Odiapua.com

ରଣପୁର ବିଦ୍ୟୁତ୍ ପରିବଣ୍ଟନରେ ସୁଧାର ଆସିବ କେବେ ?       

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୪/୦୮-ନୟାଗଡ ଜିଲ୍ଲା ରଣପୁର ବିଦ୍ୟୁତ୍‌  ପରିବଣ୍ଟନ ବ୍ୟବସ୍ଥା ଦୀର୍ଘ ବର୍ଷ ହେଲା ଅନେକ ସମସ୍ୟା ଦେଇ ଗତି କରୁଛି । ଗ୍ରାହକମାନଙ୍କର ଆଶା ଥିଲା ଟାଟା ପାୱାର ଦାୟିତ୍ୱ ନେଲାପରେ ସମସ୍ୟାରେ ସୁଧାର ଆସିବ । କିନ୍ତୁ ଯଥା ପୁର୍ବ ତଥା ପର । ଦିନରାତି ୨୪ଘଣ୍ଟା ମଧ୍ୟରେ ୫୦ ରୁ ୬୦ ଥର ବିଦ୍ୟୁତ୍ ସଂଯୋଗ କଟିଥାଏ । ପ୍ରାୟତଃ ବିଦ୍ୟୁତ୍ ଆସିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡିଥାଏ । ବାରମ୍ବାର ବିଦ୍ୟୁତ୍ କଟିବା ଯୋଗୁଁ ବଲ୍‌ବ ଠାରୁ ଆରମ୍ଭ କରି ଟି.ଭି., ଫ୍ରିଜ୍‌, ଫ୍ୟାନ୍ ଆଦି ଖରାପ ହୋଇଥାଏ । ୧/୭/୨୦୨୦ଠାରୁ ଟାଟା ପାୱାର କେନ୍ଦ୍ରୀୟ ପରିବଣ୍ଟନ ଲିମିଟେଡ୍ ବିଦ୍ୟୁତ୍‌  ପରିବଣ୍ଟନ ଦାୟିତ୍ୱ ହାତକୁ ନେଇଛି । ରଣପୁରରେ ୬ଗୋଟି ଫିଡର୍ ଯଥା ରଣପୁର, ରଣପୁର ଗ୍ରାମାଚଂଳ, ଦର୍ପନାରାୟଣପୁର, ଗୋପାଳପୁର, ଗୌରାଙ୍ଗପୁର ଓ ହଂସରା । ସର୍ବମୋଟ ୬୫୧ ଗୋଟି ସବ୍‌ଷ୍ଟେସନ୍ ରହିଅଛି । ୨୦,୦୦୦ରୁ ଉର୍ଦ୍ଧ ଉପଭୋକ୍ତା ରହିଛନ୍ତି । ନିୟମ ଅନୁଯାୟୀ ୩ ରୁ ୪ ଉପଭୋକ୍ତା ଙ୍କୁ ନେଇ ଗୋଟିଏ ସେକ୍ସନ ହେବାକଥା । ୪ ରୁ ୫ଗୋଟି ସେକ୍ସନକୁ ନେଇ ଗୋଟିଏ ସବ୍‌ଡିଭିଜନ୍ ହେବାକଥା । ରଣପୁର ଏକ ସବ୍‌ଡିଭିଜନ୍ ମାନ୍ୟତା ପାଇବା ପାଇଁ ସମସ୍ତ ଭିତ୍ତଭୂମି ଥିଲେ ମଧ୍ୟ ଏପର୍ଯ୍ୟନ୍ତ ସବ୍‌ଡିଭିଜନ୍ ଷୋଷଣା ହୋଇନାହିଁ । ଜଣେ କନିଷ୍ଠ ଯନ୍ତ୍ରୀ କାମ କରୁଛନ୍ତି । ଟାଙ୍ଗୀ ସବ୍‌ଡିଭିଜନ୍ ଉପରେ ନିର୍ଭର କରୁଛନ୍ତି । ରଣପୁରଠାରୁ ମାତ୍ର ୧୫କି.ମି. ଦୂର ଚାନ୍ଦପୁରଠାରେ ଏକ ଗ୍ରୀଡ୍ ଥିଲା ବେଳେ ୩୦କି.ମି. ଦୂର ନୟାଗଡ ଲାଠିପଡା ଗ୍ରୀଡ୍ ରୁ ବିଦ୍ୟୁତ୍ ସଂଯୋଗ ଆସୁଅଛି ।

୫୦ ବର୍ଷ ପୂର୍ବେ ଲାଗିଥିବା ବିଦ୍ୟତ୍ ତାରଗୁଡିକ ଲାଇଫ୍ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ତାହା ଏବେ ଝୁଲନ୍ତା ଅବସ୍ଥାରେ ରହିଅଛି । ବର୍ଷା ପବନ ତ ଦୂରର କଥା ସାଧାରଣତଃ ବଡ ଚଢେଇଟିଏ ବସିଲେ ଛିଡିପଡୁଛି । ୬୫୧ ସବ୍‌ଷ୍ଟେସନ୍‌ରେ ଥିବା ବେଳେ କୌଣସି ସବ୍ ଷ୍ଟେସନ୍ ରେ ଏ.ବି. ସୁଇଚ୍ ଗୁଡିକ କାର୍ଯ୍ୟ କରୁନାହିଁ । ଫଳରେ ଅନେକ ଅସୁବିଧା ହେଉଛି । ଏ ସଂପର୍କେ ଦାୟିତ୍ୱରେ ଥିବା ରଣପୁର କନିଷ୍ଠ ଯନ୍ତ୍ରୀ ବିକାଶ କୁମାର୍ ସେନାପତିଙ୍କ ସହ ଯୋଗାଯୋଗ କରିବାରେ କୁହନ୍ତି ଯେ ରଣପୁର ବିଦ୍ୟୁତ୍ ପରିବଣ୍ଟନରେ ସୁଧାର ଆଣିବା ପାଇଁ ଲମ୍ବା କନେକ୍‌ସନ୍ ଥିବା ଫିଡର୍ ଗୁଡିକ ଛୋଟକରିବା, ଏଲ୍ ଟି ତାର ଗୁଡିକ କେବୁଲ୍ ହେବା, ସବ୍‌ଷ୍ଟେସନ୍‌ରେ ଲାଗିଥିବା ଏ.ବି. ସୁଇଚ୍ ଗୁଡିକ ଠିକ୍ ଭାବେ କାର୍ଯ୍ୟ କରିବା, ପୁରୁଣା ତାରଗୁଡିକ ପରିବର୍ତ୍ତନ କରିବା ସହ ସର୍ବୋପରି ଫଲ୍ଟ ଡିଟେକ୍ଟ୍‌ର୍ ମେସିନ୍ ଯୋଗାଇବା ଆବଶ୍ୟକ । ରକ୍ଷଣା ବେକ୍ଷଣା ସାଙ୍ଗକୁ ରଣପୁରକୁ ସବ୍‌ଡିଭିଜନ୍ କରାଗଲେ ବିଦ୍ୟୁତ୍ ପରିବଣ୍ଟନ ବ୍ୟବସ୍ଥାର ସୁଧାର ଆସିପାରିବ ।