Odiapua.com

ଯୌତୁକ ପାଇଁ ବଧୂହତ୍ୟା ଅଭିଯୋଗ

ଭଦ୍ରକ, ୨୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପ୍ରତିଦିନ କିଛି ନା କିଛି ଘଟଣା ଆପଣମାନେ ଦେଖୁଥିବେ । ଆଉ ଯୌତୁକ ପାଇଁ ବଧୂହତ୍ୟା ଭଳି ଘଟଣା ନୀତିଦିନିଆ ହୋଇଗଲାଣି । ଆଉ ଆଜି ପୁଣି ଏକ ଘଟଣା ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପାଞ୍ଚପଡା ଗ୍ରାମରେ ଦେଖିବାକୁ ମିଳିଛି । ଘଟଣା ଅନୁଯାୟୀ ଏତଲାକାରୀ ବାଲେଶ୍ୱର ଜିଲା ଅନ୍ତର୍ଗତ ଖଇରା ଥାନା ଅଧୀନସ୍ଥ ଆଲଦା ଗ୍ରାମର ବାସିନ୍ଦା ଦାମୋଦର ବାରିକଙ୍କ କନ୍ୟା ସସ୍ମିତାକୁ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ପାଞ୍ଚପଡା ଗ୍ରାମର ବାବାଜୀ ଦାସଙ୍କ ପୁଅ ରଂଜିତ ସହ ହିନ୍ଦୁ ରୀତିନୀତି ଅନୁଯାୟୀ ୨୦୧୬ ମସିହାରେ ବିବାହ କରାଇଥିଲେ । ତେବେ ଆଜି ହଠାତ୍ ଏକ ନମ୍ବରରୁ ଏତଲାକାରୀ ଦାମୋଦରଙ୍କୁ ଫୋନ୍ ଯାଇଥିଲା । ଏବଂ ପୁଅର ଦାଦା କହିଥିଲେ ତୁମ ଝିଅ ବିଷ ପିଇଦେଇଛି, ତମେ ଜଲଦି ଭଦ୍ରକ ମେଡିକାଲ ଆସ କହି ଫୋନ୍ କାଟିଦେଇଥିଲେ । ତେବେ ମୃତ ଝିଅର ବାପା ଏବଂ ମା’ ଆସି ଭଦ୍ରକ ମେଡିକାଲରେ ପହଞ୍ôଚ ଦେଖିବାକୁ ପାଇଥିଲେ କି ତାଙ୍କ ଝିଅର ମୃତ୍ୟୁ ହୋଇସାରିଛି । ତେବେ ମୋ ଝିଅକୁ ଯୌତୁକ ପାଇଁ ହତ୍ୟା କରାଯାଇଛି ବୋଲି ଏ ନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ଝିଅର ପିତା ଦାମୋଦର ବାରିକ । ବାରମ୍ବାର ଯୌତୁକ ଟଙ୍କା ଆଣିବା ପାଇଁ ଝିଅକୁ ଘରକୁ ପଠାଉଥିଲା ଜ୍ୱାଇଁ ରଂଜିତ । ପ୍ରତିଦିନ ଅକଥନୀୟ ଭାଷା ସହ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେଉଥିବା କଥା ନିଜ ଅଭିଯୋଗରେ ଜଣାଇଛନ୍ତି । ସବୁଠୁ ବଡକଥା ହେଲା ବୋହୂ କେମିତି ମଲା ବୋଲି କିଛି ଜାଣିନାହାଁନ୍ତି ବୋଲି କହି ରୋକଠୋକ୍ ମନା କରିଦେଇଥିଲେ ଶାଶୁ । ତେବେ ଏନେଇ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ୨୩୬/୨୧ ରେ ଏକ କେଶ୍ ରୁଜୁ କରି ଦଫା ୩୦୪/୪୦୬/୩୦୨/୩୪ ଓ ୪୯୮ (କ) ଲଗାଇ ଅଭିଯୁକ୍ତ ରଂଜିତକୁ ପୁଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିବାର ଜଣାପଡିଛି ।