Odiapua.com

ଯୌତୁକ ଜନୀତ ବଧୁ ହତ୍ୟା ଘଟଣା : ମା ଙ୍କ ପ୍ରରୋଚନାରେ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ୱାମୀ, ଫେରାର ଶାଶୁ ଗିରଫ

ଯୋଡା, ୨୮ । ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ଯୋଡା ଥାନା ଅନ୍ତର୍ଗତ ପଶ୍ଚିମ ଯୋଡା ଟାଟା କମ୍ପାନୀଙ୍କ ସିଗ୍ରୀଗେସନ କଲୋନୀରେ ଗତ ମେ ମାସ ୨୯ତାରିଖ ଦିନ ଏକ ଅଭାବନୀୟ ଘଟଣା ଘଟିଥିବା ଦେଖିବାକୁ ମିଳିଥିଲା । ଜଣେ ନବବିବାହୀତା ବଧୁ କୁ ଅଧିକ ଯୌତୁକ ଦାବି କରି ତାଙ୍କର ସ୍ୱାମୀ ଏବଂ ଶାଶୁ ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ଚେଷ୍ଟା କରିଥିଲେ । ତେବେ ଯୋଡା ପୁଲିସ ଏହି ଘଟଣାଟିର ତଦନ୍ତ କରି ସ୍ୱାମୀ ମାନସ ରଞ୍ଜନ ସାହୁଙ୍କୁ ଜୁନ ମାସ ୬ ତାରିଖ ଦିନ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଘଟଣା ପରଠାରୁ ମାନସଙ୍କ ମା ସାବିତ୍ରୀ ସାହୁ ଫେରାର ଥିଲେ । ପୁଲିସ ଅନୁସନ୍ଧାନ କରି ସାବିତ୍ରୀଙ୍କୁ ତାଙ୍କ ଦେବଗଡ ଜିଲ୍ଲା ବାରକୋଟ ଅଞ୍ଚଳରୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗତ ମେ ମାସ ୨୯ ତାରିଖରେ ପଶ୍ଚିମ ଯୋଡା ଟାଟା କମ୍ପାନୀଙ୍କ ସିଗ୍ରୀଗେସନ କଲୋନୀରେ ସ୍ୱାମୀ ସହ ରହୁଥିବା ନବବିବାହୀତା ଶିବାନୀ ସାହୁ ଙ୍କୁ ହତ୍ୟା କରାଯାଇଥିବା ଜଣାପଡିଥିଲା । ତେବେ ଶିବାନୀଙ୍କ ସ୍ୱାମୀ ମାନସ ରଞ୍ଜନ ସାହୁ ଶିବାନୀ ରଶି ଲଗାଇ ଆତ୍ମହତ୍ୟା କରିଥିବା କହୁଥିବା ବେଳେ ମୃତକ ଶିବାନୀ ରକ୍ତ ଜୁଡୁବୁଡୁ ହୋଇ ତଳେ ପଡିଥିବା ବେଳେ ଏହା ସେତେବେଳେ ହତ୍ୟା ଘଟଣା ବୋଲି ପୁଲିସ ସନ୍ଦେହ କରିଥିଲା । ଘଠଣାଟି ଘଟିବା ପରେ ମାନସ ପ୍ରଥମେ ଶିବାନୀର ବାପାଙ୍କୁ ଶିବାନୀ ବାଥରୁମରେ ପଡିଯିବାରୁ ତାଙ୍କୁ ଡାକ୍ତରଖାନା ନିଆଯାଇଇଥିବା କଥା କହିଥିବା ବେଳେ ପରେ ପରେ ଶିବାନୀ ରଶି ଲଗାଇଥିବା କହିଥିଲେ । ଏ ନେଇ ଶିବାନୀର ବାପା ଭୋଳେଶ୍ୱର ସାହୁ ଯୋଡା ଥାନାରେ ଯୌତୁକ ଜନୀତ ହତ୍ୟା କରାଯାଇଥିବା ଏକ ଲିଖିତ ଅଭିଯୋଗ କରିଥିଲେ ।

ସୂଚନା ଯୋଗ୍ୟ, ଗତ ବର୍ଷ ଫେବୃୟାରୀ ମାସ ୨୩ ତାରିଖରେ ତେଲକୋଇ ଅଞ୍ଚଳର ଭୋଳେଶ୍ୱର ସାହୁଙ୍କ ଝିଅ ଶିବାନୀ ସାହୁଙ୍କର ବାରକୋଟ ଅଞ୍ଚଳର କୋଲା ଗ୍ରାମର ଅଖିଳ ସାହୁଙ୍କ ପୁଅ ମାନସ ରଞ୍ଜନ ସାହୁଙ୍କ ସହିତ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଥିଲା । ବିବାହ ସମୟରେ ଭୋଳେଶ୍ୱର ନଗଦ ୫୦ ହଜାର ଟଙ୍କା ଏବଂ ଝିଅକୁ ସମସ୍ତ ଗହଣା ଗାଣ୍ଠି ଦେଇ ବିବାହ କରିଥିଲେ । ବିବାହର ୧ ବର୍ଷ ପରେ ତାଙ୍କର ଏକ ମୃତ ପୁତ୍ର ସନ୍ତାନ ଜାତ ହୋଇଥିଲା । ତେବେ ଶିବାନୀ ଏବଂ ମାନସ ରଞ୍ଜନ ସାହୁ ଉଭୟ ପଶ୍ଚିମ ଯୋଡାସ୍ଥିତ ଟାଟା କମ୍ପାନୀ କଲୋନୀର ଏକ କ୍ୱାଟରରେ ରହୁଥିଲେ । ମାନସ ଇଷ୍ଟର୍ଣ୍ଣ କଷ୍ଟ୍ରକ୍ସନ ନାମକ ଟାଟା କମ୍ପାନୀଙ୍କ ଏକ ଠିକା ସଂସ୍ଥାରେ କାର‌୍ୟ୍ୟ କରନ୍ତି । ଦୀର୍ଘ ଦିନ ଧରି କାମ ବନ୍ଦ ଯୋଗୁଁ ତାଙ୍କର ଆରô୍ଥକ ଅବସ୍ତା ଭଲ ନଥିଲା । ସେଥିପାଇଁ ମାନସ ବାରମ୍ବାର ଶିବାନୀକୁ ତାଙ୍କ ବାପାଙ୍କ ପାଖରୁ ଟଙ୍କା ଆଣିବା ପାଇଁ ବାଧ୍ୟ କରୁଥିଲେ । ପ୍ରତ୍ୟେକ ମାସ ଶିବାନୀଙ୍କ ବାପା ସେମାନଙ୍କ ଚଳିବା ପାଇଁ କିଛି କିଛି ଅର୍ଥ ସାହାଯ୍ୟ କରୁଥିଲେ । ତେବେ ଶିବାନୀକୁ ଅଧିକ ଅର୍ଥ ଆଣିବା ପାଇଁ ସେ ସବୁ ବେଳେ ତାଗିଦ କରିଆସୁଥିଲେ । ଘଟଣାଟି ଏହି ହତ୍ୟା ଘଟଣାଟି ସକାଳେ ଘଟିଥିବା ବେଳେ ମାନସ ଶିବାନୀଙ୍କ ବାପାଙ୍କୁ ସକାଳ ୧୦ ଘଟିକା ସମୟରେ ଫୋନ କରି ଶିବାନୀ ବାଥରୁମରେ ପଡି ତାଙ୍କର ମୁଣ୍ଡ ଫାଟିଯାଇଥିବା କଥା କହି ଜଣାଇବା ସହ ତାଙ୍କୁ ଟାଟା ଡାକ୍ତରଖାନାକୁ ନିଆଯାଇଥିବା କହିଥିଲେ । ତେବେ ବାପା ଭୋଳେଶ୍ୱର ତେଲକୋଇରୁ ଦିନ ୩ଟା ବେଳେ ପହଞ୍ଚି ତାଙ୍କର ଝିଅ ମରିପଡିଥିବା ଜାଣିବାକୁ ପାଇଥିଲେ । ଖବର ପାଇ ମାନସ ରଞ୍ଜନ ସାହୁଙ୍କ ବାପା ଅଖିଳ ସାହୁ ଏବଂ ତାଙ୍କ ସ୍ତ୍ରୀ ମଧ୍ୟ ବାରକୋଟରୁ ଆସି ସେଠାରେ ପହଞ୍ଚିଥିଲେ । ତେବେ ଘଟଣାଟି ସକାଳ ୭ଟା ବେଳେ ଘଟିଥିବା ବେଳେ ସେମାନେ ଯୋଡା ପୁଲିସକୁ ସନ୍ଧ୍ୟା ୬ଟା ବେଳେ ଏହା ଜଣାଇଥିଲେ । ମାନସ ତାଙ୍କ ମା ଙ୍କ ପ୍ରରୋଚନାରେ ଶିବାନୀଙ୍କୁ ହତ୍ୟା କରିଥିବା ସ୍ୱୀକାର କରିବା ପରେ ଯୋଡା ପୁଲିସ ବାରକୋଟ ଅଞ୍ଚଳରୁ ମାନସର ମା ସାବିତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।