, ୨୨/୪ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥନିର୍ମାଣ ପାଇଁ ଆଜି ସକାଳେ ୪୦ଫୁଟିଆ ୨୦ଖଣ୍ଡ କାଠ ସପ୍ତମ ପର୍ଯ୍ୟାୟରେ ଆସି ପହଂଚିଛି। ଏହି ୪୦ଫୁଟିଆ ୨୦ଖଣ୍ଡ କାଠ ମଧ୍ୟରେ ଧଉରା ୧୯ଖଣ୍ଡ ଓ ଅସନ ଗୋଟିଏ ରହିଛି। ବର୍ତମାନ ସୁଦ୍ଧା ରଥଖଳାରେ ୨୪୪ଖଣ୍ଡ କାଠ ପହଂଚି ସାରିଛି। ଅବଶିଷ୍ଟ ୧୬୨ଖଣ୍ଡ କାଠ ଖୁବଶୀଘ୍ର ରଥ ଖଳାରେ ପହଂଚିବ ବୋଲି ରଥ ତତ୍ୱାବଧାରକ ସୁଦର୍ଶନ ମେକାପ ପ୍ରକାଶ କରିଛନ୍ତି। ଏହି କାଠରେ ଅଖ, ଗୟଳ ଓ ଦଣ୍ଡ ନିର୍ମାଣ କରାଯିବ ବୋଲି ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି। ଚଳିତବର୍ଷ ଲକଡାଉନ ଥିବାଯୋଗୁଁ ସାମାଜିକ ଦୂରତା ରକ୍ଷାକରି ରଥ ନିର୍ମାଣ କରାଯିବ। ଏଥିନିମନ୍ତେ ରଥ ଚାଳିକୁ ୬୦ଫୁଟ ବଢାଇ ଦିଆଯାଇଛି। ବିଶ୍ୱକର୍ମା ସେବାୟତ ଓ ଭୋଇ ସେର୍ବାତମାନେ ରଥଖଳାରେ ସାମାଜିକ ଦୂରତା ରକ୍ଷାକରି ରଥ ନିର୍ମାଣ କରିବେ। ଆସନ୍ତା ୨୬ ତାରିଖ ପବିତ୍ର ଅକ୍ଷୟତୃତୀୟା ଦିନ ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ କରାଯିବ। ଏଥିନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ସିଂହଦ୍ୱାରଠାରୁ ନରେନ୍ଦ୍ର ପୁଷ୍କରିଣୀ ପର୍ଯ୍ୟନ୍ତ ରାସ୍ତାରେ ବିଭିନ୍ନ ସ୍ଥାନରେ ଛାମୁଣ୍ଡିଆଁ ନିର୍ମାଣ କାର୍ଯ୍ୟମଧ୍ୟ ଆଗେଇ ଚାଲିଛି। ରଥକାଠ ପହଂଚିବା ପରେ ଶ୍ରଦ୍ଧାଳୁମାନଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ଲହରି ଖେଳିଯାଇଛି।