Odiapua.com

ରଘୁନାଥପୁର ଗୋପୀନାଥ ଚ୍ୟାଲେଞ୍ଜ ଟ୍ରଫି ଉଦ୍‌ଘାଟିତ,ସେମିରେ ବାଲେଶ୍ୱର ଆଦର୍ଶ ଓ ମା’ ଜାଗୁଳାଇ

ଭଦ୍ରକ, ୨୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ ରଘୁନାଥପୁର କ୍ରିକେଟ୍ ପଡିଆରେ ରଘୁନାଥପୁର କ୍ରିକେଟ୍ କ୍ଲବ୍ ଆନୁକୂଲ୍ୟରେ ଅଦୈତ୍ୟ ନାୟକ ମେମୋରିଆଲ ୧୯ତମ ଗୋପୀନାଥ ଚ୍ୟାଲେଞ୍ଜ ଟ୍ରଫି ଆଜି ଉଦ୍‌ଘାଟିତ ହୋଇଛି। ଗୋପୀନାଥ ନାୟକ, ଜିଲା ପରିଷଦ ସଦସ୍ୟ ଉତ୍କଳ କେଶରୀ ମହାନ୍ତି, ଅର୍ଜୁନ ଚରଣ ମାଝୀ, ବଟକୃଷ୍ଣ ମାଝୀ ଓ ଅଭିମନ୍ୟୁ ରାଉତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଟୁର୍ଣ୍ଣାମେଂଟକୁ ଉଦ୍‌ଘାଟିତ କରିଥିଲେ। ଏହି ଉଦ୍‌ଘାଟନ ଦିବସର ପ୍ରଥମ କ୍ୱାର୍ଟରପାଇନାଲ ମ୍ୟାଚ୍‌ରେ ଯାଜପୁରର ମା’ ଜାଗୁଳାଇ କ୍ରିକେଟ୍ କ୍ଲବ୍ ଏକାଦଶ ଓ କଟକ ଜୁଭେନାଇଲ୍ କ୍ରିକେଟ୍ କ୍ଲବ୍ ଏକାଦଶ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଜାଗୁଳାଇ ଅଧିନାୟକ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୭ ଓଭରରେ ୬ ୱିକେଟ୍ ହରାଇ ୧୪୪ ରନ୍ ସ୍କୋର କରିଥିଲା। ଦଳ ପକ୍ଷରୁ ବ୍ୟାଟସ୍‌ମ୍ୟାନ୍ ପ୍ରବୀନ କୁମାର ଓ ବିଭୂତି ଭୂୟାଁ ପ୍ରତ୍ୟେକ ୩୩ ରନ୍ ହାସଲ କରିଥିଲେ। ପ୍ରତିପକ୍ଷ ବୋଲର ରାମଚନ୍ଦ୍ର, ଜ୍ଞାନରଂଜନ ବଳିଆରସିଂ ଓ ଡେଂଜର କାଳିଆ ପ୍ରତ୍ୟେକ ୨ଟି ଲେଖାଏଁ ୱିକେଟ୍ ହାସଲ କରିଥିଲେ। ଏହାର ଜବାବରେ ଜୁଭେନାଇଲ୍ ଦଳ ୯ ଓଭରରେ ସମସ୍ତ ୱିକେଟ୍ ହରାଇ ୧୪୩ ରନ୍ କରି ୧ ରନ୍ ବ୍ୟବଧାନରେ ପରାଜିତ ହୋଇଥିଲା। ଦଳ ପକ୍ଷରୁ ବ୍ୟାଟସ୍‌ମ୍ୟାନ୍ ଜାମଲ ଅହେମ୍ମଦ ୫୪ ରନ୍ ହାସଲ କରିଥିଲେ। ପ୍ରତିପକ୍ଷ ବୋଲର ଆକାଶ ତ୍ରିପାଠୀ ୩ ଟି ୱିକେଟ୍ ହାସଲ କରିଥିବାବେଳେ ପ୍ରବୀନ କୁମାର ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ସେହିଭଳି ଦିବସର ଦ୍ୱିତୀୟାର୍ଦ୍ଧରେ ଅନୁଷ୍ଠିତ ୨ୟ କ୍ୱାର୍ଟରଫାଇନାଲ ମ୍ୟାଚ୍ ବାଲେଶ୍ୱର ଆଦର୍ଶ କ୍ରିକେଟ୍ କ୍ଲବ୍ ଏକାଦଶ ସହ କେଉଁଝର ୟୁନିକ୍ୟୁ କ୍ରିକେଟ୍ କ୍ଲବ୍ ଏକାଦଶ ମଧ୍ୟରେ ଲଢେଇ ହୋଇଥିଲା। ଆଦର୍ଶ ଦଳ ଅଧିନାୟକ ଟସ୍ ଜିଣି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୯ ଓଭରରେ ୯ ୱିକେଟ୍ ହରାଇ ୧୮୦ ରନ୍ ସ୍କୋର କରିଥିଲା। ଦଳର ବ୍ୟାଟସ୍‌ମ୍ୟାନ୍ ନୌତମ ଭାଙ୍ଗା ୩୯ ରନ୍ ଓ ବିଶାଳ ଦାସ ୩୩ ରନ୍ ହାସଲ କରିଥିବାବେଳେ ବିପକ୍ଷ ବୋଲର ସୟଦ ଇଫ୍ରାନ ଓ ପ୍ରଶାନ୍ତ ଚୌହାନ ପ୍ରତ୍ୟେକ ୨ ୱିକେଟ୍ ହାସଲ କରିଥିଲେ। ଏହାର ଜବାବରେ କେଉଁଝର ଏକାଦଶ ୧୭ ଓଭରରେ ୯ ୱିକେଟ୍ ହରାଇ ୧୫୨ ରନ୍ ସ୍କୋର କରି ପରାଜିତ ହୋଇଥିଲା। ଦଳର ବ୍ୟାଟସ୍‌ମ୍ୟାନ୍ ଉଦୀପ ୟାଦବ ୫୨ ଓ ରଣଜିତ୍ ମହାକୁଡ ୩୫ ରନ୍ ସ୍କୋର କରିଥିଲେ। ବିପକ୍ଷ ଦଳ ବୋଲର ଅଭିଶେଷ ୟାଦବ ଓ ସାର୍ଥକ ପାନୁଆର ପ୍ରତ୍ୟେକ ୨ ୱିକେଟ୍ ହରାଇଥିବାବେଳେ ନୌତମ ଭାଙ୍ଗା ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ। ଅମ୍ପାୟାର ଲଲାଟ କେଶରୀ ନନ୍ଦ, ଶରତ କୁମାର ଜେନା, ପ୍ରଜ୍ୱନ ମହାନ୍ତି, ସାରଦା ମହାପାତ୍ର, ସ୍କୋରର ଭାବେ ରାଜେଶ ରଂଜନ ବୋଇତାଇ, ଜୟନ୍ତ ନାୟକ, ଆଶୁତୋଷ ସାହୁ, ବ୍ରଜକିଶୋର ମାଝୀ ପ୍ରମୁଖ ମ୍ୟାଚ୍ ପରିଚାଳନା କରିଥିଲେ। ପ୍ରଦୀପ ନାୟକ, ବିଷ୍ଣୁ ବୋଇତାଇ ଓ ଗୋପବନ୍ଧୁ ମାଝୀ ଧାରା ବିବରଣୀ ପ୍ରଦାନ କରିଥିଲେ। ମୁଖ୍ୟ ଅତିଥି ବିଶ୍ୱନାଥ ମାଝୀ ପୁରସ୍କୃତ ପ୍ରଦାନ କରିଥିଲେ।