Odiapua.com

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

 

ହାଟଡ଼ିହି- ୧୯/୬ ହାଟଡ଼ିହି ବ୍ଲକ ଯଶୋବନ୍ତପୁର ଗ୍ରାମରେ ଆଜି ଅପରାହ୍ନରେ ଜଣେ ନବବଧୂକୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗରୁ ଜଣାଯାଇଛି ଯେ ଯଶୋବନ୍ତପୁର ଗ୍ରାମର ଶ୍ରୀଧର ରାମଙ୍କ ପୁଅ କାଠିଆ ରାମ ଗତ ବର୍ଷ ଜୁଲାଇ ମାସରେ ଭଦ୍ରକ ଜିଲ୍ଲା ଇଚ୍ଛାପୁର ନିକଟସ୍ଥ ବେନ୍ତାଳ ଗ୍ରାମର ଦୟାନିଧି ପାଳଙ୍କ ଝିଅ ଜ୍ୟୋତ୍ସ୍ନା ସହିତ ବୈଦିକ ରୀତିନୀତି ଅନୁଯାୟୀ ବିବାହ ହୋଇଥିଲା। ଵିଵାହ ସମୟରେ ବର ପକ୍ଷର ଦାବି ମୁତାବକ ଯୌତୁକ ଦେଇଥିଲେବି ଅଧିକ ଯୌତୁକ ଦାବିକରି ସବୁବେଳେ ନିର୍ଯ୍ୟାତନା ଦେଇ ଆସୁଥିଲେ।ଏନେଇ ପୂର୍ବରୁ ଜ୍ୟୋତ୍ସ୍ନାର ବାପଘର ଲୋକମାନେ ଆସି ବୁଝାସୁଝା କରି ଯାଇଥିଲେ। ଆଜି ସକାଳେ ପରିବାର ଲୋକ ଙ୍କୁ ତୁମ ଝିଅ ଘରେ ଝଗଡା କରୁଛି ଆସ ବୋଲି ଟେଲିଫୋନରେ ଡାକିଥିଲେ। ଅପରାହ୍ନ ୩ଟା ବେଳେ ଜ୍ୟୋତ୍ସ୍ନାର ବାପା, ମା ଓ ଭାଇ ଯଶୋବନ୍ତପୁର ଗ୍ରାମରେ ପହଂଚିବା ପରେ ଝିଅ ଜ୍ୟୋତ୍ସ୍ନା ଖଟରେ ମରି ପଡ଼ିଥିବା ଦେଖିବାକୁ ପାଇଥିଲେ। ତୁମ ଝିଅ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଶ୍ରୀଧରଙ୍କ ପରିବାର ଲୋକ କହୁଥିବା ବେଳେ ପାରିପାର୍ଶ୍ବିକ ପରିସ୍ଥିତିକୁ ଦେଖି ଜ୍ୟୋତ୍ସ୍ନାଙ୍କ ବାପା ଦୟାନିଧି ଏହାକୁ ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ଆନନ୍ଦପୁର ଥାନାରେ ଅଭିଯୋଗ କରିଛନ୍ତି। ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ନଥିବା ଜଣାଯାଇଛି। କାଠିଆ ପୂର୍ବରୁ ଗୋଟେ ବିବାହ କରିଥିବା ବେଳେ ପ୍ରଥମ ପତ୍ନୀ ଦିନ କେଇଟାରେ ଛାଡି ପଳାଇବା ପରେ ଜ୍ୟୋତ୍ସ୍ନାକୁ ଦ୍ୱିତୀୟ ବିବାହ କରିଥିଲା।