Odiapua.com

ରଥ ଉପରେ ଶ୍ରୀ ଜିଉଙ୍କ ସୁନାବେଶ ନୀତି ସଂପର୍ଣ୍ଣ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ଅଧରପଣାନୀତି

ପୁରୀ, ୨୨/୭ (ଓଡ଼ିଆ ପୁଅ) – ଶ୍ରୀ ମନ୍ଦିରରୁ ଚତୁର୍ଦ୍ଧାମୂର୍ତି ନବଦିନାତ୍ମକ ଯାତ୍ରାରେ ବାହାରି ଆଡପ ମଣ୍ଡପକୁ ବିଜେ କରିଥିଲେ। ଚତୁର୍ଦ୍ଧାମୂର୍ତି ବାହୁଡା ବିଜେ କରି ଶ୍ରୀ ମନ୍ଦିରକୁ ଆସିବା ବାଟରେ ମାଉସୀ ମାଆ ମନ୍ଦିର ନିକଟରେ ପୋଡପିଠା ଭୋଗ, ଶ୍ରୀ ନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ହେବା ପରେ ୩ ଟି ଯାକ ରଥ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା। ଗତକାଲି ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କର ରାଜ୍ ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ଆଜି ରଥାରୂଢ ଚତୁର୍ଦ୍ଧାମୂର୍ତ୍ତିଙ୍କ ଦୈନଦିନ ନୀତି ରଥଉପରେ ଅନୁଷ୍ଠିତ ହୋଇଥିଲା। ଆଳତୀ, ଅବକାଶ, ବେଶ, ଗୋପାଳବଲ୍ଲଭ ସହ ସକାଳ ଧୂପ କରାଯାଇଥିଲା। ଅପରାହ୍ନରେ ମହାପ୍ରଭୁଙ୍କର ମଧ୍ୟାହ୍ନ ଧୂପ ଗଡିବା ପରେ ଅଧରପଣା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହେବ। ଶ୍ରୀ ମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ବଡ ଓଡିଆ ମଠ ପ୍ରଦତ ଛେନା, ସର, ଖୀର, କଦଳୀ, ଛାଚି, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଆଦିରେ ଅଧରପଣା ପ୍ରସ୍ତୁତି କରିବା ପରେ ପାଳିଆ ମହାସୁଆର ଏହାକୁ ରଥ ଉପରେ ରଖିବେ। ପ୍ରତି ଠାକୁରଙ୍କ ସମ୍ମୁଖରେ ମହାପ୍ରଭୁଙ୍କ ଶ୍ରୀ ଅଧରକୁ ପାଇବା ଭଳି ତୁମ୍ବାକାର ୩ ଟି ଲେଖାଏଁ ହାଣ୍ଡି ରଖାଯାବ। ପୂର୍ବରୁ ପାଣିଆ ଆପଟମାନେ ଛାଉଣୀ ମଠ କୁଅରୁ ପାଣି ନେଇ ରଥ ଉପର ପିତଳ ହଣ୍ଡାରେ ରଖିବେ। ହାଣ୍ଡି ଗୁଡିକରେ ପଣା ରଖାଯାଇ ଶ୍ରୀ ଜିଉଙ୍କ ସମ୍ମୁଖରେ ରଖାଯିବ। ଅଧରପଣା ଭୋଗ ହେବା ପୂର୍ବରୁ ମହାସୁଆର, ଭିତରୁଛ, ତଳୁଛ ଓ ପାଳିଆ ପୁଷ୍ପାଳକ ଅଧର ଆଗରେ ଗାମୁଛା ଡେରା ବାନ୍ଧିବେ। ଅଧର ହାଣ୍ଡି ଉପରେ ମଧ୍ୟ କରିଆ ଗାମୁଛା ପକାଯିବ। ଏହା ପରେ ପତ୍ରି ବଡୁ ସୁଆର ବଡୁ ଓ ଗରାବଡୁ ସେବକ ୩ ରଥ ଉପରେ ପୂଜା ପାଠ କରିଥିଲେ। ଏହା ପରେ ପାଳିଆ ପୂଜାପଣ୍ଡା ପଂଚଉପଚାରରେ ଭୋଗ ଲଗାଇବେ। ଭୋଗ ହେବା ପରେ ଠାକୁର ମାନଙ୍କ ସମ୍ମୁଖରେ ଥିବା ଅଧରହାଣ୍ଡି ଗୁଡିକୁ ଭାଙ୍ଗି ଦିଆଯିବ। ଏହି ଅଧରପଣା ରଥର ପାର୍ଶ୍ୱ ଦେବାଦେବୀ ଚଣ୍ଡି ଚାମୁଣ୍ଡା ଓ ଅଶରୀରମାନଙ୍କ ପାଇଁ ଉଦ୍ଦିଷ୍ଟ। ରଥଯାତ୍ରାର ଅନ୍ତିମ ପର୍ଯ୍ୟାୟରେ ଏମାନଙ୍କୁ ତୃପ୍ତ କରିବା ପାଇଁ ଏଭଳି ଅଧରପଣା ନୀତି ପାଳନ କରାଯାଇଥାଏ। ଏହି କାରଣରୁ କେହି ଅଧରପଣାକୁ ସେବନ କରି ନଥାନ୍ତି। ମହାପ୍ରଭୁଙ୍କ ରଥ ଉପରେ ଏହି ଅଧରପଣା ଭୋଗ ୪୫୦ ବର୍ଷର ପୁରାତନ ପରମ୍ପରା ବୋଲି ମତବ୍ୟକ୍ତ କରନ୍ତି ଗବେଷକ। ଚଳିତ ବର୍ଷ ମହାପ୍ରଭୁଙ୍କର ସମସ୍ତ ନୀତି କାନ୍ତି ବିନା ଭକ୍ତରେ ସଂପର୍ଣ୍ଣ ହେଉଛି। ଗତକାଲି ମଧ୍ୟ ଭକ୍ତଶୂନ୍ୟରେ ମହାପ୍ରଭୁଙ୍କର ରାଜ୍ ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ଏହାପରେ ମହାପ୍ରଭୁ ନୀଳାଦ୍ରୀ ବିଜେ କରି ରତ୍ନସିଂହାସନରେ ବିଜେ କରିବେ। ରତ୍ନ ସିଂହାସନ କୁ ବିଜେ କରିବା ସମୟରେ ଅଭିମାନୀନୀ ମାଆ ଲକ୍ଷ୍ମୀଙ୍କୁ ରସଗୋଲା ଦେଇ ତାଙ୍କର ମାନଭଞ୍ଜନ କରିବେ। ଗତକାଲି ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁଙ୍କର ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଭିତର ଭଣ୍ଡାର ଘରୁ ଭଣ୍ଡାର ମେକାପ ମହାପ୍ରଭୁଙ୍କ ପାଇଁ ମହଣ ମହଣ ର ସୁନା ଅଳଙ୍କାର କାଢିଥିଲେ। ରଥ ଉପରକୁ ସେବାୟତ ଏହି ସବୁ ଅଳଙ୍କାର ଆଣିବା ପରେ ଦୈତାପତି ସେବାୟତ ପୁଷ୍ପାଳକ ସେବାୟତ ତଳଛୁ, ଭିତରଛୁ ସେବାୟତ ମାନେ ମହାପ୍ରଭୁଙ୍କୁ ସୁବର୍ଣ୍ଣ ବେଶ ରେ ସୁସଜ୍ଜିତ କରିଥିଲେ। ମହାପ୍ରଭୁଙ୍କର ବର୍ଷ କୁ ୫ ଥର ସୁନାବେଶ ହୋଇଥାଏ। ସେଥିମଧ୍ୟରୁ ଆଷାଢ ଶୁକ୍ଲ ଏକାଦଶୀ ଦିନ ଚତୁର୍ଦ୍ଧାମୂର୍ତ୍ତିଙ୍କର ରଥ ଉପରେ ବଡ ତଡାଉ ବେଶ ବା ରାଜ୍ ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଚତୁର୍ଦ୍ଧାମୂର୍ତ୍ତିଙ୍କର ଏହି ଦୁର୍ଲଭ ବେଶ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ। ଗତବର୍ଷ ପରି ଚଳିତ ବର୍ଷ କୋଭିଡ୍‌-୧୯ କଟକଣା ଲାଗିଥିବା ଯୋଗୁଁ ଭକ୍ତଶୂନ୍ୟରେ ସୁନାବେଶ ଅନୁଷ୍ଠିତ ହୋଇଛି। ଏହି ଦୁର୍ଲଭ ସୁନାବେଶରେ ମହାପ୍ରଭୁ ଙ୍କୁ ୧୩୮ ପ୍ରକାର ସୁବର୍ଣ୍ଣ ଅଳଙ୍କାରରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀ ବଳଭଦ୍ରଙ୍କୁ ଶ୍ରୀ ପୟର, ଶ୍ରୀ ଭୂଜ, କିରଟ, ଓଡିଆଣି କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡିକାନି, ଧାଗଡା ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋଭାକଂଟି, ହଳ ଓ ମୁଷଳ, ବାହାଡା ମାଳି, ବାଘନଖି ମାଳି, ସେବତୀ ମାଳ, ତିଖଣ୍ଡିକା, କମର ପଟି ପ୍ରଭୃତି ଅଳଙ୍କାର ଲାଗି କରାଯାଇଥିବା ବେଳେ ମାଆ ସୁଭଦ୍ରାଙ୍କୁ କିରିଟ, ଓଡିଆଣି କାନ, ଚନ୍ଦ୍ରସୂର୍ଯ୍ୟ, ଧାଗଡା ମାଳି, ପଗଡି ଓ ସେବତୀ ମାଳୀ ଲାଗି କରାଯାଇଥାଏ। ଶ୍ରୀ ଜଗନ୍ନାଥ ଙ୍କୁ ଶ୍ରୀ ପୟର, ଶ୍ରୀ ଭୂଜ, କିରିଟ, ଓଡିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡକାନି, ଧାଗଡା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋଭାବଂଟି, ସ୍ୱର୍ଣ୍ଣଚନ୍ଦ୍ର ଓ ରୌପ୍ୟ ସଂଖ, ହରିଡା କଦମ୍ବ ମାଳି, ବାହାଡା ମାଳି, ସେବତୀ ମାଳି ଓ ତିଖଣ୍ଡିକା, କମର ପଟି ପ୍ରଭୃତି ଅଳଙ୍କାରରେ ସୁସଜ୍ଜିତ କରାଯାଇଥାଏ। ଏହି ଦୁର୍ଳଭ ସୁନାବେଶରେ ବଡଦାଣ୍ଡ ରେ ରଥ ଉପରେ ଚତୁର୍ଦ୍ଧାମୂର୍ତ୍ତି ଝଲସି ଉଠିଥାନ୍ତି। ମହାପ୍ରଭୁଙ୍କର ଏହି ବେଶ ଦେଖିବା ପାଇଁ ବଡଦାଣ୍ଡରେ ଗହଳି ଚହଳି ଲାଗି ରହିଥାନ୍ତା। କିନ୍ତୁ କରୋନା ମହାମାରୀ ସବୁ ଫିକା ପକାଇଦେଇଛି।