Odiapua.com

ରଣପୁର ୫ ନଂ ୱାର୍ଡରେ ଲଗାଣ ବର୍ଷାରେ ଭାଙ୍ଗିଲା ଘର ହନ୍ତସନ୍ତ ପରିବାର

ନୟାଗଡ଼ ୦୭/୧୦ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରାଜ୍ୟ ସରକାର କାହାକୁ ମାଟିକାନ୍ଥ କଚ୍ଚାଘରେ ରହିବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଠାରୁ ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଆବାସ ଯୋଜନା କରିଛନ୍ତି। କିନ୍ତୁ କିଛି ଗରୀବ ନିରୀହ ଲୋକ ଏବେବି ମାଟି କାନ୍ଥ କଚ୍ଚାଘରେ ବିପନ୍ନ ଅବସ୍ଥାରେ ରହି ଆସୁଛନ୍ତି। ସରକାରୀ ଅଧିକାରୀ ମାନେ ଉଦେଶ୍ୟ ମୂଳକ ଭାବେ କାଗଜାତରେ ତୃଟି ଆଳ ଦେଖାଇ ଆବାସ ଯୋଜନାରୁ ଗରୀବ ନିରୀହଙ୍କୁ ବଞ୍ଚିତ କରୁଛନ୍ତି। ସେଭଳି ଦେଖିବାକୁ ମିଳିଛି ନୟାଗଡ଼ ଜିଲ୍ଲା ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ୫ ନଂ ୱାର୍ଡରେ। ଗତ ଅକ୍ଟୋବର ୬ ତାରିଖ ରାତ୍ରସାରା ଲଗାଣ ବର୍ଷାରେ ଜଣେ ବ୍ୟକ୍ତି ଙ୍କ ଘର ଭାଙ୍ଗି ପଡିଥିବା ବେଳେ ପରିବାର ଅଳ୍ପକେ ବଞ୍ଚିଯାଇଛନ୍ତି। ଆଉ ୩ ଟି ପରିବାରର ମାଟିକାନ୍ଥ ସବୁ ଭୁଷୁଡ଼ି ପଡିଛି। ୫ ନଂ ୱାର୍ଡର ଚିନ୍ତାମଣି ସାହୁ (୬୫) ଓ ତାଙ୍କ ସ୍ତ୍ରୀ ରମା ଦେଇ (୬୦) ଲଗାଣବର୍ଷା ଯୋଗୁଁ ରାତିସାରା ଭଙ୍ଗାଘରେ ପାଣି ଗଳୁଥିବା ଯୋଗୁଁ ଶୋଇ ପାରିନଥିଲେ।

ଭୋର ୫ ଟା ରେ ଘରୁ ଶୈାଚ ପାଇଁ ବାହାରକୁ ଯିବା ସମୟରେ ଘରଟି ଭୁଷୁଡି ପଡିଥିଲା। ତେଣୁ ଅଳ୍ପକେ ବଞ୍ଚି ଯାଇଥିଲେ ଚିନ୍ତାମଣି ଓ ରମା। ସେହିଭଳି ଭାବରେ ସେହି ୫ ନଂ ୱାର୍ଡର ଦେବ ମହାନ୍ତି, ଲାବଣ୍ୟ ଦେଇ ଓ ମନୋଜ ସେଠୀ ଙ୍କର ମାଟି କାନ୍ଥ ମଧ୍ୟ ଭୁଷୁଡି ପଡ଼ିଥିବା ଜଣାପଡିଛି। ଭଙ୍ଗାଘର ଓ କ୍ଷତିଗ୍ରସ୍ତ ପରିବାରକୁ ଭେଟିଲା ପରେ ସେମାନେ ଉପଯୁକ୍ତ ହିତାଧିକାରୀ ଆବାସ ଯୋଜନା ପାଇଁ ପୁଣିଥରେ ଆବେଦନ କଲେ ଆବାସ ଯୋଜନା ଯୋଗାଇ ଦେବେ ବୋଲି ରଣପୁର ବିଜ୍ଞାପିତ ପରିଷଦ ଅଧକ୍ଷା ରଙ୍ଗୀନ୍ ମହାନ୍ତି କହିଛନ୍ତି।