Odiapua.com

ରଣପୁରର ୫୭ତମ ଗଣେଶ ପୂଜା ମଣ୍ଡପରେ ତାଲା

ନୟାଗଡ ୨୨/୦୮ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲା ରଣପୁର ରେ ଚଳିତ ବର୍ଷ ସରକାରଙ୍କ କୋଭିଡ୍ ନିୟମକୁ ମାନି ସର୍ବପୁରାତନ ୫୭ବର୍ଷର ଗଣେଶ ପୂଜା ମଣ୍ଡପରେ ତାଲା ଝୁଲୁଥିବା ଦେଖିବାକୁ ମିଳିଛି। ରଣପୁର ପଂଚୁଦୋଳ ପଡିଆରେ ଥିବା ଏହି ପୂଜା ମଣ୍ଡପ ପଡିଆ ଜନଶୁନ୍ୟ ହୋଇ ଖାଁ ଖାଁ ଲାଗୁଥିବା ଦେଖିବାକୁ ମିଳିଛି। ପ୍ରତ୍ୟେକ ବର୍ଷ ଏହି ପୂଜା ମଣ୍ଡପରେ ୩ଦିନ ଧରି ବାଦିପାଲା ଓ ୪ଦିନ ଧରି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥାଏ। ଯାହା ଫଳରେ ହଜାର ହଜାର ଶ୍ରଦ୍ଧାଳୁ ଭକ୍ତ ଗଜାନନଙ୍କ ଦର୍ଶନ ପାଇଁ ଆସିଥାନ୍ତି। ସଂଧ୍ୟାରେ ବାଦିପାଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥାନ୍ତି।

କିନ୍ତୁ ଚଳିତ ବର୍ଷ ପୂଜା ମଣ୍ଡପର ବିଧି ପାଳନ ପାଇଁ ସମୁଦାୟ ପୂଜକ ସହ ୫ଜଣ ଭକ୍ତ ଗଣେଶ ପୂଜା କରିବା ସହ ପୂଜା ପରେପରେ ଠାକୁରଙ୍କୁ ବିସର୍ଜନ ମନ୍ତ୍ରରେ ବିସର୍ଜନ କରିଥିବା ଜଣା ପଡିଛି। ପୂଜା ମଣ୍ଡପର ପ୍ରତିନିଧିମାନେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ କୋଭିଡ୍ ନିୟମକୁ ମାନି ଏହିଭଳି ପଦକ୍ଷେପ ନେଇଛନ୍ତି। ସରକାରଙ୍କ ପଦକ୍ଷେପକୁ ସାଧୁବାଦ ଜଣାଇଛନ୍ତି। ରଣପୁର, ଗୋପାଳପୁର, ଚାନ୍ଦପୁର, ରାଜସୁନାଖଳା ଓ ଦର୍ପନାରାୟଣପୁର ଅଂଚଳରେ କୌଣସି ପୂଜା ମଣ୍ଡପ, କ୍ଲବ୍ ଓ ଅନୁଷ୍ଠାନରେ ଚଳିତ ବର୍ଷ କୋଭିଡ୍ ନିୟମ ଅନୁସାରେ ପୂଜା ବିଧି ପାଳିତ ହୋଇଯାଇଅଛି। ପ୍ରତ୍ୟେକ ସ୍କୁଲ୍ ମାନଙ୍କରେ ବିନା ଛାତ୍ର ଛାତ୍ରୀରେ କେବଳ ଶୀକ୍ଷକ ମାନେ ପୂଜାବିଧି ପାଳନ କରିଥିବା ଜଣା ପଡିଛି। ସମସ୍ତ ପରିବାରରେ ଘରେ ଘରେ ଗଜାନନଙ୍କୁ ପୂଜା କରାଯାଇଥିବା ମଧ୍ୟ ଜଣା ପଡିଛି।