Odiapua.com

ରଣପୁର ରେ ବାହ୍ୟ ସଂକ୍ରମଣ ପରେ କରୋନା ସ୍ଥିତି ଉଦ୍‌ବେଗ ଜନକ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୨/୦୭-ନୟାଗଡ ଜିଲ୍ଲା ରଣପୁର ବ୍ଲକ୍ ର ବଳଭଦ୍ରପୁର ଗ୍ରାମ ପଂଚାୟତ ଓ ମଝିଆଁଖଣ୍ଡ ଗ୍ରାମ ପଂଚାୟତରେ କରୋନା ବାହ୍ୟ ସଂକ୍ରମଣ ବାହାରିବା ପରେ କରୋନା ସ୍ଥିତି ଉଦ୍‌ବେଗ ଜନକ ଥିବା ଜଣା ପଡିଛି । ଗୋଷ୍ଠୀ ସଂକ୍ରମଣ ଆଶଙ୍କାରେ ଉଭୟ ପଂଚାୟତରେ ମହାମାରୀ କରୋନାକୁ ନେଇ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି । ରଣପୁର ଅଂଚଳରେ ବାହ୍ୟ ସଂକ୍ରମଣର ଏହା ହେଉଛି ପ୍ରଥମ ଘଟଣା । ବଳଭଦ୍ରପୁର ଗ୍ରାମ ପଂଚାୟତ ବସନ୍ତପୁର ଗ୍ରାମର ଜନୈକ ଯୁବକ ମାଙ୍କଡ ଦ୍ୱାରା ଆକ୍ରମଣ ହୋଇ ସମ୍ ହସ୍ପିଟାଲ୍ କୁ ଗତ ମଙ୍ଗଳବାର ଦିନ ଚିକିତ୍ସା ପାଇଁ ଯାଇଥିଲେ । ସେଠାରେ କୋଭିଡ ଟେଷ୍ଟ ପାଇଁ ସ୍ୱାବ ସଂଗ୍ରହ କରାଯାଇଥିଲା । ତା ପରେ ସେ ଘରକୁ ଫେରିଥିଲେ । ଶନିବାର ରିପୋର୍ଟ ଆସିଲା ସଂମ୍ପୃକ୍ତ ଯୁବକ କରୋନା ପଜେଟିଭ୍ । ଇତି ମଧ୍ୟରେ ସେ ଶତାଧିକ ଲୋକଙ୍କ ସହିତ ମିଳାମିଶା କରିଥିବା କହିଛନ୍ତି । ସେହିଭଳି ଭାବରେ ମଝିଆଖଣ୍ଡ ଗ୍ରାମ ପଂଚାୟତ ତେଲିପାଟଣାର ଜଣେ ୭୫ବର୍ଷୀୟା ବୃଦ୍ଧା କର୍କଟ ରୋଗରେ ପିଡୀତ ହୋଇ ଚିକିତ୍ସିତ ଅବସ୍ଥାରେ ତାଙ୍କର ଜ୍ୱର ଛାଡୁ ନଥିବାରୁ ତାଙ୍କ ପରିବାର ତାଙ୍କୁ ଅଟୋ ଯୋଗେ ଭୁବନେଶ୍ୱର ସମ୍ ହସ୍ପିଟାଲକୁ ନେଇ ଟେଷ୍ଟ ପାଇଁ ଗତ ବୁଧବାର ଦିନ ସ୍ୱାବ ପରୀକ୍ଷା ପାଇଁ ଦେଇଥିଲେ । ଘରକୁ ଫେରିବା ପରେ ଗତ ଶନିବାର ଦିନ ତାଙ୍କୁ ପଜେଟିଭ୍ ଥିବା ରିପୋର୍ଟ ଆସିଛି । ଯାହା ଫଳରେ ପ୍ରଶାସନ ତତ୍ପରତା ପ୍ରକାଶ କରି ଉଭୟଙ୍କୁ ଖଣ୍ଡପଡା କୋଭିଡ୍ ହସ୍ପିଟାଲକୁ ଚିକିତ୍ସା ପାଇଁ ନେଇଥିବା ଜଣା ପଡିଛି ।

ଏହି ଉଦ୍‌ବେଗ ଜନକ ପରିସ୍ଥିତିକୁ ଲକ୍ଷ କରି ବଳଭଦ୍ରପୁର ସରପଂଚ ନିଳମଣୀ ପଣ୍ଡା ବସନ୍ତପୁର ଗ୍ରାମକୁ ନିସିଦ୍ଧାଂଚଳ ଘୋଷଣା କରିବା ସହ ପଂଚାୟତକୁ ୬୦ଘଣ୍ଟା ପାଇଁ ସଟ୍‌ଡାଉନ୍ କରିଥିବା ଜଣା ପଡିଛି । ସେହିଭଳି ଭାବରେ ମଝିଆଁଖଣ୍ଡ ସରପଂଚ ତେଲିପାଟଣାର ସଂକ୍ରମିତ ବୃଦ୍ଧାଙ୍କ ପରିବାର ଓ ତାଙ୍କ ପୁତୁରାକୁ କ୍ୱାରେଣ୍ଟାଇନ୍ ରେ ରଖିଥିବା ଜଣା ପଡିଛି । ଏ ସମ୍ପର୍କେ ରାଜସୁନାଖଳା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ତଥା ରଣପୁର ର ବରିଷ୍ଠ ଡାକ୍ତର ବୈଦ୍ୟନାଥ ନନ୍ଦଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଯେ  ବସନ୍ତପୁର ସ୍ଥାନୀୟ ପଜେଟିଭ୍ ସଂକ୍ରମିତ ବ୍ୟକ୍ତିଙ୍କର କାହା ସହିତ ମିଳାମିଶା ହୋଇଛି ସେ ସମ୍ପର୍କେ ତାଲିକା ସଂଗ୍ରହ କରାଯାଉଛି । ଯାହାକି ୨ଶହ ନାମ ଠାରୁ ଅଧିକ ହୋଇପାରେ । ସେହିଭଳି ଭାବରେ ତେଲିପାଟଣା ପଜେଟିଭ୍ ସଂକ୍ରମିତ ବୃଦ୍ଧାଙ୍କ ସହ ମିଳାମିଶା ତାଲିକା ସଂଗ୍ରହ କରାଯାଉଛି ତାହାବି ୧ଶହରୁ ଉର୍ଦ୍ଧ୍ୱ ଜଣା ପଡିଲାଣି । ତେଣୁ ଉଭୟ ସ୍ଥାନୀୟ ସଂକ୍ରମିତ ବ୍ୟକ୍ତିଙ୍କୁ ନେଇ ଜିଲ୍ଲା ପ୍ରଶାସନ ସହ ୪ଶହରୁ ଉର୍ଦ୍ଧ୍ୱ ଟେଷ୍ଟିଂ କରିବା ପାଇଁ ଯୋଗା ଯୋଗ ଚାଲିଛି । କହିବାକୁ ଗଲେ ରଣପୁର ରେ କରୋନା ସ୍ଥିତି ଉଦ୍‌ବେଗ ଜନକ ଥିବା ସୂଚନା ମିଳୁଛି ।