Odiapua.com

ରଜ ପର୍ବ ପାଳନ ସମାରୋହ, ପାରମ୍ପରିକ ରଜ ଦୋଳି ଗୀତ ଓ ରଜ ପିଠା ପ୍ରତିଯୋଗିତା

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଭଦ୍ରକ ଜିଲ୍ଲା ପ୍ରଶାସନର ସଂସ୍କୃତି ଅନୁଭାଗ ଆନୁକୂଲ୍ୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଆଜି ରଜ ପର୍ବ ପାଳନ ସମାରୋହ ଅବସରରେ ରଜ ଦୋଳି ଖେଳ ସହ ପାରମ୍ପରିକ ରଜଦୋଳି ଗୀତ ଓ ପିଠା ଉପରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସୁଦୃଶ୍ୟ ରଜ ଦୋଳି ପ୍ରସ୍ତୁତ କରାଯାଇଥିଲା। ଜିଲ୍ଲା କ୍ରୀଡ଼ା ଅଧିକାରୀ ପଦ୍ମନ ରାୟ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ତଥା ପୂର୍ବତନ ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ସୁବାସ ଚନ୍ଦ୍ର ନାୟକ ଅତିଥି ଭାବେ ଯୋଗ ଦେଇ ରଜ ପର୍ବର ବିଶେଷତ୍ୱ ଉପରେ ଆଲୋକପାତ କରିଥିଲେ। ବ୍ଲକ କଳା ସଂସ୍କୃତି ସଂଘ ଓ ନଗର କଳା ସଂସ୍କୃତି ସଂଘର ଉପସଭାପତିମାନଙ୍କ ସହଯୋଗରେ ବ୍ଲକ ପ୍ରଶାସନ ତରଫରୁ ଆସିଥିବା ଦଳମାନେ ପ୍ରତିଯୋଗୀ ଭାବେ ରଜ ଗୀତ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। କେଶବ ଚନ୍ଦ୍ର ଜେନା, ରାମଚନ୍ଦ୍ର ପଣ୍ଡା ରଜ ଗୀତ ପ୍ରତିଯୋଗିତାର ଏବଂ ମମତାର ଜିଲ୍ଲା ସଂଯୋଜକ ପୂର୍ବତନ ଓଡ଼ିଆ ଅଧ୍ୟାପିକା ରାଧାରାଣୀ ମହାପାତ୍ର ପିଠା ପ୍ରତିଯୋଗିତାରେ ବିଚାରକ ଭାବେ ମୂଲ୍ୟାଙ୍କନ କରିଥିଲେ। ରଜଗୀତ ପ୍ରତିଯୋଗିତାରେ ତିହିଡ଼ି ବ୍ଲକ୍ ପ୍ରଥମ, ଚାନ୍ଦବାଲି ବ୍ଲକ ଦ୍ୱିତୀୟ ଓ ଧାମନଗର ବ୍ଲକ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ।

ସେହିଭଳି ପିଠା ପ୍ରତିଯୋଗିତାରେ ଭଦ୍ରକର ମା ସନ୍ତୋଷୀ ସ୍ୱୟଂ ସହାୟିକା ଗୋଷ୍ଠୀ, କଲେଇ ୧ମ, ମାତାରିଣୀ ସ୍ୱୟଂ ସହାୟିକା ଗୋଷ୍ଠୀ, ଏରେଇଁ ଓ ମା ମଙ୍ଗଳା ସ୍ୱୟଂ ସହାୟିକା ଗୋଷ୍ଠୀ, କନ୍ତିଆ ୨ୟ ଓ ୩ୟ ସ୍ଥାନ ନେଇଥିଲେ। କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ସହ, ୧ମ ପାଇଁ ଏକ ହଜାର, ୨ୟ ପାଇଁ ସାତଶହ ଓ ୩ୟ ପାଇଁ ପାଞ୍ଚଶହ ଟଙ୍କାର ଆର୍ଥିକ ପୁରସ୍କାର ପ୍ରଦାନ କରାଯାଇଥିଲା। ୮ଟି ସ୍ୱୟଂ ସହାୟକ ଗୋଷ୍ଠୀ ପିଠା ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିର୍କାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏଡି କାର୍ଯ୍ୟକ୍ରମ ପରିଚାଳନାରେ ଜିଲ୍ଲା ସାମାଜିକ ଓ ସଂସ୍କୃତି ପ୍ରବର୍ତ୍ତକ ଶ୍ରୀକାନ୍ତ ଖୁଣ୍ଟିଆ ଆନୁସଙ୍ଗିକ ସହଯୋଗ କରିଥିଲେ। ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସୁବାସ ଚନ୍ଦ୍ର ମଲ୍ଲିକ୍‌, ନଗରକଳା ସଂସ୍କୃତି ସଂଘର ଉପସଭାପତି ନରେନ୍ଦ୍ର ପ୍ରସାଦ ପରିଡ଼ା, ଭଦ୍ରକ ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ପ୍ରଶାନ୍ତ କୁମାର ବେହେରା, ଚାନ୍ଦବାଲି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ତ୍ରିଲୋଚନ ପଣ୍ଡା, ବାସୁଦେବପୁର ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସନାତନ ପୁରୀ, ତିହିଡ଼ି ବ୍ଲକ କଳା ସଂସ୍କୃତି ସଂଘର ଉପସଭାପତି ସତ୍ୟବ୍ରତ ତ୍ରିପାଠୀ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।