Odiapua.com

ଯୋଡ଼ା : ଜୀବନଜୀବିକାରେ ପରିବର୍ତ୍ତନ ଆଣିଛି ଟାଟା ଷ୍ଟିଲ ଫାଉଣ୍ଡେସନ୍ ର ପୋଖରୀ ଚାଷ

ଯୋଡା, ୧୯/୮ (ଓଡ଼ିଆ ପୁଅ / ସେକ୍ ଜାବିର ମହମ୍ମଦ) : ଟାଟା ଷ୍ଟିଲ ଲିମିଟେଡ଼ର ସିଏସ୍ଆର ସଂସ୍ଥା ଟାଟା ଷ୍ଟିଲ ଫାଉଣ୍ଡେସନ୍ (ଟିଏସ୍ଏଫ୍) କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଏହାର କାର୍ଯ୍ୟକ୍ଷେତ୍ର ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଲୋକମାନଙ୍କ ଚାଷ ପାଇଁ ବ୍ୟବହୃତ ହେଉଥିବା ପୋଖରୀ ଖୋଳି ସେମାନଙ୍କୁ ଦୀର୍ଘସ୍ଥାୟୀ ଜୀବନଜୀବିକା ପ୍ରଦାନ ଦିଗରେ ଏକ ବିରାଟ ପରିବର୍ତ୍ତନ ଆଣିପାରିଛି। ଗତ ଗୋଟିଏ ବର୍ଷ ମଧ୍ୟରେ ଟିଏସ୍ଏଫ୍ ପକ୍ଷରୁ ୪୪ଟି ବ୍ୟକ୍ତିଗତ ଚାଷ ପୋଖରୀ ଖୋଳାଯିବା ଫଳରେ ଏହି ଖଣି ଅଞ୍ଚଳରେ ରହୁଥିବା ପରିବାର ଆର୍ଥିକ ରୂପେ ସଶକ୍ତ ହେବା ସହିତ ଏହା ସେମାନଙ୍କ ଜୀବନ ଧାରଣ ମାନର ସାମାଜିକ-ଅର୍ଥନୈତିକ ଦିଗରେ ପରିବର୍ତ୍ତନ ଆଣିବାରେ ସହାୟକ ହୋଇପାରିଛି। ଉପରୋକ୍ତ ଜିଲ୍ଲାଗୁଡ଼ିକର ୫ଟି ଗ୍ରାମ ପଞ୍ଚାୟତର ୧୦ଟି ଗ୍ରାମରେ ପରିବ୍ୟାପ୍ତ ଏହି ପୋଖରୀଗୁଡ଼ିକୁ ବିଜ୍ଞାନ ସମ୍ମତ ଚାଷ ଆଧାରିତ ପ୍ରକଳ୍ପ ଏବଂ ପାରମ୍ପରିକ ଶସ୍ୟ ଚାଷ କରିବାରେ ବ୍ୟବହାର କରାଯାଉଛି। ବନ୍ଧୁବେଡ଼ା, ପଳସା ଖ, କୁନ୍ଦୁରୁପାଣି, ଜମୁନାପୋଷି, ଜଗନ୍ନାଥପୁର ଓ ବାଲିତା ଭଳି ଗ୍ରାମର ବାସିନ୍ଦାମାନେ ମକା, ହଳଦୀ ଓ ଅଦା ଭଳି ଲାଭଦାୟକ ଚାଷ କରିବାକୁ ଆଗେଇ ଆସିଛନ୍ତି। ତେବେ ବର୍ଷସାରା ଜଳର ସୁବିଧା ମିଳିବାରୁ ସ୍ଥାନୀୟ ଅଞ୍ଚଳର ମହିଳାମାନେ ମଧ୍ୟ ଶସ୍ୟ ଚାଷ ଓ ମତ୍ସ୍ୟ ଚାଷ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି। ପଳସା ଗ୍ରାମର ସମବାରୀ ମୁଣ୍ଡା କହିଛନ୍ତି ଯେ, “ପୂର୍ବରୁ ଆମର ଜମି ପଡ଼ିଆ ହୋଇ ରହୁଥିଲା। କିନ୍ତୁ ଟିଏସ୍ଏଫ୍ ଟିମ୍ ଏଥିରେ ହସ୍ତକ୍ଷେପ କରିବା ସହିତ ଆମକୁ ସମନ୍ୱିତ ଚାଷ ପାଇଁ ପ୍ରୋତ୍ସାହିତ କରିଛି। ତେବେ ପ୍ରଥମ ବର୍ଷ ମୋର ମକା ଓ ହଦଳୀ ଚାଷ ଭଲ ହେବ ବୋଲି ମୋର ଆଶା ରହିଛି।” ଜଗନ୍ନାଥପୁରର ଗ୍ରାମର ଜଣେ ବରିଷ୍ଠ ନାଗରିକ ଗିରିଧାରୀ ମାଝି କହିଛନ୍ତି ଯେ, “ପୋଖରି ଚାରିପଟେ ପାରମ୍ପରିକ ଓ ହାଇବ୍ରିଡ଼ ଧାନ ଚାଷ ବ୍ୟତୀତ ଆମେ ବ୍ୟବସାୟିକ ଭାବେ ପନିପରିବା ଚାଷ ମଧ୍ୟ ଆରମ୍ଭ କରିଛୁ। ପୋଖରୀ ଚାଷରେ ବତକ ତଥା ମାଛ ଚାଷ ବେଶ ଲାଭଦାୟକ ବୋଲି ମୁଁ ଦେଖିବାକୁ ପାଇଛି।” ଏକ ଦୀର୍ଘସ୍ଥାୟୀ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ପୋଖରୀ ଚାଷ ବ୍ୟବସ୍ଥା କରାଯାଇଥିବାବେଳେ ଏହାଦ୍ୱାରା ଖଣି ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଜଳ ସଂରକ୍ଷଣ, ଭୂତ୍ତଳ ଜଳ ରିଚାର୍ଜିଂ ଏବଂ କୃଷିକୁ ମଧ୍ୟ ପ୍ରେତ୍ସାହନ ଦିଆଯାଇପାରୁଛି। ଏଠାରେ ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଟିଏସ୍ଏଫ୍ ପକ୍ଷରୁ ପଳସା ଖ ଏବଂ ପଳସା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବେଗୁନା ସାହି ଗ୍ରାମରେ ୧୪୦ କେଜି ଉନ୍ନତମାନର ହଳଦୀ ଓ ଅଦା ବିହନ ବଣ୍ଟନ କରାଯାଇଛି। ଏହାସହିତ ଉତ୍ପାଦ ବିକ୍ରି ପାଇଁ ବଜାର ସଂଯୋଗୀକରଣର ଅଶ୍ୱାସନା ସେମାନଙ୍କ ମନବୋଳକୁ ବୃଦ୍ଧି କରିଛି।