Odiapua.com

ରତ୍ନ ସିଂହାସନରେ ଚତୁର୍ଦ୍ଧା ମୂର୍ତ୍ତି ଦର୍ଶନ ଦେଉଛନ୍ତି ଭକ୍ତଙ୍କୁ – ମହାପ୍ରଭୁଙ୍କ ଦର୍ଶନ ଲାଭ କରି ଶ୍ରଦ୍ଧାଳୁ ବିଭୋଳ

ପୁରୀ, ୦୪/ ୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) : ଦୀର୍ଘ ୯ମାସ କାଳ କୋରୋନା କଟକଣା ଯୋଗୁଁ ଶ୍ରୀମନ୍ଦିରରେ ଚତୁଃର୍ଦ୍ଧାମୂର୍ତ୍ତିଙ୍କର ଦର୍ଶନରୁ ବଞ୍ଚିତ ହୋଇଥିଲେ ଭକ୍ତ। ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ଡ଼ିସେମ୍ବର ୨୩ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସେବାୟତ ପରିବାରର ସଦସ୍ୟ ମାନଙ୍କୁ ଦର୍ଶନ କରିବା ପାଇଁ ଅନୁମତି ପ୍ରଦାନ କରାଯାଇଥିବା ବେଳେ ୨୬ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ୩୨ଟି ୱାର୍ଡ଼ର ବାସିନ୍ଦାମାନଙ୍କ ସହ ଭଡ଼ାଟିଆ ଓ ସରକାରୀ କର୍ମଚାରୀମାନଙ୍କୁ ଦର୍ଶନ କରିବା ପାଇଁ ଅନୁମତି ଦିଆଯାଇଥିଲା। ଗତକାଲିଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଛି। ବାହାରୁ ଆସୁଥିବା ଭକ୍ତ, ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନେ କୋଭିଡ଼୍ ନେଗେଟିଭ ରିପୋର୍ଟ ଆଣିବା ସହ ନିଜର ଆଧାର କାର୍ଡ଼ ଓ ଭୋଟ ପରିଚୟ ପତ୍ର ଆଣିବା ନିମନ୍ତେ ନିର୍ଦେଶ ଦିଆଯାଇଥିଲା। ଗତକାଲି ଶ୍ରୀମନ୍ଦିରରେ ପହିଲି ଭୋଗ ନୀତି ବଢ଼ିବା ପରେ ସକାଳ ୮ଟା ଠାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଥିଲା। ଶ୍ରଦ୍ଧାଳୁ ଭକ୍ତମାନେ ମାର୍କେଟ ଛକଠାରୁ ବ୍ୟାରିକେଟ ମଧ୍ୟରେ ଲମ୍ବା ଧାଡ଼ିରେ ଯାଇ ସିଂହଦ୍ୱାର ବାଟେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରି ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ପାଇଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ କରାଯାଇଥିବା ୮ ଗୋଟି କିଓସ୍କୋରେ ସେମାନଙ୍କର କୋଭିଡ଼ ନେଗେଟିଭ ରିପୋର୍ଟ ଓ ଆଧାର କାର୍ଡ଼ ଯାଞ୍ଚ କରିବା ପରେ ସେମାନେ ବ୍ୟାରିକେଟ ମଧ୍ୟରେ ଶ୍ରୀମନ୍ଦିର ଭିତରକୁ ପ୍ରବେଶ କରିଥିଲେ। ଦୀର୍ଘ ୯ମାସ ଧରି ମହାପ୍ରଭୁ ଓ ଭକ୍ତମାନଙ୍କ ମିଳନ ହୋଇପାରିନଥିଲା। ଦୂରଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁ ଭକ୍ତମାନେ ମହାପ୍ରଭୁଙ୍କର ଦର୍ଶନ କରିବା ପରେ ଆନନ୍ଦରେ ବିଭୋର ହୋଇଯାଇଥିଲେ। ଚଳିତ ବର୍ଷ ରଥଯାତ୍ରାଠାରୁ ଆରମ୍ଭ କରି ଦୁର୍ଲଭ ନାଗାର୍ଜ୍ଜୁନ ବେଶ ଦେଖିବାରୁ ଭକ୍ତମାନେ ବଞ୍ଚିତ ହୋଇଥିଲେ। ଆଜି ମଧ୍ୟ ମହାପ୍ରଭୁଙ୍କର ସାଧାରଣ ଦର୍ଶନ ଚାଲୁ ରହିଛି। ଭକ୍ତମାନେ ସେମାନଙ୍କର ନେଗେଟିଭ ରିପୋର୍ଟ ଓ ଆଧାର କାର୍ଡ଼ ଯାଞ୍ଚ କରାଇ ମହାପ୍ରଭୁଙ୍କୁ ଦର୍ଶନ କରିବାର ସୁଯୋଗ ନେଉଛନ୍ତି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି।