Odiapua.com

ରଣପୁର ବ୍ଲକ୍ ଗ୍ରାମ ରୋଜଗାର ସେବକଙ୍କ ଧାରଣା ଦ୍ୱିତୀୟ ଦିନରେ

ନୟାଗଡ/୧୦/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରତ୍ୟେକ ପରିବାରକୁ ବାର୍ଷିକ କର୍ମ ନିଯୁକ୍ତି ପାଇଁ ଆରମ୍ଭ କରାଯାଇଥିଲା ମନରେଗା ଯୋଜନା। ପ୍ରତି ଗ୍ରାମ ପଂଚାୟତରେ ଏହି ମନରେଗା କାର୍ଯ୍ୟକୁ ତ୍ୱରାନିତ କରିବା ପାଇଁ ନିଯୁକ୍ତି ଦିଆଯାଇଥିଲା ଗ୍ରାମ ରୋଜଗାର ସେବକ ପଦବୀ। କିନ୍ତୁ ରଣପୁର ବ୍ଲକ୍ ରେ ଗ୍ରାମ ରୋଜଗାର ସେବକମାନଙ୍କୁ ମନରେଗା କାର୍ଯ୍ୟ ବ୍ୟତିତ ଅନ୍ୟ କାର୍ଯ୍ୟରେ ପାରିଶ୍ରମିକ ଦେବା ଲୋଭ ଦେଖାଇ କାର୍ଯ୍ୟ କରିବାକୁ ବାଧ୍ୟ କରାଯାଇଥାଏ। ଯାହା ଫଳରେ ଗ୍ରାମ ରୋଜଗାର ସେବକ ମାନେ ଜିଓ ଟ୍ୟାଗ୍‌ଠାରୁ ଆରମ୍ଭ କରି କାଳିଆ ଯୋଜନା ଏପରିକି ରୁରାଲ ହାଉସିଂ ସର୍ଭେ କରିବା ପାଇଁ ନୟାଗଡ ବ୍ଲକ୍ ଓ ଓଡଗାଁ ବ୍ଲକ୍ କୁ ଯିବାକୁ ପଡିଥାଏ। ନା ମିଳେ ତେଲ ଖର୍ଚ୍ଚ ନା ମିଳେ ଖାଇବା ଖର୍ଚ୍ଚ। ମାସିକ ୭ହଜାର ଟଙ୍କା ଚୁକ୍ତି ଭିତ୍ତିକ ଦରମାରେ ପରିବାର ଚଳାଇବା ପାଇଁ ଅସମ୍ଭବ ହୋଇ ପଡିଥାଏ। ଜିଲ୍ଲାର ଅନ୍ୟ ୭ ଗୋଟି ବ୍ଲକ୍ ରେ କାର୍ଯ୍ୟରତ ଗ୍ରାମ ରୋଜଗାର ସେବକମାନେ ସେମାନଙ୍କ ପ୍ରାପ୍ୟ ଅର୍ଥ ଓ ଦରମା ଠିକ୍ ସମୟରେ ପାଉଥିବା ବେଳେ ରଣପୁର ବ୍ଲକ୍ ରେ ମିଳେନାହିଁ। ବିଡିଓଙ୍କୁ ବାରମ୍ବାର ମୌଖିକ ଓ ଲିଖିତ ଅଭିଯୋଗ କଲେ ମଧ୍ୟ କେବଳ ପ୍ରତିଶୃତି ପ୍ରତାରଣାରେ ରହିଯାଏ। ତେଣୁ ଗ୍ରାମ ରୋଜଗାର ସେବକମାନେ ସେମାନଙ୍କର ଦୀର୍ଘ ଦିନର ପ୍ରାପ୍ୟ ସହ ପ୍ରତି ମାସରେ ରେଗୁଲାର ଦରମା ପାଇବା ପାଇଁ ଡିସେମ୍ବର ୯ ତାରିଖରୁ ବ୍ଲକ୍ ସମ୍ମୁଖରେ ଧାରଣାରେ ବସିଛନ୍ତି। ରଣପୁର ବିଡିଓ ସେମାନଙ୍କ ଦାବିପ୍ରତି ଦୃଷ୍ଟି ନଦେଇ ସମୋନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠନ ଗ୍ରହଣ କରିବାର ଧମକ୍ ଦେଉଥିବା ଘଟଣା ଗ୍ରାମ ରୋଜଗାର ସେବକ ସଙ୍ଘର ସମ୍ପାଦକ ମୃତ୍ୟୁଞ୍ଜୟ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଧମକ୍ ପାଇବା ସତ୍ତ୍ୱେ ସେମାନଙ୍କ ଧାରଣା ଦ୍ୱିତୀୟ ଦିନରେ ପହଁଚିଥିବା ଜଣା ପଡିଛି। ଏ ସମ୍ପର୍କେ ରଣପୁର ବିଡିଓଙ୍କ ସହ ବାରମ୍ବାର ଫୋନ୍ ଯୋଗେ ଯୋଗା ଯୋଗ କରାଯାଇଥିଲେ ମଧ୍ୟ ସେ ଗଣମାଧ୍ୟମଠାରୁ ଦୁରେଇ ରହିବା ପାଇଁ ଫୋନ୍ ଉଠାଇନଥିଲେ।