Odiapua.com

ଯୋଡ଼ା : ଖଣି ଅଞ୍ଚଳ ବିକାଶର ନଗ୍ନ ଚିତ୍ର, ଗାଁକୁ ନାହିଁ ରାସ୍ତା, ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପୂର୍ବରୁ ଜଙ୍ଗଲ ରାସ୍ତାରେ ଜନ୍ମ ଦେଲେ ପ୍ରସୂତୀ

ଯୋଡ଼ା, ୩ା୯ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଖଣି ପ୍ରଭାବିତ ଅଞ୍ଚଳର ବିକାଶ ନିମନ୍ତେ ସରକାର ଓମବାଡ଼ସି ଓ ଡିଏମଏଫ ଭଳି ୨ଟି ପାଣ୍ଠି ଗଠନ କରିଛନ୍ତି। ତେବେ ଏହା ଯେ ଖଣି ପ୍ରଭାବିତ ଆଦିବାସୀମାନଙ୍କ ବିକାଶରେ ଲାଗିପାରୁନାହିଁ ତାହାର ଏକ ନଗ୍ନ ଚିତ୍ର ଯୋଡ଼ା ଖଣି କ୍ଷେତ୍ରରେ ଦେଖିବାକୁ ମିଳିଛି। ଚାରିପଟେ ବଡ଼ ବଡ଼ ବହୁରାଷ୍ଟ୍ରୀୟ ଖଣି ଥାଇ ଗାଁ ଭିତରକୁ ରୋଗୀ ବୁହା ଗାଡିଟିଏ ପଶିବା ପାଇଁ ରାସ୍ତାଟିଏ ନାହିଁ। ଜଣେ ଆସନ୍ନପ୍ରସବା ଯନ୍ତ୍ରଣାରେ ଛଟପଟ ହେଉଥିବା ବେଳେ ତାଙ୍କୁ ଏକ କିଲୋମିଟରରୁ ଉର୍ଦ୍ଧ୍ୱ ବାଟ କାନ୍ଧରେ ବୋହି ରୋଗୀବୁହା ଗାଡି ନିକଟକୁ ନେବା ବାଟରେ ସେ ଯନ୍ତ୍ରଣା ସହ୍ୟକରିନପାରି ଜଙ୍ଗଲ ରାସ୍ତାରେ ପ୍ରସବ କରିଛନ୍ତି। ଏହି ଲଜ୍ଜାକର ଘଟଣାଟି ସମଗ୍ର ଖଣି ଅଞ୍ଚଳକୁ ସ୍ତବ୍ଦ କରିଦେଇଛି। ଘଟଣାଟି ବାମେବାରୀ ଥାନା ଅନ୍ତର୍ଗତ ଜଜାଙ୍ଗ ପଞ୍ଚାୟତର ପାଣ୍ଡିଆ ଗ୍ରାମରେ ଘଟିଛି। ଏହି ଗ୍ରାମର ଜିଦ୍ଧି ଓରାମ ନାମକ ଜଣେ ୨୪ ବର୍ଷିଆ ଆଦିବାସୀ ଯୁବତୀ ପ୍ରସବ ବେଦନାରେ ଛଟପଟ ହେଉଥିବା ବେଳେ ଉକ୍ତ ଗ୍ରାମର ଆଶା ଦିଦି ୧୦୮ ରୋଗୀବୁହା ଗାଡିକୁ ଫୋନ କରି ଜଣାଇଥିଲେ। ୧୦୮ ଠିକ୍ ସମୟରେ ପହଞ୍ଚିଥିଲେ ମଧ୍ୟ ଉକ୍ତ ଗ୍ରାମକୁ ରୋଗୀବୁହା ଗାଡି ପସିବାକୁ ରାସ୍ତା ନଥିବାରୁ ଉକ୍ତ ଗ୍ରାମର ତାଙ୍କର କିଛି ସମ୍ପର୍କିୟ, ଗ୍ରାମର ଆଶା କର୍ମି ଏବଂ ରୋଗୀ ବୁହା ଗାଡିର ଚାଳକ ଗାଡିରୁ ଷ୍ଟ୍ରେଚର ନେଇ ତାଙ୍କୁ କାନ୍ଧରେ ବୋହି ପ୍ରାୟ ୧ କି.ମି.ରୁ ଉର୍ଦ୍ଧ୍ୱ ପଥୁରିଆ ଜଙ୍ଗଲ ରାସ୍ତାରେ ଗାଁ ମୁଣ୍ଡରେ ଥିବା ଗାଡି ନିକଟକୁ ବୋହି ଆଣିଥିଲେ। ତେବେ ପ୍ରସୂତୀ ଜଣଙ୍କ ପ୍ରବଳ ଯନ୍ତ୍ରଣାରେ ଛଟପଟ ହୋଇ ଚିତ୍କାର କରୁଥିବା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଶେଷରେ ଯନ୍ତ୍ରଣା ସହ୍ୟକରିନପରି ଯୁବତୀ ଜଣଙ୍କ ଉକ୍ତ ଜଙ୍ଗଲ ରାସ୍ତାରେ ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ତେବେ ଆଶା କର୍ମିଙ୍କ ଉପସ୍ଥିତ ବୁଦ୍ଧି ଯୋଗୁଁ ଶିଶୁଟି ନିଶ୍ଚିନ୍ତ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତି ଯାଇଛି। ପରେ ଉଭୟ ମା ଓ ଝିଅଙ୍କୁ ଉକ୍ତ ରୋଗୀବୁହା ଗାଡିରେ ଯୋଡ଼ାସ୍ଥିତ କମାରଯୋଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଉଭୟଙ୍କର ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଉଭୟ ମା ଏବଂ ଝିଅ ସୁସ୍ଥ ଥିବା ଜଣାପିଡିଛି। ଏହି ସମୟ ଭିତରେ ସେମାନଙ୍କ ଗାଁରୁ କେହି ଜଣେ ମୃତ୍ୟୁବରଣ କରିଥିବା ଦୁଃଖଦ ଖବର ମିଳିବା ପରେ ସେଥିରେ ମ୍ରିୟମାଣ ହୋଇ ମା ଓ ଝିଅଙ୍କୁ ତାଙ୍କ ପରିବାର ଲୋକେ ଡ଼ାକ୍ତରଖାନାରୁ ଚିକିତ୍ସିତ ଅବସ୍ଥାରେ ଗାଁକୁ ଫେରାଇନେଇଥିବା ଜଣାପଡିଛି। ଉକ୍ତ ଗ୍ରାମର ଗ୍ରାମବାସୀମାନେ ମୌଳିକ ସୁବିଧାରୁ ଦୀର୍ଘ ବର୍ଷ ଧରି ବଞ୍ଚିତ ହୋଇଆସୁଛନ୍ତି। ଏପରିକି ସ୍ୱାସ୍ଥ୍ୟ, ଶିକ୍ଷା, ଗମନା ଗମନ, ପାନୀୟ ଜଳ, ବିଦ୍ୟୁତ ସେବା ଭଳି ମୌଳିକ ସୁବିଧା ନଥିବା ଗ୍ରାମବାସୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି।