Odiapua.com

ଯୋଡା : ୫୦ ପ୍ରତିଶତ ସଡକ ପଥରେ ପରିବହନ ନିମନ୍ତେ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ନିକଟରେ ଟ୍ରକ ମାଲିକଙ୍କ ଦାବି

ଯୋଡା, ୧ା୮ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ସୋମବାର ପୂର୍ବାହ୍ନରେ ବିରିକଳା ପଞ୍ଚାୟତ ଅନ୍ତର୍ଗତ ବିଲେଇପଦା ଠାରେ ଥିବା ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ ଲିଃ ନିକଟରେ ଯୋଡା ଟ୍ରକ ମାଲିକ ସଂଘ ଏବଂ ଆଞ୍ଚଳିକ ଟ୍ରକ ମାଲିକ ସଂଘର ଶତାଧିକ କର୍ମି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟ କାରଖାନାରୁ ବିଭିନ୍ନ କାରଖାନାକୁ ପରିବହନ କରାଯାଉଥିବା କଞ୍ଚା ମାଲର ୫୦ ପ୍ରତିଶତ ସଡକ ପଥରେ ପରିବହନ ନିମନ୍ତେ ଏକ ଲିଖିତ ଦାବି ଉପସ୍ଥାପନ କରିଥିବା ଜଣାପଡିଛି। ସେମାନଙ୍କ ଦାବି ମୁତାବକ ଏହି କାରଖାନାକୁ ମାସିକ ୨୦ ର‌୍ୟାକ କଞ୍ଚାମାଲ ରେଳ ଯୋଗେ ପରିବହନ ହୋଇଥାଏ। ଯେହେତୁ ଯୋଡା ଏକ ଖଣି ପ୍ରବଣ ଅଞ୍ଚଳ ଏବଂ ଏଠାକାର ଲୋକଙ୍କର ଟ୍ରକ ଯୋଗେ ପରିବହନ ମୁଖ୍ୟ ବ୍ୟବସାୟ, ତେଣୁ ମୋଟ ପରିବହନର ୫୦ ପ୍ରତିଶତ ସଡକ ପଥରେ ପରିବହନ ନିମନ୍ତେ ମଞ୍ଜୁର କରିବା ପାଇଁ ସେମାନେ ଦାବି କରିଛନ୍ତି। ସରକାରଙ୍କ ରପ୍ତାନୀ ଶୁଳ୍କ ବୃଦ୍ଧି ପରେ ବିଭିନ୍ନ ଖଣିରୁ ଲୁହାପଥର ପରିବହନ ସମ୍ପୂର୍ଣ୍ଣ ବନ୍ଦ ହୋଇପଡିଥିବା ବେଳେ ଟ୍ରକ ମାଲିକମାନେ ସେମାନଙ୍କର ଜୀବିକା ହରାଇବସିଛନ୍ତି। ଫଳରେ ଅଧିକାଂଶ ଟ୍ରକ ମାଲିକ ଋଣରେ ଆଣିଥିବା ଟ୍ରକ ଗୁଡିକର କିସ୍ତି ସୁଝିନପାରି ଦେବାଳିଆ ହେବାକୁ ବସିଲେଣି। ଏହି ଟ୍ରକ ମାଲିକମାନଙ୍କୁ କିଞ୍ଚିତ ପରିମାଣରେ ସହାୟତା ଯୋଗାଇବା ପାଇଁ କମ୍ପାନୀ ନିଜର ସହୃଦୟତା ପ୍ରତିପାଦନ କରୁବୋଲି ସେମାନେ ଅନୁରୋଧ କରିଛନ୍ତି। ଏହି ଦାବି ପତ୍ରଟିକୁ ସେମାନେ କମ୍ପାନୀ କାର୍ଯ୍ୟାଳୟରେ ପହଞ୍ଚି କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଆଶିଶ ଅନୁପମଙ୍କୁ ପ୍ରଦାନ କରିଛନ୍ତି ଏବଂ ଏହାର ନକଲ ବିଭିନ୍ନ ପ୍ରଶାସନୀକ ଅଧିକାରୀ ଏବଂ ଚମ୍ପୁଆ ବିଧାୟିକାଙ୍କୁ ପ୍ରଦାନ କରିଥିବା ଜଣାପଡିଛି।