Odiapua.com

ରଣପୁରରେ ବିଶ୍ୱଶାନ୍ତି ମହାଶକ୍ତି ମା ମଣିନାଗ ମହାଯଜ୍ଞ ପୁର୍ଣ୍ଣାହୁତି ଅନୁଷ୍ଠିତ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୧୪/୦୩-ପୁରାଣ ପ୍ରସିଦ୍ଧ ରଣପୁର ଉପର ମଣିନାଗ ପୀଠରେ ୫ଦଶ ବାର୍ଷିକ ବିଶ୍ୱଶାନ୍ତି ମହାଶକ୍ତି ମା ମଣିନାଗ ମହାଯଜ୍ଞ ପୁର୍ଣ୍ଣାହୁତି ଶନିବାର ମୀନ ସଂକ୍ରାନ୍ତି ଅବସରରେ ଅନୁଷ୍ଠିତ ହୋଇଯାଇଅଛି । ଏହି ମହାଯଜ୍ଞ ମାର୍ଚ୍ଚ ୧୧ ତାରିଖ ବୁଧବାରଠାରୁ ଆରମ୍ଭ ହୋଇଥିଲା । ଆବାହକ ପଣ୍ଡିତ ଗୋଦାବରୀଶ ମିଶ୍ର, ମନୋରଂଜନ ଷଡଙ୍ଗୀ ପ୍ରମୁଖ ବହୁ ନୈଷ୍ଠିକ ବ୍ରାହ୍ମଣମାନେ ଏହି ମହାଯଜ୍ଞ କାର୍ଯ୍ୟ ନିଷ୍ଠାର ସହ ଅନୁଷ୍ଠିତ କରାଇଥିଲେ । ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ, ପୁର୍ବତନ ରାଜ୍ୟ ସଭା ସାଂସଦ ଓ ପୁର୍ବତନ ବିଧାୟକ ରବିନାରାୟଣ ମହାପାତ୍ର, ଓଡିଶା ସାମ୍ବାଦିକ ସଙ୍ଘ ଶୃଙ୍ଖଳା କମିଟି ଅଧ୍ୟକ୍ଷ ତଥା ରାଜ୍ୟ ଦୁର୍ନୀତି ନିବାରଣ ଅପରାଧ ନିୟନ୍ତ୍ରଣ କମିଟିର ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ, ଇଂ.ଦେବାଶିଷ ପଟ୍ଟନାୟକ, ଯୁବନେତା ସଚ୍ଚିକାନ୍ତ ଷଡଙ୍ଗୀ ଙ୍କ ସହ ହଜାର ହଜାର ଶ୍ରଦ୍ଧାଳୁ ମଣିନାଗ ପ୍ରେମୀଙ୍କର ଉପର ମଣିନାଗ ପୀଠକୁ ଧାଡି ଲମ୍ବିଥିଲା ।

ଅପରାହ୍ନ ଗୋଧୁଳି ସମୟରେ ହଜାର ହଜାର ଶ୍ରଦ୍ଧାଳୁ ମଣିନାଗ ଭକ୍ତଙ୍କର ଉପସ୍ଥିତିରେ ପୁର୍ଣ୍ଣାହୁତି ସମ୍ପନ୍ନ କରାଯାଇଥିଲା । ଏହି ଅବସରରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଉପର ମଣିନାଗ ରାସ୍ତାର ଗାର୍ଡୱାଲ, ଡ୍ରେନେଜ୍‌, ଆଲୋକୀକରଣ, ପାଇପ୍ ଯୋଗେ ପାନୀୟ ଜଳର ବନ୍ଦୋବସ୍ତ ସହ ଏକ ଅତିଥି ଗୃହ ନିର୍ମାଣ କରିବେ ବୋଲି ଦୃଢ ସଙ୍କଳ୍ପ କରିଥିଲେ । କେବଳ ନୟାଗଡ ଜିଲ୍ଲା ନୁହେଁ ସାରା ଓଡିଶାରେ ଏହି ପୀଠର ଉନ୍ନତି ହେଲେ ୧ ନମ୍ବର ପର୍ଯ୍ୟଟନ କ୍ଷେତ୍ର ହୋଇପାରିବ ବୋଲି ସମସ୍ତେ ଅନୁଭବ କରିଥିଲେ । ମଣିନାଗ ସେନା ଓ ରଣପୁର ଜନସାଧାରଣ ଙ୍କ ସହଯୋଗରେ ସମୁଦ୍ର ପତନଠାରୁ ୧୨୦୯ ମିଟରରେ ଏହି ମହାଯଜ୍ଞ ସମ୍ଭବ ହୋଇପାରିଥିଲା