Odiapua.com

ରଙ୍ଗିଲା ବାବୁଙ୍କ ମାଳ ମାଳ ସ୍ତ୍ରୀ, ଏସପିଙ୍କ ନିକଟରେ ଦୁଇ ପତ୍ନୀ ଫେରାଦ

ଭଦ୍ରକ, ୨୭ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରସିକ ରାଜ ରଙ୍ଗିଲା ବାବୁ ଗୋଟାଏ ନୁହେଁ ଏକାଧିକ ବିବାହ କରି ସେମାନଙ୍କର ସୁନାଗହଣା ଓ ଲକ୍ଷ ଲକ୍ଷ ଟଙ୍କା ଲୁଟିନେବା ଅଭିଯୋଗ ଜିଲା ଆରକ୍ଷୀ ଅଧୀକ୍ଷକ ମନୋଜ ରାଉତଙ୍କ ନିକଟରେ କରିଛନ୍ତି ଦୁଇ ପତ୍ନୀ। ରଙ୍ଗିଲା ବାବୁ ଜଣକ ହେଲେ ଭଦ୍ରକ ଗ୍ରାମାଂଚଳ ଥାନା ଅଧୀନସ୍ଥ ଚୁନିଦା ରସିକାବାଜର ସୀତାଂଶୁ ଶେଖର ସାହୁ। ସୀତାଂଶୁ ବାଙ୍ଗାଲୋରରେ ରହି ଏକ ଫୁଡ ସେଲର ଭାବେ କାର୍ଯ୍ୟ କରନ୍ତି । ରଙ୍ଗିଲା ବାବୁ ସୀତାଂଶୁ ଗୋଟିଏ ବିବାହ କରିବା ପରେ ତାଙ୍କ ନିକଟରୁ ସୁନା ଓ ଅର୍ଥରାଶି ହଡପ କରିବା ପରେ ପୁରୁଣା ସ୍ତ୍ରୀକୁ ଛାଡି ଆଉ ଜଣକୁ ବିବାହ କରନ୍ତି। ଏବଂ ସେମାନଙ୍କର ଅନ୍ତରଙ୍ଗ ଅଶ୍ଳୀଳ ଫଟୋ ଭାଇରାଲ କରିବାର ଧମକ ଦେଇ ଚୁପ୍ ରଖନ୍ତି। ନିଜ ସ୍ୱାମୀଙ୍କ ନାମରେ ଏପରି ସାଙ୍ଘାତିକ ଅଭିଯୋଗ ଆଣିବା ସହିତ ଭଦ୍ରକ ଏସପିଙ୍କ ନିକଟରେ ଫେରାଦ ହୋଇଛନ୍ତି ଦୁଇ ଜଣ ସ୍ତ୍ରୀ ସଂଜନା ଓ ସୁନନା। ଗତ ୨୦୨୨ ଜୁନ୍‌ରେ ବାଲେଶ୍ୱରର ସଞ୍ଜନା ବାରିକଙ୍କୁ ସେ ବିବାହ କରିଥିବାବେଳେ ତାଙ୍କୁ ବିଭିନ୍ନ ଶାରୀରିକ ଓ ମାନସିକ ନିର୍ଯାତନା ଦେବା ସହିତ ତାଙ୍କ ଠାରୁ ସମସ୍ତ ସୁନାଗହଣା ସହିତ ଲକ୍ଷାଧିକ ଟଙ୍କା ନେଇଯାଇଥିଲେ। ପରେ ସଞ୍ଜନାଙ୍କ ଅଗୋଚରରେ ୨୦୨୪ ଫେବୃଆରୀରେ ଭଦ୍ରକ ଚରମ୍ପା ରାହାଞ୍ଜର ସୁନନା ସାହୁଙ୍କୁ ବିବାହ କରିଥିଲେ। ସୁନନାଙ୍କୁ ମଧ୍ୟ ସମାନ ନିର୍ଯାତନା ଦେବା ସହିତ ପ୍ରାୟ ୧୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକି ନେଇଥିବା ବିଷୟ ଦ୍ୱିତୀୟ ପତ୍ନୀ ଅଭିଯୋଗ କରିଛନ୍ତି। ଉଭୟ ପତ୍ନୀ ସ୍ୱାମୀଙ୍କ କଳାକାରନାମା ଜାଣିବା ପରେ ଭଦ୍ରକ ଗ୍ରାମାଂଚଳ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବାରୁ ସେମାନେ ନ୍ୟାୟ ପାଇଁ ଏସପିଙ୍କ ଦ୍ୱାରସ୍ତ ହୋଇଛନ୍ତି। ଏବେ ରଙ୍ଗିଲା ବାବୁ ସୀତାଂଶୁ ଭଦ୍ରକର ଆଉ ଜଣେ ଝିଅଙ୍କୁ ବିବାହ କରିଥିବା ଦ୍ୱିତୀୟ ପତ୍ନୀ ଅଭିଯୋଗ କରିଛନ୍ତି। ଏପରିକି ସୀତାଂଶୁ ଉଭୟ ପତ୍ନୀଙ୍କ କିଛି ଅନ୍ତରଙ୍ଗ ଭିଡିଓ ପଠାଇ ବ୍ଲାକମେଲ କରୁଥିବା ମଧ୍ୟ ଉଭୟ ଅଭିଯୋଗ କରିଛନ୍ତି।