Odiapua.com

ଯୋଡା : ୫ମ ନକ୍‌-ଆଉଟ ଫୁଟ୍‌ବଲ୍ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ, ଇଲେଭେନ ଟାଇଗରକୁ ପରାସ୍ତ କରି ସୋୟାବାଲି ଲିପସା ଏଣ୍ଡ ଲିପସା ଦଳ ଚମ୍ପିଆନ

ଯୋଡା, ୧୭ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ): ଯୋଡା ବ୍ଲକ ଅଂଶେଇକଳା ଓ କଣ୍ଡରା ପଞ୍ଚାୟତ ସୀମାନ୍ତ ବଡହୁଣ୍ଡୁଳା ଗ୍ରାମର ଖେଳପଡିଆରେ ହୁଣ୍ଡୁଳା ଗଣେଶ କ୍ଲବ ପକ୍ଷରୁ ଆୟୋଜିତ ୫ମ ନକ-ଆଉଟ ତ୍ରିଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଗୁରୁବାର ସନ୍ଧ୍ୟାରେ ଉଦ୍‌ଯାପିତ ହୋଇଯାଇଛି । ଉକ୍ତ ଟୁର୍ଣ୍ଣାମେଣ୍ଟରେ ସୀମାନ୍ତ ଝାଡଖଣ୍ଡ ସମେତ ଓଡିଶା ରାଜ୍ୟର ମୋଟ୍ ୩୨ଟି ଦଳ ଅଂଶଗ୍ରହଣ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ଭାଗଲପୁର ଇଲେଭେନ ଟାଇଗର ୧-୦ ଗୋଲରେ ଅଂଶେଇକଳା ଇଶ୍ୱର ଇଲେଭେନ ଦଳକୁ ପରାସ୍ତ କରି ଫାଇନାଲକୁ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସୋୟାବାଲି ଲିପସା ଏଣ୍ଡ ଲିପସା ଟିମ ୧-୦ ଗୋଲରେ କଣ୍ଡରା ଭାଇ ଆଣ୍ଡ ଭାଇ ଟିମକୁ ପରାସ୍ତ କରି ଫାଇନାଲ ମ୍ୟାଚକୁ ପ୍ରବେଶ କରିଥିଲେ । ଗୁରୁବାର ଅପରାହ୍ନରେ ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚରେ ଇଲେଭେନ ଟାଇଗର ଟିମକୁ ୨-୦ ଗୋଲରେ ପରାସ୍ତ କରି ସୋୟାବାଲି ଲିପସା ଏଣ୍ଡ ଲିପସା ଟିମ ଚମ୍ପିଆନ ହୋଇପାରିଥିଲା । ଟୁର୍ଣ୍ଣାମେଣ୍ଟର ଉଦ୍‌ଯାପନୀ ଉତ୍ସବରେ କେନ୍ଦୁଝର ଜିଲ୍ଲା ବରିଷ୍ଠ ବିଜେଡି ଉପସଭାପତି କୁଶ ଆପଟ୍ଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଅଂଶେଇକଳା ସରପଞ୍ଚ ତଥା ଯୋଡା ବ୍ଲକ ବିଜେଡି ସଭାପତି ଦିଲ୍ଲୀପ ନାଏକ, ପୂର୍ବତନ ସରପଞ୍ଚ ସନ୍ତୋଷ ଓରାମ, ପୂର୍ବତନ ଯୋଡା ବ୍ଲକ ଅଧ୍ୟକ୍ଷ ଗିରିଧାରୀ ନାଏକ, କ୍ରାକରର୍ସ ଇଣ୍ଡିଆ ଲିଃର ବରିଷ୍ଠ ଅଧିକାରୀ ବି.ଡି. ଦାସ, ନୂଆମୁଣ୍ଡି ଟିଏସଆରଡିଏସର ଅଧିକାରୀ ରାଜେଶ କୁମାରଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ତ୍ରିଦିବସୀୟ ନକ-ଆଉଟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ପରିଚାଳନା କରିବା ନିମନ୍ତେ ହରିଶ ପୂର୍ତ୍ତୀ, ଚୁନୁ ସିଂହ, ପି.କେ.ପାଲ, ବରୁଣ କୁମାର ବେହେରା ଓ ରାଜୁ ମଣ୍ଡଳ ରେଫରୀ ଭାବେ କାର୍ଯ୍ୟ ତୁଲାଇଥିବା ବେଳେ କ୍ଷୀରୋଦ କୁମାର ଗିରି ଓ ଘନ ମହାନ୍ତ ଦ୍ୱୟ ଭାଷ୍ୟକାର ନିଜ ଭାଷ୍ୟକାରିତା ମାଧ୍ୟମରେ ଉପସ୍ଥିତ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ ଯୋଗାଇଥିଲେ । ଉଦଯାପନୀ ସନ୍ଧ୍ୟାରେ ମୁଖ୍ୟ ଅତିଥି ଶ୍ରୀ ଆପଟ୍ଟ ଚମ୍ପିଆନ ସୋୟାବାଲି ଲିପସା ଏଣ୍ଡ ଲିପସା ଦଳକୁ ନଗଦ ୬୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିବା ବେଳେ ଉପବିଜେତା ଇଲେଭେନ ଟାଇଗର ଦଳକୁ ନଗଦ ୪୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରିଥିଲେ । ସେହିପରି ତୃତୀୟ ସ୍ଥାନ ପାଇଁ ଇଶ୍ୱର ଇଲେଭେନ ଦଳକୁ ନଗଦ ୩୦ ହଜାର ଟଙ୍କା ସହ ଟ୍ରଫି ଓ ଚତୁର୍ଥ ସ୍ଥାନକୁ ନଗଦ ୨୦ ହଜାର ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଗ୍ରାମୀଣ କ୍ରୀଡାକୁ ବିକାଶ ଓ ପ୍ରୋତ୍ସାହନ ଦେବା ନିମନ୍ତେ ରାଜ୍ୟ ସରକାର ଜିଲାରେ ଏକ କ୍ରୀଡା ହବ୍ ନିର୍ମାଣ କରିବାର ଯୋଜନା ରହିଥିବା ନେଇ ମୁଖ୍ୟ ଅତିଥି ଶ୍ରୀ ଆପଟ୍ଟ ତାଙ୍କ ବକ୍ତବ୍ୟ ମାଧ୍ୟମରେ ଜଣାଇଥିଲେ । ସେହିପରି ପରିଶେଷରେ ସର୍ବଶ୍ରେଷ୍ଠ ଗୋଲକିପର ଭାବେ ଅନୁଜ ସର୍ଦ୍ଦାର ଓ ସର୍ବଶ୍ରେଷ୍ଠ ଡିପେଣ୍ଡର ମଙ୍ଗରାଜ ମିଞ୍ଜକୁ ଅତିଥିଙ୍କ ଦ୍ୱାରା ମୋବାଇଲ ଫୋନ ପ୍ରଦାନ କରାଯାଇଥିବା ବେଳେ ସର୍ବଶ୍ରେଷ୍ଠ ସ୍କୋରର ରୂପେ ଯୁଗଳ ସିଙ୍କୁକୁ ସାଇକେଲ ଓ ଟୁର୍ଣ୍ଣାମେଣ୍ଟର ସର୍ବଶ୍ରେଷ୍ଠ ଖେଳାଳୀ ଭାବେ ଆଶିଷ କୁମାରଙ୍କୁ ସାଇକେଲ ପ୍ରଦାନ କରାଯାଇଥିଲା । ହୁଣ୍ଡୁଳା ଗଣେଶ କ୍ଲବର ଲମ୍ବୋଧର ପାତ୍ର, ସୁନୀଲ କୁମାର ମୁଣ୍ଡା, ବିଶମ ମହାକୁଡ, ଅକ୍ଷୟ କୁମାର ମୁଣ୍ଡା, ଜାପାନ ହେମ୍ବ୍ରମ, ମିତ୍ରଭାନୁ ପାତ୍ର, କନ୍ଦର୍ପ ପାତ୍ର, ଯୋଗେନ୍ଦ୍ର ବେହେରା, ବିଭୁ ନାଏକଙ୍କ ସମେତ ଅନ୍ୟ ସଦସ୍ୟ ସମୂହ ଏହି ଟୁର୍ଣ୍ଣାମେଣ୍ଟରେ ସହଯୋଗ କରିଥିଲେ ।