ବାଲିଗୁଡା, ୧୭/୫ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଅଧିନସ୍ଥ ବ୍ରାହ୍ମଣୀଗାଁ’ ଥାନା ଅଞ୍ଚଳର ସିକବାଡ଼ି ଗ୍ରାମରେ ଯୌତୁକ ପାଇଁ ବଧୂକୁ ହତ୍ୟା କରାଯାଇଥିବା ନେଇ ବ୍ରାହ୍ମଣୀଗାଁ’ ଥାନାରେ ଝିଅର ଘର ଲୋକ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ହତ୍ୟାର ଶିକାର ହୋଇଥିବା ବଧୂ ଜଣକ ହେଲେ ସିକବାଡ଼ି ଗ୍ରାମର ମହେନ୍ଦ୍ର ବେହେରା ମାଝୀ(୨୫) ଙ୍କ ସ୍ତ୍ରୀ ମିନାକ୍ଷୀ ପ୍ରଧାନ(୨୦)।ମିଳିଥିବା ସୂଚନା ଅନୁଯାୟୀ, ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଟେକାଙ୍ଗିଆ ଗ୍ରାମର ମିନାକ୍ଷୀ ପ୍ରଧାନ ଦୁଇବର୍ଷ ପୂର୍ବେ ମହେନ୍ଦ୍ର ବେହେରା ମାଝୀଙ୍କୁ ପ୍ରେମ ବିବାହ କରିଥିଲେ। ପ୍ରେମ ବିବାହ ପରେ ଶଶୁର ଘର ଲୋକେ ଯୌତୁକ ପାଇଁ ମିନାକ୍ଷୀଙ୍କ ଘର ଲୋକଙ୍କ ନିକଟରେ ଦାବି କରିଥିଲେ। ଏହା ପରେ ଝିଅର ବାପା ଘର ଲୋକ ଯୌତୁକ ବାବଦରେ ପୁଅ ଘର ଲୋକଙ୍କୁ ଗୋଟିଏ ବାଇକ କିଣି ଦେଇଥିଲେ। ତେବେ ଏହା ପରେ ବି ଯୌତୁକ ଲୋଭ ଯାଇନଥିଲା ମହେନ୍ଦ୍ରଙ୍କ ଘର ଲୋକଙ୍କର। ଏହାପରେ ପୁଣି ଯୌତୁକକୁ ନେଇ ଘରେ ଶଶୁର ଘର ଲୋକ ଗଣ୍ଡଗୋଳ କରି ମିନାକ୍ଷୀକୁ ନେଇ ତାଙ୍କ ବାପ ଘର ଗାଁ’ ଟେକାଙ୍ଗିଆରେ ଛାଡି ଦେଇଥିଲେ।ଏହାପରେ ଝିଅର ବାପ ଘର ଲୋକ ବୁଝାସୁଝା କରି ଝିଅ ମିନାକ୍ଷୀକୁ ୨ ସପ୍ତାହ ତଳେ ଶଶୁର ଘରେ ଛାଡି ଆସିଥିଲେ। ହେଲେ ଝିଅକୁ ଛାଡି ଆସିବାର କିଛି ଦିନ ପରେ ଗତ ଶୁକ୍ରବାର ଦିନ ମିନାକ୍ଷୀର ମୃତ ଖବର ଶୁଣି ଝିଅର ବାପ ଘର ଲୋକ ସିକବାଡ଼ି ଗାଁ’ରେ ପହଂଚିଥିଲେ। ଏହାପରେ ଝିଅର ଭାଇ ସୁକଦ୍ୱେ ପ୍ରଧାନ ଭଉଣୀ ମିନାକ୍ଷୀର ମୃତ୍ୟୁକୁ ନେଇ ଯୌତୁକ ନଦେବାରୁ ହତ୍ୟା କରାଯାଇଥିବା ସନ୍ଦେହ କରି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ବ୍ରାହ୍ମଣୀଗାଁ’ ପୋଲିସ ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ କରିଥିବା ଜଣାପଡ଼ିଛି।