Odiapua.com

ଯୋଡା : ହଟ୍ଟଗୋଳ ମଧ୍ୟରେ ବାତିଲ ହେଲା ଗ୍ରାମସଭା, ସ୍ଥାନୀୟ ଗ୍ରାମବାସୀ ଜିଦ୍‌ରେ ଅଟଳ

ଯୋଡା, ୧୩ା୧୨ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) : ଯୋଡା ବ୍ଲକ ଅନ୍ତର୍ଗତ ଲଇଡାପଦା ପଞ୍ଚାୟତରେ ରୁଗୁଡି ଛକ ଠାରୁ କଳମଙ୍ଗ ପର୍ଯ୍ୟନ୍ତ ଏକ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି । ଜିଲା ଖଣିଜ ପାଣ୍ଠିରୁ ପ୍ରାୟ ୧୧ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଥିବା ବେଳେ ଗ୍ରାମସଭା ନକରି ଏହି ରାସ୍ତା ନିର୍ମାଣକୁ ସ୍ଥାନୀୟ ଗ୍ରାମବାସୀମାନେ ବିରୋଧ କରିବା ସହ ଏହି ନିର୍ମାଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଇଛନ୍ତି । ସେମାନଙ୍କ ଅଭିଯୋଗ ମୁତାବକ ଏହି ପୁରୁଣା ଢଳେଇ ରାସ୍ତାରୁ ବାହାରୁଥିବା ବର୍ଜ୍ୟବସ୍ତୁ ଭାବେ ସିମେଣ୍ଟ କଂକ୍ରିଟକୁ ବାହାର କରାଯାଇ ରାସ୍ତା କଡରେ ଥିବା ଲୋକଙ୍କ ପଟ୍ଟାଭୁକ୍ତ ଚାଷ ଜମି ଉପରେ ଢାଳି ଦିଆଯାଉଛି । ରାସ୍ତା ଖରାପ ସାଙ୍ଗକୁ ପ୍ରଚୁର ଲୁହାପଥର ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ଧୂଳି, ଧୁଆଁରେ ସେମାନେ ଅତିଷ୍ଟ ହୋଇପଡୁଥିବା ବେଳେ ପ୍ରଥମେ ଟ୍ରକ ଚଳାଚଳ ବନ୍ଦ କରି ରାସ୍ତା ନିର୍ମାଣ କରାଯିବାକୁ ସେମାନେ ଦାବି କରିଛନ୍ତି । ଅନ୍ୟ ପକ୍ଷରେ ଏହି ରାସ୍ତା ନିର୍ମାଣ କାର୍ଯ୍ୟ ପାଇଁ କୌଣସି ସୂଚନା ଫଳକ ଲଗାଯାଇନଥିବା ବେଳେ କାର୍ଯ୍ୟ ଆରମ୍ଭ ପୂର୍ବରୁ ସରକାରଙ୍କ ପକ୍ଷରୁ ଡକାଯାଉଥିବା ଗ୍ରାମସଭା ମଧ୍ୟ ଡକାଯାଇନାହିଁ । ଫଳରେ ଗତ ଡିସେମ୍ବର ମାସ ୨ ତାରିଖରେ ଗ୍ରାମବାସୀମାନେ ଏହି ରାସ୍ତା ତିଆରି କାର୍ଯ୍ୟକୁ ବନ୍ଦ କରିଦେଇଥିଲେ । ଗ୍ରାମାଞ୍ଚଳ ଉନ୍ନୟନ ସଂସ୍ଥା (ଆର.ଡି) ପକ୍ଷରୁ ଯୋଡା ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜଗନ୍ନାଥ ହନୁମାନ ଚଳିତ ମାସ ୮ ତାରିଖ ଦିବା ୨ ଘଟିକା ସମୟରେ ଲଇଡାପଦା ପଞ୍ଚାୟତ କାର୍ଯ୍ୟାଳୟରେ ଲଇଡାପଦା, କୋହ୍ଲରୋଡକଳା, ଭୂୟାଁରୋଡକଳା ଓ କାଟେସାହୀର ଗ୍ରାମବାସୀ ଓ ଲୋକପ୍ରତିନିଧିମାନଙ୍କୁ ନେଇ ଏକ ଗ୍ରାମସଭା ଡାକିଥିବା ବେଳେ ଧାର୍ଯ୍ୟଦିନ ଏହି ଗ୍ରାମସଭାରେ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ ମଧ୍ୟ କୌଣସି ଗ୍ରାମବାସୀ ଯୋଗଦେଇନଥିଲେ । ଫଳରେ ଏହାକୁ ଚଳିତ ମାସ ୧୩ ତାରିଖକୁ ଘୁଞ୍ଚାଇଦିଆଯାଇଥିଲା । ସୋମବାର ପୂର୍ବାହ୍ନରେ ଗ୍ରାମସଭା ଆରମ୍ଭ ହେବା ପୂର୍ବରୁ ଗ୍ରାମବାସୀ, ଗ୍ରାମାଞ୍ଚଳ ଉନ୍ନୟନ ବିଭାଗର କର୍ମକର୍ତ୍ତା, ପଞ୍ଚାୟତ ନିର୍ବାହୀ ଅଧିକାରୀ ରାଧାକାନ୍ତ ବେହେରା, ସହକାରୀ ନିର୍ବାହୀ ଯନ୍ତ୍ରୀ (ଗ୍ରାମ ଉନ୍ନୟନ ବିଭାଗ, ଚମ୍ପୁଆ) ପ୍ରଫୁଲ୍ଲ ମିଶ୍ର, ସହକାରୀ ଯନ୍ତ୍ରୀ (ଗ୍ରାମ ଉନ୍ନୟନ ବିଭାଗ, ଯୋଡା) କରୁଣାକର ନନ୍ଦ, ନାଏବ ସରପଞ୍ଚ ସରସ୍ୱତୀ ମୁଣ୍ଡାଙ୍କ ମଧ୍ୟରେ ପ୍ରବଳ ହଟ୍ଟଗୋଳ ହେବା ଦେଖିବାକୁ ମିଳିଥିଲା । ଫଳରେ ପୁନଃର୍ବାର ଏହି ଗ୍ରାମସଭାକୁ ବାତିଲ କରିବାକୁ ପଡିଛି । ଗ୍ରାମବାସୀମାନେ ତାଙ୍କ ଜିଦ୍‌ରେ ଅଟଳ ରହିଥିବା ଜଣାପଡିଛି । ଏଠାରେ ସୂଚନା ଯୋଗ୍ୟ, ଏହି ରାସ୍ତାଟି ପଞ୍ଚାୟତ ରାସ୍ତା ଥିବା ବେଳେ ଲଇଡାପଦା, ଭୂୟାଁରୋଡକଳା, କୋହ୍ଲରୋଡକଳା ଏବଂ କାଟେସାହୀ ଦେଇ ସୁନ୍ଦରଗଡ ଜିଲାକୁ ସଂଯୋଗ କରୁଛି । ଏହି ରାସ୍ତାଟି ଓଏମ୍‌ସି, ମିତ୍ତଲ, ନୂଆଗାଁ ଲୌହ ଖଣି ଏବଂ ଗୁଆଲି ଲୌହ ଖଣିର ମୁଖ୍ୟ ମାର୍ଗ ହୋଇଥିବା ବେଳେ ଦୈନିକ ଶହ ଶହ ସଂଖ୍ୟାରେ ଲୁହାପଥର ବୋଝେଇ ଭାରିଯାନ ଚଳାଚଳ କରିଥାଏ । ଏହି ପଞ୍ଚାୟତ ରାସ୍ତାଟିକୁ ଗ୍ରାମବାସୀଙ୍କ ଦୀର୍ଘ ଦିନର ଦାବି ପରେ ପ୍ରଶାସନୀକ ଅଧିକାରୀଙ୍କ ଚାପରେ ତିନୋଟି ଖଣି କମ୍ପାନୀ ନିଜସ୍ୱ ପାଣ୍ଠୀରୁ ଏହାକୁ ଢଳେଇ ରାସ୍ତା ନିର୍ମାଣ କରିଥିଲେ । ଏଥିରେ ତତ୍‌କଳାନୀ ଖଣି କମ୍ପାନୀ ଆର.ପି. ସାଓ ୨ କୋଟି, କେଜେଏସ୍ ଆଲୁୱାଲିଆ ୨ କୋଟି ଏବଂ ରୁଙ୍ଗଟା କମ୍ପାନୀ ୨ କୋଟି ଟଙ୍କା ଏହିପରି ମୋଟ ୬ କୋଟି ଟଙ୍କାରେ ୨୦୧୧-୧୨ରେ ଏହି ରାସ୍ତାଟି ତିଆରି କରାଯାଇଥିଲା । ଏହି ରାସ୍ତାଟିର ମରାମତି କରିବା ପାଇଁ ଜିଲା ଖଣିଜ ପାଣ୍ଠିରୁ ୧୧ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ଏବେ ଗ୍ରାମବାସୀଙ୍କୁ ଚକିତ କରିଛି । ଜିଲା ଖଣିଜ ପାଣ୍ଠିର କିଭଳି ସଦୁପଯୋଗ କରାଯାଉଛି ଏହା ତାହାର ଏକ ଦୃଷ୍ଟାନ୍ତ ବୋଲି ସେମାନେ ଅଭିଯୋଗ କରିଛନ୍ତି ।