Odiapua.com

ରଣପୁର ପଞ୍ଚୁଦୋଳ ପଡ଼ିଆରେ ୭୪ ତମ ଗଣେଶ ପୂଜା ଅନୁଷ୍ଠିତ

ନୟାଗଡ/୩୧/୦୮(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ପ୍ରତିବର୍ଷ ରାଜ୍ୟରେ ଭାଦ୍ରବ ମାସ ଶୁକ୍ଲପକ୍ଷ ଚତୁର୍ଥୀ ତିଥିରେ ଅଗ୍ରପୁଜ୍ୟ ବିଘ୍ନବିନାଶକ ଗଣେଶଙ୍କ ପୂଜା ଅନୁଷ୍ଠିତ ହୋଇଥାଏ। ଗତ ୨ ବର୍ଷଧରି କରୋନା କଟକଣା ଯୋଗୁଁ ଗଣେଶ ପୂଜା ଫିକା ପଡ଼ିଯାଇଥିଲା। କିନ୍ତୁ ଚଳିତ ବର୍ଷ ରଣପୁର ପଞ୍ଚୁଦୋଳ ପଡିଆରେ ୭୪ ତମ ଗଣେଶ ପୂଜା ଅନୁଷ୍ଠିତ ହୋଇଯାଇଅଛି। ରଣପୁର ପ୍ରଗତି ଯୁବକ ସଂଘ ଏହି ପୂଜାର ଆୟୋଜକ। ପ୍ରଥମ ଦିବସରେ ରଣପୁର ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ନୟାଗଡ ଜିଲ୍ଲା ପରିଷଦ ସଭାପତି ଇଂ ଦେବାଶିଷ ପଟ୍ଟନାୟକ, ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧକ୍ଷା ରଙ୍ଗୀନ ମହାନ୍ତି, ବଣିକ ସଂଘ ସଭାପତି ଅର୍ଜ୍ଜୁନ ଶର୍ମା ଓ ଯୁବନେତା ବନମାଳୀ ମହାପାତ୍ର ଯୋଗ ଦେଇଥିଲେ।

ପ୍ରତିବର୍ଷ ସାଂସ୍କୃତିକ କାର୍ଯ୍ୟକ୍ରମ ଭାବରେ ବାଦିପାଲା ଅନୁଷ୍ଠିତ ହୋଇଥାଏ। ଚଳିତ ବର୍ଷ ଗାୟକ ଶ୍ରୀଯୁକ୍ତ ନୃସିଂହ ଚରଣ ହୋତା ଓ ଶ୍ରୀଯୁକ୍ତ ସନାତନ ଦାଶ ଙ୍କ ମଧ୍ୟରେ ବାଦିପାଲା ଅନୁଷ୍ଠିତ ହେଉଅଛି। ଏହି ବାଦିପାଲା ୪ ଦିନ ବ୍ୟାପୀ ଚାଲିବ। ଏଥିସହ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଅଛି। ପ୍ରଗତି ଯୁବକ ସଂଘର ସଭାପତି ଲିଙ୍ଗରାଜ ନାୟକ, ସମ୍ପାଦକ କୃଷ୍ଣଚନ୍ଦ୍ର ଦାଶ, ମୁଖ୍ୟ ପରିଚାଳକ ରମେଶ ଚନ୍ଦ୍ର ମହାପାତ୍ର, ମୁଖ୍ୟ ଉପଦେଷ୍ଟା ଶ୍ରୀକାନ୍ତ କୁମାର ସାହୁ, ପ୍ରତ୍ୟକ୍ଷ ତତ୍ୱାବଧାନ କରୁଥିବା ବେଳେ ପ୍ରଗତି ଯୁବକ ସଂଘର ସମସ୍ତ ସଦସ୍ୟ ସମ୍ପୁର୍ଣ୍ଣ ସହଯୋଗ କରିଥିବା ଜଣାପଡିଛି। ଏତଦ୍ ବ୍ୟତୀତ ଜେଲଛକ ନେତାଜୀ ଆଂଚଳିକ ଯୁବ ପରିଷଦ, ସମସ୍ତ ସରକାରୀ ବେସରକାରୀ ଶିକ୍ଷାନୁଷ୍ଠାନ, ମହାବିଦ୍ୟାଳୟ, ଗାଁଗଣ୍ଡା ଗଳିକନ୍ଦିରେ ମଧ୍ୟ ଅଗ୍ରପୁଜ୍ୟ ଗଣେଶ ଙ୍କର ପୂଜା ମହାସମାରୋହରେ ଅନୁଷ୍ଠିତ ହେଉଅଛି।