Odiapua.com

ରଥ ଉପରେ ଶ୍ରୀ ଜିଉଙ୍କ ଅଧରପଣା ନୀତି ସଂପର୍ଣ୍ଣ ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ନୀଳାଦ୍ରୀ ବିଜେ

ପୁରୀ, ୪/୭ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଶ୍ରୀ ମନ୍ଦିର ରୁ ଚତୁର୍ଦ୍ଧାମୂର୍ତି ନବଦିନାତ୍ମକ ଯାତ୍ରା ରେ ବାହାରି ଆଡପ ମଣ୍ଡପକୁ ବିଜେ କରିଥିଲେ। ଚତୁର୍ଦ୍ଧାମୂର୍ତି ବାହୁଡା ବିଜେ କରି ଶ୍ରୀ ମନ୍ଦିର କୁ ଆସିବା ବାଟରେ ମାଉସୀ ମାଆ ମନ୍ଦିର ନିକଟରେ ପୋଡପିଠା ଭୋଗ, ଶ୍ରୀ ନଅର ସମ୍ମୁଖରେ ଲକ୍ଷ୍ମୀନାରାୟଣ ଭେଟ ହେବା ପରେ ୩ ଟି ଯାକ ରଥ ସିଂହଦ୍ୱାର ସମ୍ମୁଖରେ ଲାଗିଥିଲା। ଗତକାଲି ରଥାରୂଢ ଚତୁର୍ଦ୍ଧାମୂର୍ତି ଙ୍କର ରାଜ୍ ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ଆଜି ରଥାରୂଢ ଚତୁର୍ଦ୍ଧାମୂର୍ତି ଙ୍କ ଦୈନଦିନ ନୀତି ରଥଉପରେ ଅନୁଷ୍ଠିତ ହୋଇଥିଲା। ଆଳତୀ, ଅବକାଶ, ବେଶ, ଗୋପାଳବଲ୍ଲଭ ସହ ସକାଳ ଧୂପ କରାଯାଇଥିଲା। ଅପରାହ୍ନ ରେ ମହାପ୍ରଭୁ ଙ୍କର ମଧ୍ୟାହ୍ନ ଧୂପ ଗଡିବା ପରେ ଅଧରପଣା ନୀତି ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଶ୍ରୀ ମନ୍ଦିର ପ୍ରଶାସନ, ରାଘବ ଦାସ ମଠ ଓ ବଡ ଓଡିଆ ମଠ ପ୍ରଦତ ଛେନା, ସର, ଖୀର, କଦଳୀ, ଛାଚି, ଗୋଲମରିଚ ଗୁଣ୍ଡ, କର୍ପୂର, ଜାଇଫଳ ଆଦି ରେ ଅଧରପଣା ପ୍ରସ୍ତୁତି କରାଯିବା ପରେ ପାଳିଆ ମହାସୁଆର ଏହାକୁ ରଥ ଉପରେ ରଖିଥିଲେ। ପ୍ରତି ଠାକୁରଙ୍କ ସମ୍ମୁଖରେ ମହାପ୍ରଭୁ ଙ୍କ ଶ୍ରୀ ଅଧର କୁ ପାଇବା ଭଳି ତୁମ୍ବାକାର ୩ ଟି ଲେଖାଏଁ ହାଣ୍ଡି ରଖାଯାଇଥିଲା। ପୂର୍ବରୁ ପାଣିଆ ଆପଟ ମାନେ ଛାଉଣୀ ମଠ କୁଅ ରୁ ପାଣି ନେଇ ରଥ ଉପର ପିତଳ ହଣ୍ଡା ରେ ରଖିଥିଲେ। ହାଣ୍ଡି ଗୁଡିକରେ ପଣା ରଖାଯାଇ ଶ୍ରୀ ଜିଉ ଙ୍କ ସମ୍ମୁଖରେ ରଖାଯାଇଥିଲା। ଅଧରପଣା ଭୋଗ ହେବା ପୂର୍ବରୁ ମହାସୁଆର, ଭିତରୁଛ, ତଳୁଛ ଓ ପାଳିଆ ପୁଷ୍ପାଳକ ଅଧର ଆଗରେ ଗାମୁଛା ଡେରା ବାନ୍ଧିଥିଲେ। ଅଧର ହାଣ୍ଡି ଉପରେ ମଧ୍ୟ କରିଆ ଗାମୁଛା ପକାଯାଇଥିଲା। ଏହା ପରେ ପତ୍ରି ବଡୁ ସୁଆର ବଡୁ ଓ ଗରାବଡୁ ସେବକ ୩ ରଥ ଉପରେ ପୁଜା ଠା କରିଥିଲେ। ଏହା ପରେ ପାଳିଆ ପୁଜାପଣ୍ଡା ପଂଚଉପଚାରରେ ଭୋଗ ଲଗାଇଥିଲେ। ଭୋଗ ହେବା ପରେ ଠାକୁର ମାନଙ୍କ ସମ୍ମୁଖରେ ଥିବା ଅଧରହାଣ୍ଡି ଗୁଡିକୁ ଭାଙ୍ଗି ଦିଆଯାଇଥିଲା। ଏହି ଅଧରପଣା ରଥର ପାର୍ଶ୍ୱ ଦେବାଦେବୀ ଚଣ୍ଡି ଚାମୁଣ୍ଡା ଓ ଅଶରୀର ମାନଙ୍କ ପାଇଁ ଉଦ୍ଦିଷ୍ଟ। ରଥଯାତ୍ରା ର ଅନ୍ତିମ ପର୍ଯ୍ୟାୟରେ ଏମାନଙ୍କୁ ତୃପ୍ତ କରିବା ପାଇଁ ଏଭଳି ଅଧରପଣା ଉଦ୍ଦିଷ୍ଟ। ଏହି କାରଣରୁ କେହି ଅଧରପଣା କୁ ସେବନ କରି ନଥାନ୍ତି। ମହାପ୍ରଭୁ ଙ୍କ ରଥ ଉପରେ ଏହି ଅଧରପଣା ଭୋଗ ୪୫୦ ବର୍ଷ ର ପୁରାତନ ପରମ୍ପରା ବୋଲି ମତବ୍ୟକ୍ତ କରନ୍ତି ଗବେଷକ। ଚଳିତ ବର୍ଷ ମହାପ୍ରଭୁ ଙ୍କର ସମସ୍ତ ନୀତି କାନ୍ତି ବିନା ଭକ୍ତରେ ସଂପର୍ଣ୍ଣ ହେଉଛି। ଗତକାଲି ମଧ୍ୟ ଭକ୍ତଶୂନ୍ୟ ରେ ମହାପ୍ରଭୁ ଙ୍କର ରାଜ୍ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥିଲା। ଆସନ୍ତା କାଲି ଅପରାହ୍ନ ରେ ମହାପ୍ରଭୁ ନୀଳାଦ୍ରୀ ବିଜେ କରି ରତ୍ନସିଂହାସନ ରେ ବିିଜେ କରିବେ। ରତ୍ନ ସିଂହାସନ କୁ ବିଜେ କରିବା ସମୟରେ ଅଭିମାନୀନୀ ମାଆ ଲକ୍ଷ୍ମୀ ଙ୍କୁ ରସଗୋଲା ଦେଇ ତାଙ୍କର ମାନ ଭଞ୍ଜନ କରିବେ।