Odiapua.com

ଯୌତୁକ ପାଇଁ ନବବଧୂକୁ ଚକ୍ରାନ୍ତପୂର୍ଣ୍ଣ ଭାବେ ହତ୍ୟା ଅଭିଯୋଗ, ଶବକୁ ଡାକ୍ତରଖାନାରେ ପକାଇଦେଇ ଶ୍ୱଶୁରଘର ଲୋକେ ଫେରାର, ସ୍ୱାମୀ ଅଟକ

ଭଦ୍ରକ, ୨୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -କରୋନା ମହାମାରୀ ସମୟରେ ବିବାହ କରିଥିବା ଜଣେ ନବବଧୂକୁ ଯୌତୁକ ପାଇଁ ତାର ଶ୍ୱଶୁରଘର ଲୋକେ ଚକ୍ରାନ୍ତପୂର୍ଣ୍ଣ ଭାବେ ହତ୍ୟା କରି ଶବକୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଛାଡି ଫେରାର ହୋଇଯିବା ଘଟଣା ସଂପର୍କରେ କନ୍ୟା ପିତାଙ୍କ ପକ୍ଷରୁ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ଏବଂ ଏହି ଘଟଣାରେ ପୁଲିସ୍ ସ୍ୱାମୀ ଗଜେନ୍ଦ୍ର ମହାନ୍ତିଙ୍କୁ ଥାନାରେ ଅଟକ ରଖିଥିବାର ଜଣାପଡିଛି । କନ୍ୟା ପିତାଙ୍କ ଅଭିଯୋଗ ପତ୍ରରୁ ଯାହା ଜଣାଯାଏ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଚରମ୍ପା ପରସିଙ୍ଗା ଗ୍ରାମର ପ୍ରଦୀପ କୁମାର ନାୟକଙ୍କ କନ୍ୟା ସୁଭଦ୍ରାକୁ ଏହି ଥାନା ଅଧୀନସ୍ଥ ରାହାଞ୍ଜ ପଞ୍ଚାୟତର ଅକ୍ଷୟ ମହାନ୍ତିଙ୍କ ଜ୍ୟେଷ୍ଠ ପୁତ୍ର ଗଜେନ୍ଦ୍ରଙ୍କୁ ବୈଦିକ ମତେ ଗତ ଜୁଲାଇ ୧୨ ତାରିଖ ଦିନ ବିବାହ କରିଥିଲେ । ବିବାହ ସମୟରେ ଯୌତୁକ ବାବଦ ନଗଦ ୫୦ ହଜାର ଟଙ୍କା ସହ ସମସ୍ତ ସୁନାଗହଣା, ଆସବାବ ପତ୍ର ଦିଆଯାଇଥିଲା । ତେବେ ବିଭାଘର କିଛିଦିନ ପରେ ସୁଭଦ୍ରାର ଶାଶୁ ଟୁନି ମହାନ୍ତି, ଶ୍ୱଶୁର ଅକ୍ଷୟ, ସ୍ୱାମୀ ଗଜେନ୍ଦ୍ର ଓ ଦିଅର ଅମରେନ୍ଦ୍ର ସପରିବାର ଅଧିକ ଯୌତୁକ ପାଇଁ ନିର୍ଯ୍ୟାତନା ଦେଇଆସୁଥିଲେ ବୋଲି ପିତା ପ୍ରଦୀପ ଅଭିଯୋଗ କରିଛନ୍ତି । ଏପରିକି ସ୍ୱାମୀ ଅକ୍ଷୟ ବ୍ୟବସାୟ କରିବା ପାଇଁ ୨ ଲକ୍ଷ ଟଙ୍କା ବାପଘରୁ ନଆଣିଲେ ତାକୁ ଜୀବନରୁ ମାରି ଦିଆଯିବ ବୋଲି ଧମକ ଦେଇଆସୁଥିଲେ । ମାତ୍ର ପିତା ପ୍ରଦୀପ ଅତ୍ୟନ୍ତ ଦରିଦ୍ର ହୋଇଥିବାରୁ ଉକ୍ତ ଘଟଣାରେ ସେମାନଙ୍କୁ ବୁଝାସୁଝା କରିଆସୁଥିବାବେଳେ ଗତକାଲି ତାଙ୍କ କନ୍ୟାଙ୍କୁ ଶ୍ୱଶୁରଘର ଲୋକେ ଚକ୍ରାନ୍ତପୂର୍ଣ୍ଣ ଭାବେ ହତ୍ୟା କରି ଆତ୍ମହତ୍ୟା କରିଥିବାର ଆଳରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଫେରାର ହୋଇଯାଇଥିଲେ । ଏହି ଘଟଣାରେ ଗ୍ରାମାଞ୍ଚଳ ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିବାବେଳେ ଆଜି ଶବ ବ୍ୟବଚ୍ଛେଦ ପରେ ବାପଘର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ପିତା ପ୍ରଦୀପଙ୍କ ପକ୍ଷରୁ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କଠୋର ଦଣ୍ଡ ଦେବାପାଇଁ ଦାବି କରାଯାଇଛି ।