Odiapua.com

ରକ୍ତତୀର୍ଥ ଇରମରୁ କଂଗ୍ରେସ ଆରମ୍ଭ କଲା ଜନସଂପର୍କ ଯାତ୍ରା

ଭୁବନେଶ୍ୱର ୨୭.୬ (ଓଡ଼ିଆ ପୁଅ) – ସ୍ୱଚ୍ଛଶାସନର ଦିଣ୍ଡିମ ପିଟୁଥିବା ୨୨ ବର୍ଷର ରାଜ୍ୟ ବିଜେଡ଼ି ସରକାର ଏବଂ ୯ ବର୍ଷର କେନ୍ଦ୍ର ବିଜେପି ସରକାରଙ୍କ ବିଫଳତା ନେଇ ଲୋକଙ୍କୁ ଜନସଚେତନତା କରିବାପାଇଁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଆହ୍ୱାନରେ ସାରା ରାଜ୍ୟରେ ଜନସଂପର୍କ ଯାତ୍ରା କରାଯିବାପାଇଁ ପିସିସି ପକ୍ଷରୁ ନିଷ୍ପତି ନିଆଯାଇଥିଲା। ଏହି ଅବସରରେ ଆଜି ସ୍ୱାଧୀନତା ସଂଗ୍ରାମୀ ପୀଠ ଭଦ୍ରକ ଜିଲ୍ଲା ରକ୍ତତୀର୍ଥ ଇରମ ଠାରୁ ଜନସଂପର୍କ ଯାତ୍ରାର ଶୁଭାରମ୍ଭ ହୋଇଛି। ପିସିସି ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାର ପ୍ରତ୍ୟାହାର ଦାବିରେ ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସତ୍ୟଗ୍ରହ କାର୍ଯ୍ୟକ୍ରମ ଜରିଆରେ ଜନସଂପର୍କ ଯାତ୍ରାର ଶୁଭାରମ୍ଭ କରି ନିଜ ଉଦବୋଧନରେ କହିଥିଲେ ଯେ ଦୀର୍ଘ ୨୨ ବର୍ଷ କାଳ ଏ ରାଜ୍ୟ ସରକାର କେବଳ ପ୍ରତିଶ୍ରୁତି, ପ୍ରତାରଣା ଓ ପ୍ରଚାରସବ୍ୱର୍ସ। ଦୀର୍ଘ ୨୨ ବର୍ଷ ଭିତିରେ ଗୋଟିଏ ମଧ୍ୟ ବୃହତମ ଶିଳ୍ପ ପ୍ରତିଷ୍ଠା ବା କୃଷିଭିର୍ତିକ ଶିଳ୍ପ ପ୍ରତିଷ୍ଠା କରିବାରେ ବିଫଳ ହୋଇଛନ୍ତି। ୨୦୦୯ ମସିହାରେ କହିଥିଲେ ପ୍ରତ୍ୟେକ ବ୍ଲକରେ ୩୫% ଜମିକୁ ଜଳସେଚିତ କରିବାପାଇଁ। କିନ୍ତୁ ଦୁଃଖର କଥା କେତେ ଜମିକୁ ଜଳସେଚିତ ହୋଇଛି ଆଉ କେତେ ବାକି ରହିଲା ତାହା କେବେ ପ୍ରକାଶ କରୁ ନାହାନ୍ତି। ଧାନର ଆଭବି ବିକ୍ରି ଆଜି ଅତି ଦୟନିୟ ପରିସ୍ଥିତି ସୃଷ୍ଟି କରିଛି। ଚାଷି ଆଜି ସ୍ୱର୍ବସ ହରାଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଉଛି। ଚାଷି ମୃତ୍ୟୁ ଏକ ନିୟମିତ ଘଟଣାରେ ପରିଣତ ହେଲାଣି। ରାଜ୍ୟରେ ୪୫ଲକ୍ଷରୁ ଅଧିକ ବେକାର ଯୁବକ ଯୁବତୀ କର୍ମ ନିଯୁକ୍ତି ଅପେକ୍ଷାରେ। ରାଜ୍ୟରେ ଦାଦନ ଶ୍ରମିକଙ୍କ ସଂଖ୍ୟା କମିବା ପରିବର୍ତେ ବହୁ ପରିମାଣରେ ବୃଦ୍ଧି ଘଟିଛି କିପରି ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀ ପଟ୍ଟନାୟକ। ରାଜ୍ୟ ସରକାର ପ୍ରତିବର୍ଷ ୨ଲକ୍ଷ ନିଯୁକ୍ତି ଏବଂ କେନ୍ଦ୍ର ସରକାର ବର୍ଷକୁ ୨ କୋଟି ନିଯୁକ୍ତି ସୃଷ୍ଟି କରିବେ ବୋଲି ପ୍ରତିଶ୍ରୁତି ଦେଇ ଶାସନ କ୍ଷମତାକୁ ଆସିଥିଲେ ସୁଦ୍ଧା ତାହା ପୁରଣ କରିବାରେ ଅସମର୍ଥ। ରାଜ୍ୟରେ ଶିକ୍ଷିତ ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପରିବର୍ତେ ଠିକା ନିଯୁକ୍ତି ଦେଉଛନ୍ତି। ଏ ରାଜ୍ୟର ମହିଳାମାନଙ୍କ ସୁରକ୍ଷା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସତେ ଯେମିତି ନାରୀମାନଙ୍କ ସୁରକ୍ଷା ଏ ସରକାରର କର୍ତବ୍ୟ ବା ଦାୟୀତ୍ୱ ନୁହେଁ ବୋଲି ପ୍ରତିଦିନ ପ୍ରମାଣ ମିଳୁଛି। ଗ୍ରାମାଂଚଳରେ ଗରିବି ପରିସ୍ଥିତି ଅତି ଉତ୍କଟ ଅବସ୍ଥା। ଆଜି ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟରେ ଶିକ୍ଷକ ନାହାନ୍ତି, ଶିକ୍ଷାଦାନ ଚାଲିବ କେମିତି, ରାଜ୍ୟର ସମ୍ବଳର ବିକାଶ କିଭଳି ହେବ କେବଳ ଗଣମାଧ୍ୟମରେ ନା ଖାଲି କଥାରେ। ଭୁବନେଶ୍ୱର ଜନପଥ ରାସ୍ତାକୁ ଦେଖି ରାଜ୍ୟର ବିକାଶ ହୋଇଛି ବୋଲି କହିବା ଏକ ହାସ୍ୟସ୍ପଦ କଥା। ରାଜ୍ୟରେ ଆଜି ଗ୍ରାମାଂଚଳ ମାନଙ୍କରେ ରାସ୍ତା ଘାଟର ଅବସ୍ଥା ଅତି ଶୋଚନୀୟ। ବାରମ୍ବାର ବିଜୁଳି କାଟ ତତ୍‌ସହିତ ସ୍ୱଚ୍ଛ ପିଇବାପାଣି ଆଜି ବି ଏକ ପ୍ରଶ୍ନବାଚୀ। ୨୦୨୪ ରେ ୯୦ରୁ ଉର୍ଦ୍ଧ୍ୱ କଂଗ୍ରେସ ବିଧାୟକ ଜୟଯୁକ୍ତ ହୋଇ ନବୀନ ସରକାରକୁ ଗାଦିଚ୍ୟୁତ କରିବେ ବୋଲି ଶ୍ରୀ ପଟ୍ଟନାୟକ ଦୃଢୋକ୍ତି ପ୍ରକାଣ କରିଛନ୍ତି। ସତ୍ୟାଗ୍ରହ ପ୍ରାରମ୍ଭରେ ବାସୁଦେବପୁର ସ୍କୁଲ ସାମନାରୁ ହଜାର ହଜାର ସଂଖ୍ୟାରେ କଂଗ୍ରେସ କର୍ମୀ, ଶୁଭେଚ୍ଛୁ ଓ ସମର୍ଥକମାନେ ପିସିସି ସଭାପତିଙ୍କୁ ସ୍ୱାଗତ କରି ଇରମ ପର୍ଯ୍ୟନ୍ତ ଏକ ବିଶାଳ ମୋଟର ସାଇକେଲ ଶୋଭାଯାତ୍ରାରେ ନେଇଥିଲେ। ସେଠାରେ ପିସିସି ସଭାପତି ସ୍ୱାଧୀନତା ସଂଗ୍ରାମୀଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ପୂର୍ବତନ ସାଂସଦ ଅନନ୍ତ ପ୍ରସାଦ ସେଠୀ, ସାଂସଦ ପ୍ରାର୍ଥୀ ମଧୁମିତା ସେଠୀ, ବିଧାୟକ ପ୍ରାର୍ଥୀ ଅଶୋକ ଦାସ, ଭଦ୍ରକ ଜିଲ୍ଲା ସଭାପତି ସୁବ୍ରତ ଦାସ, ବରିଷ୍ଠ କଂଗ୍ରେସ ନେତା ସୁରେଶ ମହାପାତ୍ର, କିଶୋର ଜେନା, ଶୁଭେନ୍ଦୁ ମହାନ୍ତି, ଲୋକନାଥ ମହାରଥି, ଦେବାଶିଷ ମହାପାତ୍ର, ଭଦ୍ରକ ନଗର ସଭାପତି ଅଧ୍ୟକ୍ଷ ଭକ୍ତ ପଟ୍ଟନାୟକ, ବ୍ଲକ ସଭାପତି ରମେଶ ବଳ, ସ୍ଥାନୀୟ ସରପଂଚ ସାବିତ୍ରି ବଳଙ୍କ ସମେତ ନୋମିନ, ଜିଲ୍ଲା ପରିଷଦ ସଭ୍ୟ ଏବଂ ହଜାର ହଜାର ସଂଖ୍ୟାରେ ଛାତ୍ର, ମହିଳା, ଯୁବକ କଂଗ୍ରେସର କର୍ମୀ, ଶୁଭେଛୁ ଓ ସମର୍ଥକମାନେ ଯୋଗଦେଇଥିଲେ।