Odiapua.com

ରଣନୀତି ବଦଳାଇବାକୁ ବାଧ୍ୟ ହୋଇପାରେ ବିଜେଡ଼ି !

ଓଡ଼ିଶାରେ ଦୀର୍ଘ ୨୨ ବର୍ଷ ଧରି ଶାସନ କ୍ଷମତାରେ ରହି ଆସୁଛି ବିଜୁ ଜନତା ଦଳ। ୨୦୦୯ ମସିହା ପର୍ଯ୍ୟନ୍ତ ଓଡ଼ିଶାରେ ବିଜେଡ଼ି ଓ ବିଜେପିର ମିଳିତ ସରକାର ଥିଲା। ମାତ୍ର ତା ପର ଠାରୁ ବିଜେଡ଼ି ଏକାକୀ ନିର୍ବାଚନ ଜୀତିକରି ଆସୁଛି। ଆଗାମୀ ୨୦୨୪ ମସିହାରେ ଦେଶରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଆବଶ୍ୟକ ପଡ଼ିଲେ କେନ୍ଦ୍ରରେ ଏନଡ଼ିଏ ସରକାର ୨୦୨୩ ରେ ମଧ୍ୟ ସାଧାରଣ ନିର୍ବାଚନ କରାଇ ପାରେ। ତା’ ଛଡା ଏବେ ଓଡ଼ିଶାରେ ଦୁଇ ଜଣ ବିଧାୟକଙ୍କ ଅକାଳ ମୃତ୍ୟୁ ପରେ ଦୁଇଟି ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଧାମନଗର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ସାରିଛି। ପଦ୍ମପୁର ଉପନିର୍ବାଚନ ପାଇଁ ଖୁବ ଶୀଘ୍ର ତାରିଖ ଘୋଷଣା ହେବ। ତେଣୁ ବିଜେଡ଼ି ଶିବିରରେ ଏବେ ଆଗାମୀ ନିର୍ବାଚନ ପାଇଁ ନୂତନ ରଣନୀତି ପ୍ରସ୍ତୁତ ହେଉଛି ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣା ପଡ଼ିଛି।

୨୦୦୯ ମସିହା ପର ଠାରୁ ବିଜେଡ଼ି ସର୍ବଦା ସୁବିଧାବାଦୀ ରାଜନୀତିରେ ଭରସା କରି ନିର୍ବାଚନ ରଣନୀତି ପାର ହୋଇ ଆସୁଛି। ୨୦୦୯ ମସିହାରେ କେନ୍ଦ୍ରରେ ୟୁପିଏ ସରକାର ଥିଲା। ସେହି ସମୟରେ ବିଜେଡ଼ି କେନ୍ଦ୍ର ସରକାର ସହିତ ସମତାଳମେଳ ଦେଇ ଚାଲିଥିଲା। ସମାନୁପାତରେ ଓଡ଼ିଶାରେ କଂଗ୍ରେସ ମୁଖ୍ୟ ବିରୋଧି ଦଳ ଥିଲା। କଂଗ୍ରେସର ପିସିସ ସଭାପତି ହୁଅନ୍ତୁ ଅବା ବିରୋଧି ଦଳ ନେତା ହୁଅନ୍ତୁ ଅବା କଂଗ୍ରେସର ଆଗ ଧାଡ଼ିର ନେତା ହୁଅନ୍ତୁ ସମସ୍ତଙ୍କୁ କଳେବଳେ କୌଶଳେ ବିଜେଡ଼ି କରାୟତ କରି ବିରୋଧି ଦଳକୁ ଏକ ପ୍ରକାର ସ୍ଥାଣୁ କରି ଦେଇଥିଲା ଓ ବିଭିନ୍ନ ନିର୍ବାଚନରେ ଅଣାୟତରେ ବିଜୟ ହାସଲ କରୁଥିଲା। ୨୦୧୪ ମସିହାରେ କେନ୍ଦ୍ରରେ ସରକାର ପରିବର୍ତ୍ତନ ହେଲା। ବିଜେପି ନେତୃତ୍ୱ ଏନଡ଼ିଏ ଶାସନ କ୍ଷମତାକୁ ଆସିଲା। ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହେଲେ। ଯେହେତୁ ୨୦୦୯ ମସିହାରେ ବିଜେଡ଼ି, ବିଜେପି ହାତ ଛାଡ଼ି ଏକୁଟିଆ ନିର୍ବାଚନ ଲଢିଲା ତେଣୁ ବିଜେଡ଼ି ଓ ବିଜେପି ପରମଶତ୍ରୁ ଭାବରେ ନିର୍ବାଚନରେ ଉତ୍ତୀର୍ଣ୍ଣ ହେଲେ। ଫଳାଫଳ କିନ୍ତୁ ବିଜେଡ଼ି ସପକ୍ଷରେ ଗଲା। ଏପରିକି ୨୦୧୭ ମସିହା ପଂଚାୟତ ନିର୍ବାଚନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ବିଜେପି ରାଜ୍ୟରେ ଭଲ ପ୍ରଦର୍ଶନ କଲା। ତାପରେ ବିଜେଡ଼ି ଶିବିରରେ ଛନକା ପଶିଲା। ବାଧ୍ୟ ହେଲା କେନ୍ଦ୍ର ସହିତ ସାଲିସ କରିବା ପାଇଁ। ବିଶେଷ କରି ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ କି ପ୍ରକାର ଭିତିରିଆ ସାଲିସ ହେଲା ଯେ, ଧର୍ମେନ୍ଦ୍ର ଆଉ ଆଗ ଭଳି ଓଡ଼ିଶା ପାଇଁ ସେତେଟା ଆଗ୍ରହ ପରିପ୍ରକାଶ କଲେ ନାହିଁ। ୨୦୧୯ ନିର୍ବାଚନରେ ଏପରି ଭାବରେ ଭିତିରିଆ ସାଲିସ ହେଲା ଯେ, ବିଜେପି ଲୋକସଭା ଆସନରେ ଭଲ ପ୍ରଦର୍ଶନ କଲା ଓ ବିଧାନସଭା ଆସନରେ ୨୩ ଖଣ୍ଡ ସିଟ ଜିତି ମୁଖ୍ୟ ବିରୋଧି ଦଳରେ ବସିଲା। ଏହି ନିର୍ବାଚନ ସମୟରେ ରାଜନୈତିକ ପାଣିପାଗ ଏପରି ଥିଲା ଯେ, ବିଜେଡ଼ି ଶାସନକୁ ଫେରିବା ମୁସ୍କିଲ ଥିଲା। ମାତ୍ର ଭିତିରିଆ ଷଡ଼ଯନ୍ତ୍ର ବିଜେପିକୁ କ୍ଷତିରେ ପକାଇଲା। ତତ୍‌ସହିତ ଓଡ଼ିଶା କଂଗ୍ରେସର ମଙ୍ଗ ଧରିଥିବା ନିରଞ୍ଜନ ପଟ୍ଟନାୟକ ଦଳକୁ ଏକପ୍ରକାର ନିସ୍ତେଜ ଅବସ୍ଥାକୁ ନେଇ ଯାଇଥିଲେ। ଶୁଣାଗଲା ନିଜର ବ୍ୟବସାୟିକ ସ୍ୱାର୍ଥ ଦୃଷ୍ଟିରୁ ନିରଞ୍ଜନ କଂଗ୍ରେସ ଦଳକୁ ବିଜେଡ଼ି ହାତରେ ଟେକି ଦେଇଥିଲେ। ଏ ସମସ୍ତ ରଣନୀତି ବ୍ୟତୀତ ପ୍ରଶାସନିକ କଳର ଅପବ୍ୟବହାର, ଅର୍ଥବଳ ମଧ୍ୟ ବିଜେଡ଼ି ବିଜୟର ପ୍ରମୁଖ କାରଣ ବୋଲି ସର୍ବଦା ବିଭିନ୍ନ ମହଲରେ ଆଲୋଚନା ହୁଏ।

ଏବେ ସାରାଦେଶରେ ରାଜନୈତିକ ପାଣିପାଗର ଏକ ବିରାଟ ପରିବର୍ତ୍ତନ ଦେଖିବାକୁ ମିଳୁଛି। କଂଗ୍ରେସ ନେତା ରାହୁଳ ଗାନ୍ଧୀ ଭାରତ ଯୋଡ଼ୋ ଯାତ୍ରା ଆରମ୍ଭ କରିଛନ୍ତି। କଂଗ୍ରେସର ପୁନରୁଦ୍ଧାର ପାଇଁ ଏହା ଏକ ଅମୋଘ ଅସ୍ତ୍ର ବୋଲି ସାରା ଦେଶରେ ଚର୍ଚ୍ଚା। ତା’ ଛଡା ରାଜ୍ୟରେ କଂଗ୍ରେସ ସଭାପତି ପରିବର୍ତ୍ତନ ହୋଇଛି। ଶରତ ପଟ୍ଟନାୟକ କଂଗ୍ରେସ ମୁଖିଆ ହୋଇଛନ୍ତି। ସାଲିସ ବିହୀନ ରାଜନୀତିକୁ ସେ ପ୍ରଶୟ ଦେଉ ନାହାଁନ୍ତି। ସାରା ଦେଶରେ ରାହୁଳଙ୍କ ଭାରତ ଯୋଡ଼ୋ ଯାତ୍ରା ଯଦି ପ୍ରଭାବ ପକାଇବ ତାର ପ୍ରଭାବ ଓଡ଼ିଶାରେ ମଧ୍ୟ ପଡ଼ିବ। ତେଣୁ ଓଡ଼ିଶାରେ କଂଗ୍ରେସ ଭଲ ଫଳାଫଳ କରିବ ବୋଲି ଆଶା କରାଯାଏ।

ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାକୁ ନେଇ କେନ୍ଦ୍ର ସରକାର ବଦ୍‌ନାମ। ବିଜେପି ମଧ୍ୟ କ୍ଷମତା ଛାଡ଼ିବା ମତଲବରେ ନାହିଁ। ଶାସକ ବିରୋଧି ହାୱା ଭାରତ ବର୍ଷରେ ଆରମ୍ଭ ହୋଇ ଗଲାଣି। ବିଜେପି କିନ୍ତୁ ସହଜରେ କ୍ଷମତା ଛାଡ଼ିବା ମତଲବରେ ରହିବ ନାହିଁ। ତେଣୁ ଯେଉଁ ରାଜ୍ୟରେ ବିଜେପିର ଭଲ ଭୋଟ ବ୍ୟାଙ୍କ ଅଛି ଏବଂ କ୍ଷମତାକୁ ଆସି ପାରୁ ନାହିଁ, ସେଠାରେ ଗୁରୁତ୍ୱ ଦେବା ଆରମ୍ଭ କଲାଣି ବିଜେପି। ସେହି କ୍ରମରେ ଓଡ଼ିଶାରେ ଫୋକସ କରୁଛି ବିଜେପି। ପ୍ରଥମ ଦଫାରେ ଦୁଇ ଦଳ ମଧ୍ୟରେ ଗଠବନ୍ଧନକୁ ଗୁରୁତ୍ୱ ଦେବ ବିଜେପି। ଦରକାର ପଡ଼ିଲେ କଠୋର ଆଭିମୁଖ୍ୟ ମଧ୍ୟ ଗ୍ରହଣ କରିବ ବିଜେପି। ଯଦି ସମ୍ଭବ ନହୁଏ ତେବେ କଡା ପ୍ରତିଦ୍ୱନ୍ଦୀ ହେବା ପାଇଁ ବିଜେପି ସଜବାଜ ହେବ। ଓଡ଼ିଶାର ସମସ୍ତ କେନ୍ଦ୍ରୀୟ ନେତୃବୃନ୍ଦଙ୍କୁ ଏଥି ପାଇଁ କଡ଼ା ତାଗିଦ। ସେହି କ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ସତର୍କ ହୋଇ ସାରିଛନ୍ତି। ଏବେ ପୁରା ଫୋକସ ଓଡ଼ିଶାରେ। କଳେବଳେ କୌଶଳେ ଓଡ଼ିଶା ଦଖଲ ପାଇଁ ବିଜେପି ରଣନୀତି ପ୍ରସ୍ତୁତ କରୁଛି।

ତେଣୁ କେନ୍ଦ୍ର ନେତୃତ୍ୱଙ୍କ ସହିତ ଭିତିରିଆ ସାଲିସ କରି ଏଥର ନିର୍ବାଚନ ବୈତରଣୀ ପାର ହେବା ବିଜେଡ଼ି ପାଇଁ ସମ୍ଭବ ନୁହେଁ। ଆଗାମୀ ଦୁଇ ଉପନିର୍ବାଚନରେ ବିଜେପି ଫୁଲଦମ୍‌ରେ ଲଢ଼ିବ। କେନ୍ଦ୍ରର ତୁଙ୍ଗ ବିଜେପି ନେତାମାନେ ମଧ୍ୟ ଓଡ଼ିଶା ଆସିବେ ପ୍ରଚାରରେ। ଭିତିରିଆ ସୁତ୍ରରୁ ଜଣାପଡ଼ିଛି ଯେ, ଦରକାର ପଡ଼ିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନ ହେଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ନତୁବା ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡା ଧାମନଗର ପ୍ରଚାରରେ ଆସିବା ପାଇଁ ବ୍ଲୁ ପ୍ରିଂଟ ପ୍ରସ୍ତୁତ ହେଉଛି।

ସେହି କ୍ରମରେ ବିଜେଡ଼ି ଏବେ ତାର ପୁରୁଣା ନିର୍ବାଚନ ଫର୍ମୁଲା ପରିବର୍ତ୍ତନ କରିବାକୁ ବାଧ୍ୟ ହେବ। ବିଜେପି ସହିତ ଗଠବନ୍ଧନ କରିବା ପାଇଁ ଏକପ୍ରକାର ନିଷ୍ପତି ହୋଇ ସାରିଛି ବୋଲି ନିର୍ଭରଯୋଗ୍ୟ ସୁତ୍ରରୁ ଜଣା ପଡ଼ିଛି। ନହେଲେ ବିଜେଡ଼ିର ଅଧାରୁ ଅଧିକା ନେତାଙ୍କ ଚିଟ୍‌ଫଣ୍ଡ ଓ ଖଣି ଦୁର୍ନୀତି ଫାଇଲ ଖୋଲିବା ନେଇ କେନ୍ଦ୍ରୁ ସରକାର ଭିତିରିଆ ଇସାରା ମଧ୍ୟ ଦେଇ ସାରିଲେଣି। ତେଣୁ ଆସନ୍ତା ଦୁଇ ଉପନିର୍ବାଚନ ପରେ ବିଜୁ ଜନତା ଦଳର ରାଜନୈତିକ ସ୍ଥିତିରେ ସଂପୂର୍ଣ୍ଣ ପରିବର୍ତ୍ତନ ଘଟିବ ଏଥିରେ ସନ୍ଦେହ ନାହିଁ।

ପ୍ରିୟରଞ୍ଜନ ସାହୁ