Odiapua.com

ରଥଯାତ୍ରା ହେବନି, ଜାରି ହେଲା ୧୪୪ ଧାରା

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାର କୌଣସି ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହେବନାହିଁ। ଯେଉଁସବୁ ଅଞ୍ଚଳରେ ରଥଯାତ୍ରା ଅନୁଷ୍ଠିତ ହେବାର ସମ୍ଭାବନା ରହିଛି, ସେହି ସମସ୍ତ ଅଞ୍ଚଳରେ ଜିଲ୍ଲାପାଳ ଡ- ଜ୍ଞାନ ଦାସ ୧୪୪ ଧାରା ଜାରି କରିଛନ୍ତି। କୋବିଡ଼ ୧୯କୁ ଆଖି ଆଗରେ ରଖି ଏହିଭଳି ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଆସନ୍ତା ୨୩ ତାରିଖ ରଥଯାତ୍ରା ଏବଂ ୧ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ବାହୁଡା ଯାତ୍ରା ନିମନ୍ତେ ଏହି କଟକଣା ବଳବତ୍ତର ରହିବ। ଏହି ସମୟରେ କୌଣସି ସ୍ଥାନରେ ରଥଯାତ୍ରା କରାଯାଇ ପାରିବ ନାହିଁ କି ରଥଯାତ୍ରା ସଂକ୍ରାନ୍ତୀୟ କୌଣସି ମେଳା ବା ଯାତ ଅନୁଷ୍ଠିତ ହୋଇ ପାରିବ ନାହିଁ। ସମସ୍ତ ଧାର୍ମିକ ଅନୁଷ୍ଠାନ, ମନ୍ଦିର ବନ୍ଦ ରହିବ। ୭ଜଣରୁ ଅଧିକ ଲୋକ ଏକତ୍ର ହୋଇ ପାରିବେ ନାହିଁ। କୌଣସି ଭକ୍ତ ମନ୍ଦିରକୁ ଯାଇ ପାରିବେ ନାହିଁ। କେବଳ ଦୁଇଜଣ ସେବାୟତ ଠାକୁରଙ୍କ ନୀତିକାନ୍ତି କରି ପାରିବେ। ଏହି ସମୟରେ କୌଣସି ରାଜନୈତିକ, ସାଂସ୍କୃତିକ, ଧାର୍ମିକ ଏକତ୍ରିତ ହେବାକୁ ବନ୍ଦ କରାଯାଇଛି ବୋଲି ଜିଲ୍ଲାପାଳ ତାଙ୍କ ନିର୍ଦ୍ଦେଶନାମାରେ ସୂଚନା ଦେଇଛନ୍ତି।