Odiapua.com

ଯୌତୁକ ଓ ୨ୟ ବିବାହ ଲାଳସା; ପତ୍ନୀକୁ ମରଣାନ୍ତକ ଆକ୍ରମଣ, ମାମଲା ଋଜୁ

ଭଦ୍ରକ, ୧୦ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମଞ୍ଜୁରୀରୋଡ ବଜାରର ବିଶିଷ୍ଟ ବ୍ୟବସାୟୀ ତଥା ନାଆମୀ ସେବା ସମବାୟ ସମିତିର ପୂର୍ବତନ ସଭାପତି ସାତଶୋଳା ଗ୍ରାମର ନାରାୟଣ ଚନ୍ଦ୍ର ଖଣ୍ଡାଇଙ୍କ ପରିବାର ବୋହୂକୁ ମରଣାନ୍ତକ ଆକ୍ରମଣ କରି ନିନ୍ଦିତ ହୋଇଛି । ଚାରି ବର୍ଷ ବୈବାହିକ ଜୀବନ ଅତିବାହିତ କରିବା ସହ ପୁତ୍ର ଲାଭ କରି ମଧ୍ୟ ଯୌତୁକ ସହ ଦ୍ୱିତୀୟ ବିବାହ ନିଶାରେ ପତ୍ନୀଙ୍କୁ ମାଡମାରି ଲହୁଲହାଣ କରିିବା ଘଟଣା ସଂପୃକ୍ତ ପରିବାର ମାମଲାରେ ଛନ୍ଦି ହୋଇଛି । ଏଥିସହ ଫାଣ୍ଡି ଠାରୁ ମାତ୍ର ତିରିଶ ମିଟର ଦୂରରେ ଘଟିଥିବା ଏହି ଘଟଣାରେ ଫାଣ୍ଡି ପୁଲିସର ଭୂମିକାକୁ ସନ୍ଦେହ ପ୍ରକାଶ କରାଯିବା ସହ ତୀବ୍ର ସମାଲୋଚନା କରାଯାଇଛି । ଏହି ନିର୍ଯ୍ୟାତନା ଘଟଣା ସମ୍ପର୍କୀୟ ଗୁରୁତର ଆହତ ବୋହୂର ଅଭିଯୋଗକୁ ଭିତ୍ତି କରି ସ୍ୱାମୀ ନିତ୍ୟଚୈତନ୍ୟ ଖଣ୍ଡାଇ, ଶ୍ୱଶୁର ନାରାୟଣ ଖଣ୍ଡାଇଙ୍କ ସମେତ ଶାଶୁ ମଞ୍ଜୁଲତା, ନଣନ୍ଦ ନମିତାଞ୍ଜଳୀ ପାତ୍ର, ନଣନ୍ଦେଇ ପ୍ରମୁଖ ମୋଟ ଷୋହଳ ଜଣଙ୍କ ନାମରେ ମାମଲା ଋଜୁ କରିଛି । ବିବରଣୀରୁ ପ୍ରକାଶ ଯେ ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ତେସିଙ୍ଗା ପଞ୍ଚାୟତ ଓଳା ଗ୍ରାମର ପରମାନନ୍ଦ ସାହୁଙ୍କ କନ୍ୟା ସସ୍ମିତାକୁ ସାତଶୋଳା ଗ୍ରାମର ନାରାୟଣ ଚନ୍ଦ୍ର ଖଣ୍ଡାଇଙ୍କ ପୁଅ ନିତ୍ୟଚୈତନ୍ୟଙ୍କୁ ଗତ ୨୦୧୭ ମସିହାରେ ବୈଦିକ ରୀତିନୀତି ଅନୁଯାୟୀ ଦାବି ମୁତାବକ ଯାନିଯୌତୁକ ସହ ବିବାହ କରିଥିଲେ । ବିବହାର ବର୍ଷକ ପରେ ଗୋଟିଏ ପୁତ୍ର ସନ୍ତାନ ଜନ୍ମଲାଭ କରିଥିଲା । ମାତ୍ର ସଂପୃକ୍ତ ଯୌତୁକ ଲୋଭି ପରିବାର ପୁନଶ୍ଚ ତିନିଲକ୍ଷ ଟଙ୍କା ଯୌତୁକ ଆଣିବାକୁ ସସ୍ମିତା ଉପରେ ଶାରୀରିକ ଓ ମାନସିକ ନିର୍ଯ୍ୟାତନା ଦେବା ଆରମ୍ଭ କରିବା ସହ ସ୍ୱାମୀ ନିତ୍ୟଚୈତନ୍ୟ ଅନ୍ୟତ୍ର ଦ୍ୱିତୀୟ ବିବାହ କରିବାକୁ ବାରମ୍ବାର ଧମକ ଦେଇଥିଲେ ।

ଗତ ମାସକ ପୂର୍ବେ ନିକଟସ୍ଥ ଚୁଆଗଡିଆ ଗ୍ରାମର ବିବାହ ଲଗ୍ନ ହୋଇସାରିଥିବା ଜନୈକ କନ୍ୟାକୁ ଅପହରଣ କରି ନିତ୍ୟଚୈତନ୍ୟ କୁଆଡେ ଫେରାର ହୋଇଯାଇଥିଲେ । କିଛି ଦିନ ପୂର୍ବରୁ ଘରକୁ ଫେରି ସସ୍ମିତା ଠାରୁ ପୁଅକୁ ଛଡାଇନେଇ ମାଡ ମାରି ବାପଘରକୁ ପଠାଇ ଦେଇଥିଲେ । ଗତ ମଙ୍ଗଳବାର ସନ୍ଧ୍ୟାରେ ସସ୍ମିତା, ଭାଇ ଓ ବାପ ସହ ସାତଶୋଳା ଶାଶୁଘରକୁ ଆସିଥିଲେ । ସେଠାରେ ଶାଶୁଘର ଲୋକେ ମିଳିତ ଭାବେ ସସ୍ମିତା ଓ ତାଙ୍କ ଭାଇଙ୍କୁ ମାଡମାରି ଗୁରୁତର କରିପକାଇଥିଲେ । ଶିଶୁପୁତ୍ରକୁ ମାଆ ସସ୍ମିତା ଠାରୁ ଛଡାଇନେଇ ଅନ୍ୟତ୍ର ପଠାଇଦେଇଥିଲେ । ଆହତ ସସ୍ମିତାକୁ ଆମ୍ବୁଲାନ୍ସ ଯୋଗେ ଭଦ୍ରକ ନିଆଯାଇ ଚିକିତ୍ସା କରାଯାଇଥିଲା । ଏ ସମ୍ପର୍କରେ ଫାଣ୍ଡି ପୁଲିସକୁ ଜଣାଇ ଦିଆଯାଇଥିଲା । ମାତ୍ର ଫାଣ୍ଡି ପୁଲିସ ଖଣ୍ଡାଇ ପରିବାରକୁ ସମର୍ଥନ କରି ଅଭିଯୋଗକାରୀଙ୍କୁ ଘଉଡାଇ ଦେଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଛି । ଡାକ୍ତରଖାନାରୁ ଫେରି ସସ୍ମିତା ଭଣ୍ଡାରିପୋଖରୀ ଥାନାରେ ସାନି ଅଭିଯୋଗ କରିଥିଲେ । ଏଥିନେଇ ୧୮୮/୨୧ନଂ ମାମଲା ଷୋହଳ ଜଣଙ୍କ ନାମରେ ଋଜୁ କରାଯାଇଛି । ଘଟଣାକୁ ତିନିଦିନ ବିତିଯାଇଥିଲେ ବି ପୁଲିସ କାହାରିକୁ ହେଲେ ଗିରଫ କରିନାହିଁ କି ଶିଶୁପୁତ୍ର ଉଦ୍ଧାର ହୋଇନାହିଁ ।