Odiapua.com

ରଥଉପରେ ସୁନାବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି – ଆସନ୍ତା କାଲି ଶ୍ରୀ ଜିଉଙ୍କର ଅଧରପଣା ନୀତି

ପୁରୀ, ୨/୭- (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଗତକାଲି ଆଡପ ମଣ୍ଡପ ରୁ ବାହୁଡା ବିଜେ କରି ତାଳଧ୍ୱଜ ରଥ ଦର୍ପଦଳନ ଓ ନନ୍ଦିଘୋଷ ରଥ ସିଂହଦୁଆରେ ପହଂଚିଥିଲା। ଆଜି ମହାପ୍ରଭୁ ଙ୍କର ସମସ୍ତ ଦୈନଦିନ ନୀତି ମଙ୍ଗଳ ଆଳତୀ, ଅବକାଶ, ମୈଲମ, ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ରଥ ଉପରେ ଅନୁଷ୍ଠିତ ହୋଇଥିଲା। ଗୋପାଳ ବଲ୍ଲଭ ରେ ମହାପ୍ରଭୁ ଙ୍କୁ ଖଇକୋରା ବିଭିନ୍ନ ଫଳ ଆଦି ଲାଗି କରାଯାଇଥିଲା। ମଧ୍ୟାହ୍ନ ଧୂପ ପରେ ମହାପ୍ରଭୁ ଙ୍କର ସୁନାବେଶ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ଭିତର ଭଣ୍ଡାର ଘରୁ ଭଣ୍ଡାର ମେକାପ ମହାପ୍ରଭୁ ଙ୍କ ପାଇଁ ମହଣ ମହଣ ର ସୁନା ଅଳଙ୍କାର କାଢିଥିଲେ। ରଥ ଉପରକୁ ସେବାୟତ ଏହି ସବୁ ଅଳଙ୍କାର ଆଣିବା ପରେ ଦୈତାପତି ସେବାୟତ ପୁଷ୍ପାଳକ ସେବାୟତ ତଳଛୁ, ଭିତରଛୁ ସେବାୟତ ମାନେ ମହାପ୍ରଭୁ ଙ୍କୁ ସୁବର୍ଣ୍ଣ ବେଶ ରେ ସୁସଜ୍ଜିତ କରିଥିଲେ। ମହାପ୍ରଭୁ ଙ୍କର ବର୍ଷ କୁ ୫ ଥର ସୁନାବେଶ ହୋଇଥାଏ। ସେଥିମଝିରୁ ଆଷାଢ ଶୁକ୍ଲ ଏକାଦଶୀ ଦିନ ଚତୁର୍ଦ୍ଧାମୂର୍ତି ଙ୍କର ରଥ ଉପରେ ବଡ ତଡାଉ ବେଶ ବା ରାଜ୍ ରାଜେଶ୍ୱର ବେଶ ଅନୁଷ୍ଠିତ ହୋଇଥାଏ। ଚତୁର୍ଦ୍ଧାମୂର୍ତି ଙ୍କର ଏହି ଦୁର୍ଲଭ ବେଶ ଦେଖିବା ପାଇଁ ରାଜ୍ୟ ଓ ରାଜ୍ୟ ବାହାରୁ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥାଏ। ଚଳିତ ବର୍ଷ କୋଭିଡ୍‌-୧୯ କଟକଣା ଲାଗିଥିବା ଯୋଗୁଁ ଭକ୍ତଶୂନ୍ୟ ରେ ସୁନାବେଶ ଅନୁଷ୍ଠିତ ହୋଇଛି। ଏହି ଦୁର୍ଲଭ ସୁନାବେଶ ରେ ମହାପ୍ରଭୁ ଙ୍କୁ ୧୩୮ ପ୍ରକାର ସୁବର୍ଣ୍ଣ ଅଳଙ୍କାର ରେ ସୁସଜ୍ଜିତ କରାଯାଇଥାଏ। ଶ୍ରୀ ବଳଭଦ୍ର ଙ୍କୁ ଶ୍ରୀ ପୟର, ଶ୍ରୀ ଭୂଜ, କିରଟ, ଓଡିଆଣି କୁଣ୍ଡଳ, ଚନ୍ଦ୍ରସୂର୍ଯ୍ୟ, ଆଡିକାନି, ଧାଗଡା ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋଭାକଂଟି, ହଳ ଓ ମୁଷଳ, ବାହାଡା ମାଳି, ବାଘନଖି ମାଳି, ସେବତୀ ମାଳ, ତିଖଣ୍ଡିକା, କମର ପଟି ପ୍ରଭୃତି ଅଳଙ୍କାର ଲାଗି କରାଯାଇଥିବା ବେଳେ ମାଆ ସୁଭଦ୍ରା ଙ୍କୁ କିରିଟ, ଓଡିଆଣି କାନ, ଚନ୍ଦ୍ରସୂର୍ଯ୍ୟ, ଧାଗଡା ମାଳି, ପଗଡି ଓ ସେବତୀ ମାଳୀ ଲାଗି କରାଯାଇଥାଏ। ଶ୍ରୀ ଜଗନ୍ନାଥ ଙ୍କୁ ଶ୍ରୀ ପୟର, ଶ୍ରୀ ଭୂଜ, କିରିଟ, ଓଡିଆଣି, ଚନ୍ଦ୍ରସୂର୍ଯ୍ୟ, କାନ, ଆଡକାନି, ଧାଗଡା ମାଳି, କଦମ୍ବ ମାଳି, ତିଳକ, ଚନ୍ଦ୍ରିକା, ଅଳକା, ଝୋଭାବଂଟି, ସ୍ୱର୍ଣ୍ଣଚନ୍ଦ୍ର ଓ ରୌପ୍ୟ ସଂଖ, ହରିଡା କଦମ୍ବ ମାଳି, ବାହାଡା ମାଳି, ସେବତୀ ମାଳି ଓ ତିଖଣ୍ଡିକା, କମର ପଟି ପ୍ରଭୃତି ଅଳଙ୍କାର ରେ ସୁସଜ୍ଜିତ କରାଯାଇଥାଏ। ଏହି ଦୁର୍ଳଭ ସୁନାବେଶ ରେ ବଡଦାଣ୍ଡ ରେ ରଥ ଉପରେ ଚତୁର୍ଦ୍ଧାମୂର୍ତି ଝଲସି ଉଠିଥାନ୍ତି। ମହାପ୍ରଭୁ ଙ୍କର ଆଜିର ଏହି ବେଶ ଦେଖିବା ପାଇଁ ବଡଦାଣ୍ଡ ରେ ଗହଳି ଚହଳି ଲାଗି ରହିଥାନ୍ତା। କିନ୍ତୁ କରୋନା ମହାମାରୀ ସବୁ ଫିକା ପକାଇଦେଇଛି। ଆଜି ଦିନ ୩ ଟା ଠାରୁ ମାର୍କେଟ ଛକରୁ ବଡଦାଣ୍ଡକୁ ସଂପୂର୍ଣ୍ଣ ଭାବେ ସଟ୍‌ଡାଉନ କରାଯାଇଛି। ଏହି ସାନ୍ଧ୍ୟ ଆଇନ୍ ରାତି ୧୦ ଟା ପର୍ଯ୍ୟନ୍ତ ବଳବତର ରହିବ। ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ପ୍ରବେଶ ପଥ କୁ ସିଲ୍ କରିଦିଆଯାଇଛି। ଶ୍ରଦ୍ଧାଳୁ ଭକ୍ତମାନେ ସେମାନଙ୍କର ଚର୍ମଚକ୍ଷୁ ରେ ଏହି ଦୁର୍ଲଭ ବେଶ ଦେଖିନପାରିଲେ ମଧ୍ୟ ଦୁରଦର୍ଶନ ରେ ମହାପ୍ରଭୁ ଙ୍କର ଏହି ବେଶ କୁ ଦେଖିପାରିବେ। ଶାନ୍ତି ଶୃଙ୍ଖଳା ପାଇଁ ସହରରେ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ଶ୍ରୀ ଗୁଣ୍ଡିଚା ଓ ବାହୁଡା ଯାତ୍ରା ଚଳିତ ବର୍ଷ ବେଶ୍ ଶାନ୍ତି ଶୃଙ୍ଖଳା ସହ ସଂପର୍ଣ୍ଣ ହୋଇଛି। ଜଗନ୍ନାଥ ପ୍ରେମୀ ଶ୍ରଦ୍ଧାଳୁ ଭକ୍ତ ଓ ସହରବାସୀ ସର୍ବୋଚ୍ଚ ନ୍ୟାୟାଳୟ ର ନିର୍ଦେଶ କୁ ସମ୍ମାନ ଜଣାଇ କେହି ଘରୁ ବାହାରକୁ ବାହାରି ନାହାନ୍ତି। ଏହି ବେଶ ରାତି ୧୦ ଟା ପରେ ଓଲାଗି ହେବାର କାର୍ଯ୍ୟକ୍ରମ ରହିଛି। ଆସନ୍ତା କାଲି ତିନି ରଥ ଉପରେ ମହାପ୍ରଭୁ ଙ୍କର ଅଧରପଣା ନୀତି ଅନୁଷ୍ଠିତ ହେବ।