Odiapua.com

ରଣପୁରରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧/୬-ଦ୍ୱିତୀୟ ଶ୍ରୀକ୍ଷେତ୍ର ଭାବେ ଦାବି କରି ଆସୁଥିବା ରଣପୁର ବାସୀଙ୍କ ମନରେ ଆଜିଠୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବା ଯୋଗୁଁ ଆନନ୍ଦ ଉଲ୍ଲାସ ଦେଖାଦେଇଛି । ରଣପୁରରେ ରଥ ନିର୍ମାଣ ହେବା  ନ ହେବା ନେଇ ଛକାପନ୍‌ଝା ଚାଲିଥିବା ବେଳେ ମନ୍ଦିର ପରିଚାଳନା କମିଟିର ଚିଠି  ରଣପୁର ପ୍ରେସ୍ କ୍ଲବ୍‌ର ଅନୁରୋଧ ଓ ରଣପୁର ବିଧାୟକ ତଥା ଯୋଜନା ବୋର୍ଡର ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନଙ୍କ ହସ୍ତକ୍ଷେପ ଫଳରେ ନୟାଗଡ ଜିଲ୍ଲା ପ୍ରଶାସନ ରଣପୁରରେ ରଥ ନିର୍ମାଣ ପାଇଁ ଅନୁମତି ଦେଇଥିଲେ । ଗତ ମେ ୨୭ ତାରିଖରୁ ରଥକାଠ ଗଛ କାଟିବା ଓ ସେହି କାଠକୁ ଚିରିବା କାର୍ଯ୍ୟ ପାଇଁ ୫ ଦିନ ଧରି କାର୍ଯ୍ୟ ଚାଲିଥିଲା ।

ଆଜି ଜୁନ୍ ୧ ତାରିଖ ସକାଳୁ ମହାରଣାମାନେ ରଥ ନିର୍ମାଣ କାର୍ଯ୍ୟ  ତଥା ନୂତନ ଚକ ନିର୍ମାଣ ପାଇଁ କାର୍ଯ୍ୟ ଆରମ୍ଭ କରିଥବା ଜଣାପଡିଛି । ଏ ସଂପର୍କେ ୩ ରଥର ମୁଖ୍ୟ ମହାରଣା ଭାବେ କାର୍ଯ୍ୟ କରୁଥିବା କବିରାଜ ମହାରଣାଙ୍କ ସହ ଯୋଗାଯୋଗ କରିବାରୁ କୁହନ୍ତି ଯେ ଆଜି ୮ ଜଣ ମହାରଣା ପ୍ରଥମ କରି କାର୍ଯ୍ୟ ରେ ଯୋଗଦାନ କରିଛନ୍ତି । ଏହା ଭିତରେ ଅନ୍ୟ ମହାରଣାମାନଙ୍କୁ ସାମିଲ୍ କରାଯିବ । ଆଗାମୀ ଜୁନ୍ ୨୦ତାରିଖରେ ନେତ୍ର ଉତ୍ସବ ପଡୁଅଛି । ଆଜିଠାରୁ ମହାରଣାମାନେ ଦିନରାତି କାର୍ଯ୍ୟ କଲେ ନେତ୍ର ଉତ୍ସବ ବେଳକୁ ରଥକାର୍ଯ୍ୟ ଶେଷ ହେଇଯିବ ।