Odiapua.com

ରଣପୁରକୁ ମା’ ଖିଲାମୁଣ୍ଡା କାଠିରେ ଆସିଥିଲେ ପାରା ରେ ଉଡ଼ିଗଲେ

ନୟାଗଡ଼ ୦୬/୧୦ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ରଣପୁରର ରାଜା ନାରାୟଣ ନରେନ୍ଦ୍ରଙ୍କ ସମୟରୁ ପ୍ରତିବର୍ଷ ଦ୍ୱିତୀୟା ଓଷା ଅବସରରେ ସୁଦୁର ଘଞ୍ଚ ମାଳରୁ ମା’ ଖିଲାମୁଣ୍ଡା ରଣପୁର ରାଜ ଉଆସକୁ ଶାରଦୀୟ ଦୁର୍ଗା ପୂଜାରେ ଷୋଳ ପୂଜା ପାଇଁ ଆସିଥାନ୍ତି। ଇତି ମଧ୍ୟରେ ଅମାବାସ୍ୟା ଦିନ ଠାରୁ ରାଜବାଟୀରେ ଥିବା ମା ମଣିନାଗ ଓ ପୁରୁଣାବସନ୍ତ ଠାରେ ମା ନାରାୟଣୀ ନବରାତ୍ର ପୂଜା ପାଇଁ ରାଜ ଉଆସରେ ସାମିଲ୍ ହୋଇଥାନ୍ତି। ଚଳିତବର୍ଷ ନବରାତ୍ର ପୂଜା ଶେଷ ପରେ ପୀଠେ ଦଶହରା ଅବସରରେ ରାଜ ଉଆସରୁ ମା’ ଖିଲାମୁଣ୍ଡା, ମା ମଣିନାଗ, ମା ନାରାୟଣୀ ଦଶହରା ପଡିଆକୁ ଯାଇଥିଲେ। ସେଠାରେ ରଣପୁର ରାଜା ଦିଲ୍ଲିପ ଚନ୍ଦ୍ର ସିଂଦେଓ ଓ ଯୁବରାଜ କୈାସିକ ଚନ୍ଦ୍ର ସିଂଦେଓ ସେଠାରେ ପହଞ୍ଚି ଥିଲେ।

ଷୋଢ଼ଷ ଉପଚାରରେ ମା’ ଖିଲାମୁଣ୍ଡାଙ୍କୁ ପୂଜାର୍ଚ୍ଚନା ପରେ ବିଧି ବ୍ୟବସ୍ଥା ଅନୁସାରେ ରାଜାଙ୍କ ଉପସ୍ଥିତିରେ ତୋପ ସଲାମୀ ଦିଆଯାଇଥିଲା। ପରେ ପରେ ଏକ ପାରା ପକ୍ଷୀ ଉଡ଼ାଇ ଦିଆଯାଇଥିଲା। ବିଶ୍ୱାସ ଓ ପରମ୍ପରା ଅନୁଯାଇ ମା’ ଖୀଲାମୁଣ୍ଡା ସେହି ପାରା ପକ୍ଷୀରେ ଉଡ଼ି ଉଡ଼ି ସ୍ୱସ୍ଥାନକୁ ବିଜେ କରିଥିଲେ। ସେଥିପାଇଁ କୁହାଯାଏ ମା’ ଖିଲାମୁଣ୍ଡା କାଠିରେ ଆସି ପାରା ରେ ଉଡ଼ିଗଲେ। ସେହିଭଳି ଭାବରେ ସମସ୍ତ ମଣ୍ଡପରେ ହୋଇଥିବା ଦୁର୍ଗାପୂଜା ମଧ୍ୟ ଶେଷ ହୋଇଯାଇଥିବା ଜଣାପଡ଼ିଛି।