Odiapua.com

ରଣପୁର ଅଂଚଳରେ ଚାଲିଲା ଦଣ୍ଡ ଠାକୁରଙ୍କ ଲୀଳାଖେଳା

ନୟାଗଡ଼ ୨୯/୦୩(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)- ନୟାଗଡ ଜିଲ୍ଲା ରଣପୁର ଅଂଚଳ ଶୈବକ୍ଷେତ୍ର ଭାବେ ପରିଚିତ। ବିଭିନ୍ନ ଗ୍ରାମ ମାନଙ୍କରେ ୨୭ ଟି ଦଣ୍ଡ ଠାକୁର କୋଠୀ ରହିଅଛି। ପ୍ରତିବର୍ଷ ଚୈତ୍ର ମାସରେ ଦଣ୍ଡ ଠାକୁର ବାହାରି ଥାନ୍ତି। ଗତ ୨ ବର୍ଷ ହେଲା କୋଭିଡ୍ ୧୯ କଟକଣା ଯୋଗୁଁ କବେଳ କୋଠୀ ଭିତରେ ଲୁଚାଛପା ରେ ନିତିକାନ୍ତି ହୋଇଥିଲା। ୨ ବର୍ଷ ପରେ ଦଣ୍ଡ ଠାକୁର କାମନା କୋଠୀରୁ ବାହାରିବା ଯୋଗୁଁ ଭକ୍ତ ଓ ଭକ୍ତାଙ୍କ ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେଇଛି। ରଣପୁର ର ରାଜ ରାଜୁଡା ଅମଳରୁ ବଡ କୋଠୀ କୁହା ଯାଉଥିବା ବାବା ଚଣ୍ଡେଶ୍ୱରଦେବ, ବାବା ସ୍ୱପ୍ନେଶ୍ୱର ଦେବ, ସାରଙ୍ଗଧରପୁର ନୀଳକଣ୍ଠେଶ୍ୱର, ଲେମ୍ବୋଡି ବାଲୁଙ୍କେଶ୍ୱର, ପୁରୁଣାବସନ୍ତ ବାଲୁଙ୍କେଶ୍ୱର ଓ ସାନଗଡ ବାଲୁଙ୍କେଶ୍ୱର କୋଠୀରୁ ଦଣ୍ଡ ଠାକୁର ଭକ୍ତା ମାନଙ୍କ ମାଧ୍ୟମରେ ବାହାରକୁ ଆସି ମାନଙ୍କୁ ଦର୍ଶନ ଦେଇଥିବା ଜଣାପଡିଛି। ପଣାସଂକ୍ରାନ୍ତି ପର୍ଯ୍ୟନ୍ତ ଭକ୍ତ ଓ ଭକ୍ତା ମାନଙ୍କର ୧୭ ଦିନ ବ୍ୟାପୀ ଲୀଳାଖେଳା ଚାଲିବ। ଗତ ମାର୍ଚ୍ଚ ୨୮ ତାରିଖ ବିଳମ୍ବିତ ରାତ୍ରୀରେ କୋଠୀ ମାନଙ୍କରେ ଚୋରୀ ପାଣିତୋଳା ହୋଇ ଠାକୁର ବାହାରିଥିଲେ।

ମାର୍ଚ୍ଚ ୨୯ ତାରିଖ ଅପରାହ୍ନ ରେ ଭକ୍ତା ମାନେ ପାଣିତୁଠ ରେ ନିଜେ ସ୍ନାନ କରି ୯ ଭକ୍ତା ମାନେ ଦଣ୍ଡ ଠାକୁରଙ୍କୁ ଧରି ରଣପୁର ଜଗନ୍ନାଥ ମନ୍ଦିରକୁ ଯାଇଥିଲେ। ସେଠାରେ ରଣପୁର ଅଂଚଳର ଶୁଭ ମନାସ କରିଥିଲେ। ପରେ ପରେ ରଣପୁର ରାଜବାଟିକୁ ଯାଇ ରାଜାଙ୍କ ଠାରୁ ଶାଢୀ ଗ୍ରହଣ କରି ପ୍ରଥମେ ରାଜାଙ୍କର ଶୁଭ ମନାସ କରିଥିଲେ। ଜଗନ୍ନାଥ ମନ୍ଦିର ନିକଟରେ ବାବା ସ୍ୱପ୍ନେଶ୍ୱର ଦଣ୍ଡ ଠାକୁର ଓ ପୁରୁଣାବସନ୍ତ ବାବା ବାଲୁଙ୍କେଶ୍ୱର ଦଣ୍ଡ ଠାକୁର ଙ୍କ ମଧ୍ୟରେ ମେଳନ ହୋଇ ପୁଷ୍ପମାଲ୍ୟ ପ୍ରତିବଦଳ କରାଯାଇଥିଲା। ଏହି ଦୃଶ୍ୟ ଦେଖିବା ପାଇଁ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ସମାଗମ ହୋଇଥିଲା। ପୁରୁଣା ସଂସ୍କୃତି ଓ ପରମ୍ପରା ଅନୁଯାଇ ଚଡେୟା ଚଡଉଣୀ ବାହାରି ଦଣ୍ଡ ଠାକୁରଙ୍କ ନିକଟରେ ନୃତ୍ୟ ପରିବେଶଣ କରି ପ୍ରଭୁଙ୍କର ଗାଥା ଗାନ କରିଥିଲେ। ତାପରେ ସମସ୍ତ ଠାକୁର ନିଜ ନିଜ କୋଠୀ କୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସଂନ୍ଧ୍ୟାରେ ଭକ୍ତାମାନେ ନିଜ କୋଠୀରେ ପଣା ସେବନ ପରେ ରାତ୍ରସାରା ବିଭିନ୍ନ ଭକ୍ତଙ୍କ ଦ୍ୱାରକୁ ଯାଇ ଶିବ ମହିମା ସର୍ମ୍ପକିତ ନୃତ୍ୟ ପରିବେଶଣ କରିବେ। ଧୂପଝୂଣାର ମହକରେ ଆକାଶ ପ୍ରକମ୍ପିତ ହେବାର ଦେଖାଯାଇଥିଲା।