Odiapua.com

ରଣପୁର ବିଜେଡ଼ିରେ ଗୋଷ୍ଠୀ କନ୍ଦଳ, ଶିଳାନ୍ୟାସ ପରେ ଫଳକ ଭାଙ୍ଗିଲେ ଅସନ୍ତୁଷ୍ଟ

ନୟାଗଡ଼ ୨୩/୦୮(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ଼ ଜିଲ୍ଲା ରଣପୁର ନିର୍ବାଚନ ମଣ୍ଡଳୀ ଶାସକ ବିଜୁ ଜନତା ଦଳ ଭିତରେ ସନ୍ତୁଷ୍ଟ ଅସନ୍ତୁଷ୍ଟଙ୍କ ମଧ୍ୟରେ ଦୀର୍ଘ ଦିନହେଲା ବିବାଦ କୁହୁଳୁଥିଲା। ଯାହାକି ଅଗଷ୍ଟ ୨୩ ତାରିଖ ଅପରାହ୍ନରେ ରଣପୁର ମହାବିଦ୍ୟାଳୟ ଶିଳାନ୍ୟାସ ଉତ୍ସବ ପରେ ପ୍ରତିଫଳିତ ହୋଇଛି। ରଣପୁର ମହାବିଦ୍ୟାଳୟର ନୂତନ ଶିକ୍ଷା ପ୍ରତିଷ୍ଠାନ ଗୃହ ପାଇଁ ୧ କୋଟି ୫୯ ଲକ୍ଷ ୬୬ ହଜାର ଟଙ୍କା ବ୍ୟୟ ଅଟକଳ ରେ ନୁତନ ଗୃହ ପାଇଁ ଶିଳାନ୍ୟାସ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ ଯୋଗ ଦେଇଥିଲେ। ଶିଳାନ୍ୟାସ ଫଳକରେ ନାମକୁ ନେଇ କିଛିକର୍ମୀ ଅସନ୍ତୁଷ୍ଟ ହୋଇ ପାଟିତୁଣ୍ଡ କରିଥିଲେ।

କିନ୍ତୁ ଶିଳାନ୍ୟାସ ପରେ ଅସନ୍ତୁଷ୍ଟ କର୍ମୀମାନେ ଶିଳାନ୍ୟାସ ଫଳକକୁ ଭାଙ୍ଗି ଦେଇଥିବା ଜଣାପଡିଛି। ଏନେଇ ରଣପୁର ମହାବିଦ୍ୟାଳୟ ଅଧ୍ୟକ୍ଷା ତିଳୋତମା ଜେନାଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ସେ ଫୋନ ଉଠାଇ ନଥିଲେ। ବିଧାୟକ ସତ୍ୟ ନାରାୟଣ ପ୍ରଧାନଙ୍କୁ ଯୋଗାଯୋଗ କରିବାରେ କୁହନ୍ତି ଯେ, ଶିଳାନ୍ୟାସ ସରିଥିଲା। ଶୁଣିବାକୁ ପାଉଛି କିଛି ଅସନ୍ତୁଷ୍ଟ ଶିଳାନ୍ୟାସ ପଛେ ପଛେ ଫଳକ ଭାଙ୍ଗି ଦେଇଛନ୍ତି। ଶାସକ ବିଜୁ ଜନତା ଦଳରେ ଆଗକୁ ନିର୍ବାଚନ ପାଖେଇ ଆସୁଥିବା ବେଳେ ଦଳ ଭିତରେ ଗୋଷ୍ଠୀ କନ୍ଦଳ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମାନେ ମତ ଦେଇଛନ୍ତି।